ଚିନ୍ତା ବଢ଼ାଇଲେଣି ବାଳ ଅପରାଧୀ: ହତ୍ୟାଠୁ ଆରମ୍ଭ କରି ଲୁଟ୍, ନିଶା କାରବାର ସବୁଥିରେ ସାମିଲ

ସ୍ମାର୍ଟ ଫୋନ୍, କୁସଙ୍ଗ, କୁପରିବେଶ କରୁଛି ବାଟବଣା, ୩ ବର୍ଷରେ ସାଢ଼େ ୩ ହଜାର ଅପରାଧରେ ସମ୍ପୃକ୍ତ

ଶୁଭକାନ୍ତ ପଢ଼ିହାରୀ

ଭୁବନେଶ୍ବର: ରାଜ୍ୟରେ ଏକ ବଡ଼ଧରଣର ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ନାବାଳକକୁ ଖୋର୍ଦ୍ଧା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ୩ବର୍ଷ ଦଣ୍ଡିତ କରିଛନ୍ତି। ଏହି ସମୟରେ ସେ ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହରେ ରହିବ। ବ୍ରାଉନସୁଗାର ମାମଲାରେ ନାବାଳକ ଦଣ୍ଡିତ ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ୨୦୨୧ ଅଗଷ୍ଟ ୧୨ରେ ଭଦ୍ରକ ଅଞ୍ଚଳର ଏହି ନାବାଳକ ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ୨ଜଣ ସହଯୋଗୀଙ୍କ ସହ ଖୋର୍ଦ୍ଧା ବସଷ୍ଟାଣ୍ଡରୁ ଏସଟିଏଫ୍ ହାତରେ ଧରାପଡ଼ିଥିଲା। ନାବାଳକ ଏହି ନିଶା କାରବାରର ମାଷ୍ଟରମାଇଣ୍ଡ ବୋଲି ତଦନ୍ତ ବେଳେ ଜଣାପଡ଼ିଥିଲା। କେବଳ ଏହି ନାବାଳକ ନୁହେଁ, ରାଜ୍ୟରେ ଏମିତି ଶହ ଶହ ସଂଖ୍ୟାରେ ନାବାଳକ ଧଳାଜହର କାରବାରରେ ସମ୍ପୃକ୍ତ ରହିଛନ୍ତି। ଚିନ୍ତାଜନକ କଥା ହେଉଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର।

ଅନ୍ୟ ଏକ ଘଟଣାକ୍ରମରେ ଜଟଣୀ ଥାନା ବେଣାପଞ୍ଜରି ଗାଁରେ ଘରେ ପଶି ନବମ ଶ୍ରେଣୀ ଛାତ୍ର ଶୁଭମ୍ ସ୍ବରୂପ ପାଲଟାସିଂହଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଯୁକ୍ତଦୁଇ ଛାତ୍ର ମଧ୍ୟ ଜଣେ ନାବାଳକ। ଅଭିଯୁକ୍ତ ପୁଣି ଶୁଭମଙ୍କ ବାପାଙ୍କ ପାଖରେ ପୂର୍ବରୁ ଟ୍ୟୁସନ୍ ହୋଇଥିଲା। ପାଠ ପଢ଼ୁଥିବା ଏହି ନାବାଳକ ଛାତ୍ର ଏମିତି ଜଘନ୍ୟ ଅପରାଧୀ ପାଲଟି ଯିବ ବୋଲି କେହି କେବେ ବିଶ୍ବାସ କରି ନ ଥିଲେ। ରାଜ୍ୟରେ ଶହ ଶହ ସଂଖ୍ୟାରେ ନାବାଳକ ଏବେ ଅପରାଧ ଜଗତରେ ପାଦ ଥାପୁଛନ୍ତି। କିଏ ହତ୍ୟାରେ ସମ୍ପୃକ୍ତ ତ ଆଉ କିଏ ଲୁଟ୍, ଅପହରଣ, ନିଶା କାରବାର, ଚୋରି ଭଳି ମାମଲାରେ ଧରାପଡ଼ୁଛନ୍ତି। ପ୍ରେମ ସମ୍ପର୍କ ପରେ ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ମାମଲାରେ ମଧ୍ୟ ନାବାଳକମାନଙ୍କର ବହୁ ସଂଖ୍ୟାରେ ସମ୍ପୃକ୍ତି ଏବେ ପଦାକୁ ଆସୁଛି। ରାଜ୍ୟରେ ବାଳ ଅପରାଧୀଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି, ଯାହା ଅତି ଉଦ୍‌ବେଗଜନକ। ମିଳିଥିବା ସୂଚନା ଅନୁସାରେ, ୨୦୧୯ରୁ ୨୦୨୧ ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୩୫୯୧ ଜଣ ନାବାଳକ ଅପରାଧରେ ସମ୍ପୃକ୍ତ ଥିବା ନେଇ ମାମଲା ରୁଜୁ ହୋଇଛି। ୨୦୧୯ରେ ୧୧୬୨, ୨୦୨୦ରେ ୧୦୯୫ ଓ ୨୦୨୧ରେ ୧୩୩୪ ଜଣ ନାବାଳକ ଅପରାଧରେ ସମ୍ପୃକ୍ତ ଥିବା ନେଇ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ତଥ୍ୟରୁ ଜଣାପଡ଼ିଛି। ୨୦୨୧ରେ ୯ ଜଣ ହତ୍ୟା ମାମଲା(ଆଇପିସି ଦଫା-୩୦୨) ଓ ୨୦ ଜଣ ହତ୍ୟା ଉଦ୍ୟମ(ଆଇପିସି ଦଫା-୩୦୭) ମାମଲାରେ ଅଭିଯୁକ୍ତ ରହିଥିଲେ।

ଶିଶୁ ସୁରକ୍ଷା ଓ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭୁବନେଶ୍ବର ରୁଚିକା ଚାଇଲ୍ଡ ଲାଇନ୍ ଅଧିକାରୀ ବେଣୁଧର ସେନାପତି କହିଛନ୍ତି, ପରିବର୍ତ୍ତିତ ଜୀବନଶୈଳୀ ପାଇଁ ସ୍କୁଲ, କଲେଜରେ ପାଠ ପଢ଼ୁଥିବା ନାବାଳକଙ୍କର ଟଙ୍କାର ଆବଶ୍ୟକତା ପଡ଼ୁଛି। ସେମାନେ ଏହି ଅଭାବ ପୂରଣ କରିବା ପାଇଁ ଅଭିଭାବକଙ୍କୁ ଲୁଚାଇ ବେଆଇନ ଭାବେ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ଖାଳି ଅଭାବ ନୁହେଁ ନିଶା ସେବନ ପାଇଁ ମଧ୍ୟ ଟଙ୍କାର ଆବଶ୍ୟକ ପଡ଼ୁଛି। ଯାହାଫଳରେ ସେମାନଙ୍କ ମଧ୍ୟରୁ କେତେକ ଅପରାଧ ଜଗତରେ ପାଦ ଦେଉଛନ୍ତି। ଆଉ କେତେକ ପରିସ୍ଥିତି ଓ ହଠାତ୍ ରାଗିଯାଇ ଅପରାଧ ଘଟାଉଥିବାର ନଜିର ରହିଛି। କେତେକ ନାବାଳକ ଅପରାଧୀଙ୍କ ପଛରେ ଜଣେ ପେସାଦାର କିମ୍ବା ସାବାଳକ ଅପରାଧୀ ଥିବା ମଧ୍ୟ ଦେଖାଯାଏ। ନାବାଳକଙ୍କ ଦ୍ବାରା ଅପରାଧ ଘଟାଇଲେ ଦଣ୍ଡବିଧାନ ହାର କମ୍ ହୁଏ ଓ ପ୍ରକୃତ ଅପରାଧୀ ଧରାପଡ଼େ ନାହିଁ। ନାବାଳକ ଅପରାଧୀ ହେବା ପଛରେ ନିଶା ସେବନ ମଧ୍ୟ ଅନ୍ୟ ଏକ କାରଣ ବୋଲି ସେ କହିଛନ୍ତି। ସେହିପରି ଏସସିବି ମେଡିକାଲ କଲେଜ ମାନସିକ ରୋଗ ବିଭାଗ ସହକାରୀ ପ୍ରଫେସର ଡାକ୍ତର ପଲ୍ଲବୀ ସାହୁ କହିଛନ୍ତି, ଶିଶୁର କଣ୍ଡକ୍ଟ ଡିସ୍ଅର୍ଡର(ଆଚରଣ ବିକାର) ଅପରାଧ ଘଟାଇବାର ଏକ କାରଣ।

ଶ୍ରୀଘ୍ର ରାଗିଯିବା, ଆବେଗଭରା ସ୍ବଭାବ, ଶିକ୍ଷାରେ ବ୍ୟତିକ୍ରମ ମଧ୍ୟ କାରଣ ହୋଇପାରେ। ସେହିପରି ଅନେକାଂଶ କ୍ଷେତ୍ରରେ ଖରାପ ପରିବେଶ ପ୍ରଭାବ ମଧ୍ୟ ପଡ଼ିଥାଏ। ଯେପରି ଜଣେ ବାପା ଯଦି ନିଶାସେବନ କରେ, କିମ୍ବା ବାଳକ ଅବସ୍ଥାରେ ଯତ୍ନ ନେବାରେ ଅବହେଳା କରାଯାଇଥିବା, ଛୋଟ ଛୋଟ କଥାରେ ବିନା କାରଣରେ ପିଲାକୁ ମାଡ଼ ମରାଯିବା ଯୋଗୁ ନାବାଳକ ଅପରାଧୀ ପାଲଟିବା ଏକ ସମାଜିକ କାରଣ ବୋଲି କୁହାଯାଇପାରେ। ଇଣ୍ଟରନେଟ୍, ମୋବାଇଲ ଫୋନ୍ ବ୍ୟବହାର ପିଲାର ମସ୍ତିସ୍କରେ ଗଭୀର ଭାବେ ପ୍ରଭାବ ପକାଇଥାଏ। ଗୁଳିଗୋଳା, ବୋମା ବ୍ୟବହାର କରି ମାରିବା ଭଳି ହିଂସାପୂର୍ଣ୍ଣ ଖେଳ ଖେଳିବା ପିଲାଙ୍କ ମାନସିକତାରେ ପରିବର୍ତ୍ତନ ଆଣିଥାଏ। ପିଲାକୁ ଛୋଟବେଳ ଠିକ୍‌ଭାବେ ଲାଳନପାଳନ, ଉତ୍ତମ ଶିକ୍ଷା ଭଲରାସ୍ତାକୁ ନେଇଥାଏ।

ସମ୍ବନ୍ଧିତ ଖବର