ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌ର ଜଣେ ଗିରଫ: ୨ ଫେରାର୍‌ଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ବର: ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅଟୋ ଯୋଗେ ଯାତ୍ରୀଙ୍କୁ ନେଇ ମୃଦୁ ପାନୀୟରେ ନିଶା ଦେଇ ଲୁଟୁଥିବା ଏକ ଗ୍ୟାଙ୍ଗ୍‌ର ଜଣଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଖୋର୍ଦ୍ଧା ଜଙ୍କିଆର ନାରାୟଣ ଜେନା। ପୁଲିସ ତା’ଠାରୁ ଲୁଟ୍‌ରେ ବ୍ୟବହୃତ ଅଟୋକୁ ଜବତ କରିଛି ଏବଂ ଫେରାର୍ ଥିବା ଅନ୍ୟ ୨ ଜଣଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ପୁଲିସ ସୂଚନାନୁସାରେ ଗତ ୧ ତାରିଖ ଅପରାହ୍ଣରେ ଅଭିଯୋଗକାରୀ ରମେଶ କୁମାର ପ୍ରଧାନ ରଣପୁର ଯିବାକୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ନାରାୟଣ ଏକ ଅଟୋ ଧରି ରଣପୁର ଯିବା ପାଇଁ ଯାତ୍ରୀମାନଙ୍କୁ ଡାକିଥିଲା। ‌ତେଣୁ ରମେଶ ସେଥିରେ ବସିଯାଇଥିଲେ। ପୂର୍ବରୁ ଅଟୋରେ ଅନ୍ୟ ଦୁଇ ଜଣ ବ୍ୟକ୍ତି ବସିଥିଲେ। ଅଟୋଟି ଖଣ୍ଡଗିରି ଓଭରବ୍ରିଜ୍‌ରେ ଯାଉଥିବା ବେଳେ ପଛ ସିଟ୍‌ରେ ବସିଥିବା ଦୁଇ ବ୍ୟକ୍ତି ମୃଦ୍ୟୁ ଥଣ୍ଡା ପାନୀୟ ବାହାର କରି ନିଜେ ପିଇବା ସହ ଅଟୋଚାଳକ ନାରାୟଣକୁ ଦେଇଥିଲେ। ଏହାପରେ ସେମାନେ ରମେଶଙ୍କୁ ପିଇବାକୁ ଦେଇଥିଲେ। ପ୍ରଥମେ ମନା କରିଥିଲେ ବି ପରେ ସେମାନଙ୍କଠାରୁ ରମେଶ ଥଣ୍ଡା ନେଇ ପିଇଥିଲେ। କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇଦେଇଥିଲା। ସେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଥଣ୍ଡା ଦେଇଥିବା ଦୁଇ ଦୁର୍ବୃତ୍ତ ତାଙ୍କ ପକେଟ୍‌ରୁ ୫୦୦୦ଟଙ୍କା, ଏଟିଏମ୍‌ କାର୍ଡ ଓ ମୋବାଇଲ ଫୋନ୍‌ ଛଡ଼ାଇନେଇଥିଲେ। ମୁଣ୍ଡ ବିନ୍ଧୁଥିବା ସ‌ତ୍ତ୍ବେ ରମେଶ ପ୍ରତିବାଦ କରିଥିଲେ। ଏତିକିବେଳେ ନାରାୟଣ ଏକ ନିଛାଟିଆ ସ୍ଥାନ ଦେଖି ଅଟୋ ଅଟକାଇଥିଲା ଏବଂ ସେମାନେ ରମେଶଙ୍କୁ ଏଟିଏମ୍ କାର୍ଡର ପିନ୍ ନମ୍ବର ମାଗିଥିଲେ। ରମେଶ ମନା କରିବାରୁ ସେମାନେ ମାରଣାସ୍ତ୍ର ଦେଖାଇ ତାଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ମାତ୍ର ଏତିକିବେଳେ ରମେଶ ସଂଜ୍ଞା ହରାଇଥିଲେ। ତାଙ୍କ ଚେତା ଫେରିବା ବେଳକୁ ସେ ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟସ୍ଥ ସାଇ ମନ୍ଦିର କଡ଼ରେ ପଡ଼ିଥିଲେ। କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର