ଅନିଲ୍‌ ହତ୍ୟା ମାମଲା : ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଭିନବ ପ୍ରତିବାଦ

ଜାତୀୟ ରାଜପଥରେ ମହମବତି ଜାଳିଲେ, ଯାତାୟାତ ଅଧଘଣ୍ଟା ଠପ୍‌

ଖଣ୍ଡଗିରି : ୩ ସପ୍ତାହ ବିତିବା ପରେ ବି ଅନିଲ୍‌ ଜେନା ଓରଫ୍ ପପୁ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିପାରିନାହିଁ। ପୁଲିସର ଅପାରଗତା ବିରୋଧରେ ବାହାଦଲପୁର ଗ୍ରାମବାସୀମାନେ ଶୁକ୍ରବାର ଅଭିନବ ଉପାୟରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ହତ୍ୟା ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବି କରି ଗ୍ରାମବାସୀମାନେ ୧୬ନମ୍ବର ଜାତୀୟ ରାଜପଥରେ ଡୁମୁଡୁମା ଛକ‌ରେ ମହମବତି ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଠପ୍‌ ହୋଇ ଯାଇଥିଲା। ଜୋନ୍-୩ ଏସିପି ଓ ଖଣ୍ଡଗିରି ଥାନା ଆଇଆଇସି ଘଟଣାସ୍ଥଳରେ ‌ଲୋକଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଜୋରଦାର୍‌ ଉଦ୍ୟମ ଜାରି ରହିଥିବା କହିବା ପରେ ଲୋକେ ରାଜପଥରୁ ହଟିଥିଲେ।

ଗତକାଲି ବାହାଦଲପୁର ଗ୍ରାମବାସୀମାନେ ଗାଁକୁ ନିଶାମୁକ୍ତ କରିବାକୁ ଖଣ୍ଡଗିରି ଥାନାରେ ପହଞ୍ଚି ପୁଲିସର ସହାୟତା ଲୋଡ଼ିଥିଲେ। ହତ୍ୟା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ଆଜି ହଠାତ୍ ସେମାନେ ରାଜପଥ ଅବରୋଧ କରିବାକୁ ବାହାରି ପଡ଼ିଥିଲେ। ଏନେଇ ପୁଲିସ ନିକଟରେ ଆଗୁଆ ସୂଚନା ନଥିଲା। ରାତି ପ୍ରାୟ ୮ଟା ବେଳେ ଶତାଧିକ ଗ୍ରାମବାସୀ ହାତ‌‌ରେ ମହମବତି ଓ ମୃତ ଅନିଲଙ୍କ ଶ୍ରଦ୍ଧାଞ୍ଜଳି ବ୍ୟାନର୍‌ ଧରି ରାଜପଥ ଉପରେ ଡୁମୁଡୁମା ହାଉସିଂବୋର୍ଡ ଛକରେ ଠିଆ ହୋଇପଡ଼ିଥିଲେ। ହତ୍ୟା ଅଭିଯୁକ୍ତ ବାପି ଓ ତା’ର ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ଦାବି କରି ନାରାବାଜି ଦେଇଥିଲେ। ଫଳରେ ରାଜପଥର ଦୁଇ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଥିଲା।

ଖବର ପାଇ ଜୋନ୍‌-୩ ଏସିପି ପ୍ରାଣବନ୍ଧୁ ରାଉତ ଓ ଖଣ୍ଡଗିରି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ତୁରନ୍ତ ସଦଳବଳେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ। ଲୋକଙ୍କ ସହ ଆଲୋଚନା ସରୁ ସରୁ ପ୍ରାୟ ଅଧଘଣ୍ଟା ବିତି ଯାଇଥିଲା ଓ ରାସ୍ତା ଅବରୋଧ ହଟିଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତ ୭ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଭରତ ସାହୁ ଓରଫ ବାପି ପପୁଙ୍କୁ ତାଙ୍କ ଘର ପାଖରେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲା। ଏହି ଗୁଳିକାଣ୍ଡରେ ପପୁଙ୍କ ବାପା ଅଭିମନ୍ୟୁ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଗୁଳିକାଣ୍ଡରେ ବାପିକୁ ସେହି ଗାଁର ହାପି ସାହୁ ଓ ଆଲୋକ ପ୍ରଧାନ ସହଯୋଗ କରିଥିଲେ। ଘଟଣା ପରେ ତିନି ଅଭିଯୁକ୍ତ ଫେରାର୍ ହୋଇ ଯାଇଥିଲେ ଓ ସେହି ଦିନଠାରୁ ପୁଲିସ ସେମାନଙ୍କ ଟେର୍ ପାଉନାହିଁ।

ସମ୍ବନ୍ଧିତ ଖବର