ଜୟପୁର ମୁଖ୍ୟ ଟ୍ରାଫିକ୍ ଛକ ପ୍ରବେଶପଥ ସଙ୍କୁଚିତ, ଯାତାୟତରେ ସମସ୍ୟା

ଜୟପୁର: ମୁଖ୍ୟ ଟ୍ରାଫିକ୍ ଛକରୁ ସହର ମଧ୍ୟକୁ ଯେଉଁ ପ୍ରବେଶ ପଥ ରହିଛି ତାହାର ଚଉଡ଼ା କମ୍ ରହିଥିବାରୁ ନାନା ସମସ୍ୟା ଉପୁଜୁଛି। ଏଥିରେ ଯାନବାହାନ ଯିବା ଆସିବାବେଳେ ରାସ୍ତା ଜାମ୍ ହେଉଥିବାରୁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜୟପୁର ସହରର ଲୋକସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ ତାଳ ଦେଇ ଯାନବାହାନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ହେଲେ ଏହି ଯାନବାହାନ ସଂଖ୍ୟାକୁ ଦୃଷ୍ଟିକୁ ନେଇ ପ୍ରଶାସନ ପକ୍ଷରୁ ସହରର ରାସ୍ତାଗୁଡ଼ିକ ଚଉଡ଼ା କିପରି ହେବ ତାହାର ବ୍ୟବସ୍ଥା ନ କରି ସଙ୍କୁଚିତ କରିଛନ୍ତି। ଜୟପୁର ମୁଖ୍ୟ ଟ୍ରାଫିକ୍ ଛକରେ ପୂର୍ବରୁ ଟ୍ରାଫିକ୍ ପୋଷ୍ଟ ସାଙ୍ଗକୁ ଏକ ଶୌଚାଳୟ ରହିଥିଲା। ଶୌଚାଳୟକୁ ଲାଗି ବିଭିନ୍ନ ଦୋକାନ, ହୋଟେଲ୍ ରହିଥିବାବେଳେ ଅସ୍ଥାୟୀ ବସଷ୍ଟାଣ୍ଡ ଭଳି ଏହି ସ୍ଥାନ ବ୍ୟବହୃତ ହେଉଥିଲା। ଏସବୁ କାରଣରୁ ମୁଖ୍ୟ ଟ୍ରାଫିକ୍ ଛକରେ ଜନଗହଳି ଲାଗିବା ସହ ଟ୍ରାଫିକ୍ ସମସ୍ୟା ଉପୁଜୁଥିଲା। ଏହାର ସମାଧାନ କରିବାକୁ ଯାଇ ଦୀର୍ଘ ବର୍ଷର ଏହି ଶୌଚାଳୟକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇ ମୁଖ୍ୟ ଟ୍ରାଫିକ୍ ଛକକୁ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ପ୍ରଶସ୍ତିକରଣ କରାଗଲା। କିନ୍ତୁ ଏହି ପ୍ରଶସ୍ତିକରଣର ସୁଫଳ ଲୋକଙ୍କୁ ମିଳିବା ପରିବର୍ତ୍ତେ କୁଫଳ ମିଳିବାରେ ଲାଗିଛି। କାରଣ ପ୍ରଶସ୍ତିକରଣ ପରେ ପ୍ରଶାସନ ମୁଖ୍ୟ ଟ୍ରାଫିକ୍ ଛକରୁ ଜୟପୁର ସହରକୁ ଯେଉଁ ରାସ୍ତା ସଂଯୋଗ ହେଉଥିଲା ତାହାକୁ ଏକ ସିମେଣ୍ଟ ଡିଭାଇଡର୍ ଜରିଆରେ ଦୁଇ ଭାଗ କରାଯାଇଛି। ଏହି ଡିଭାଇଡ଼ର ଦେଇ ମୁଖ୍ୟ ଟ୍ରାଫିକ୍ ଛକରୁ ସହରର ମୁଖ୍ୟ ରାସ୍ତାରେ ଲୋକେ ଯିବା ଆସିବା କରନ୍ତି। ଯେଉଁ ଲୋକ ପାଦରେ ଚାଲିଚାଲି ହେଉ କିମ୍ବା ଯାନବାହାନରେ ଆସିବ ସେ ମୁଖ୍ୟ ଟ୍ରାଫିକ୍ ଛକରେ ସମସ୍ୟାରେ ପଢ଼ିବାକୁ ବାଧ୍ୟ ହେଉଥିବା ଲକ୍ଷ୍ୟ କରାଯାଉଛି। କାରଣ ମୁଖ୍ୟ ଟ୍ରାଫିକ୍ ଛକର ଡିଭାଇଡ଼ର ନିକଟରେ ରାସ୍ତାର ଚଉଡ଼ା ମାତ୍ର ୨୦ ଫୁଟ ହେବ। ଏହି ରାସ୍ତାରେ ଗୋଟିଏ ଗାଡ଼ି ଯିବା କଷ୍ଟସାଧ୍ୟ। ପୁଣି ସେହି ନିକଟରେ ରାସ୍ତାକୁ ଲାଗି ରହିଥିବା ଦୋକାନଗୁଡ଼ିକର ବାଇକ୍, ଅଟୋ ଏବଂ କାର୍ ରାସ୍ତା ଉପରେ ରଖାଯାଉଛି ।

ଫଳରେ ଟ୍ରାଫିକ୍ ସିଗ୍ନାଲ୍ ପାଇଁ ଅଟକି ରହୁଥିବା ଲୋକେ ମଧ୍ୟ ସମସ୍ୟାରେ ପଡୁଛନ୍ତି । ସହରକୁ ପ୍ରବେଶ କରିବା ରାସ୍ତାର ବାମ କଡ଼ରେ ପୌରପାଳିକା ଏବଂ ଓଏସଆରଟିସିର ଷ୍ଟଲ୍ ଗୁଡ଼ିକ ଭଡ଼ାରେ ଲାଗିଛି । ଦୋକାନକୁ ଯେଉଁମାନେ ଆସନ୍ତି ସେମାନେ ନିଜନିଜ ଗାଡ଼ି ରାସ୍ତା ଉପରେ ରଖନ୍ତି। ଫଳରେ ସହରକୁ ପ୍ରବେଶ କରିବା ଲୋକ ଟ୍ରାଫିକ୍ ଜାମର ସମସ୍ୟାରେ ପ୍ରତ୍ୟେହ ଘାଣ୍ଟି ହେବାର ଦୃଶ୍ୟ ଦେଖିବାକୁ ମିଳୁଛି। ଡ଼ିଭାଇଡ଼ର୍ ନିକଟରେ ପିଚୁ ରାସ୍ତା ସହ ତାକୁ ଲାଗି ସିମେଣ୍ଟ ପାଦ ଚଲା ରାସ୍ତା ସାଙ୍ଗକୁ ଡ୍ରେନ୍ ରହିଥିବାରୁ ଟ୍ରାଫିକ୍ ସିଗ୍ନାଲ୍ ପାଇଁ ଗୋଟିଏ କାର୍ ଠିଆ କରିବାକୁ ହେଲେ ସମସ୍ୟା ଦେଖାଦେଇଥାଏ । ସେପରି ଏଠାରେ ଥିବା କିଛି ହୋଟେଲ ସମ୍ମୁଖରେ ବହୁ ବାଇକ ରାସ୍ତାକୁ ଅବରୋଧ କରି ରଖୁଛନ୍ତି। ଏହି ସମୟରେ ପୁଣି ସରକାରୀ ବସଷ୍ଟାଣ୍ଡ ମଧ୍ୟରୁ ଯଦି ଓଏସଆରଟିସି ବସ୍ ବାହାରିଲେ ଗୋଟିଏ ଟ୍ରାଫିକ୍ ସିଗ୍ନାଲ୍ ପାଇଁ ରହିଲେ ସହରରୁ ବାହାରୁଥିବା ବାଇକ୍ କିମ୍ବା ଅଟୋ ହନୁମାନ ମନ୍ଦିର ଯାଏଁ ଲାଇନ୍ ଲଗାଇବାକୁ ବାଧ୍ୟ ହୁଅନ୍ତି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବିଭାଗ ଆଗକୁ ଆସୁ ନ ଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶୁଭମ୍ ହୋଟେଲ୍ ଠାରୁ ମୁଖ୍ୟ ଟ୍ରାଫିକ୍ ଛକ ଯାଏଁ ଏବଂ ପୌରପାଳିକା ସମ୍ମୁଖରୁ ମୁଖ୍ୟ ଟ୍ରାଫିକ୍ ଛକ ଯାଏଁ ପେଭର ବ୍ଲକ ବିଛାଗଲା। କିନ୍ତୁ ଏହାର ଅପରପାର୍ଶ୍ବ ଅର୍ଥାତ୍ ହୋମିଓ ହସ୍ପିଟାଲ୍ ନିକଟରୁ ହନୁମାନ ମନ୍ଦିର ଦେଇ ମୁଖ୍ୟ ଟ୍ରାଫିକ୍ ଛକ ଯାଏଁ ତାହା ବିଛା ଯାଇ ପାରିଲା ନାହିଁ । ଫଳରେ ରାସ୍ତାର ଏହି ପାର୍ଶ୍ୱ ଅବ୍ୟବସ୍ଥାରେ ପଡ଼ି ରହିଛି।

ପୂର୍ବରୁ କେବଳ ବସଷ୍ଟାଣ୍ଡରୁ ସରକାରୀ ବସ ବାହାରୁଥିବା ବେଳେ ଏବେ ଲକ୍ଷ୍ମୀ ବସ ବି ବାହାରୁଛି। ଫଳରେ ଅପରପକ୍ଷେ ସମସ୍ୟା ଏବେ ବଢ଼ିବାରେ ଆରମ୍ଭ କରିଛି। ଯେଉଁ ବସଗୁଡିକ ସ୍କୁଲ୍ ଏବଂ କଲେଜ୍ ସମୟରେ ବାହାରେ ସେତେବେଳର ଦୃଶ୍ୟ ଅବର୍ଣ୍ଣନୀୟ। ସହରରୁ ବାହାରିବାର ବାମ କଡ଼ରେ ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଅପରପାର୍ଶ୍ଵରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ତେଣୁ ଟ୍ରାଫିକ୍ ସମସ୍ୟା ବଢ଼ିବା ସ୍ବାଭାବିକ। ମୁଖ୍ୟ ଟ୍ରାଫିକ୍ ଛକର ମାତ୍ର ୫୦୦ ମିଟର ଦୁର ମଧ୍ୟରେ ମହିଳା ମହାବିଦ୍ୟାଳୟ,ବିକ୍ରମଦେବ ବିଶ୍ଵବିଦ୍ୟାଳୟ ସରକାରୀ ବସଷ୍ଟାଣ୍ଡ, ୫ଟି ରହିବା ହୋଟେଲ୍, ୧୦ଟି ଖାଇବା ହୋଟେଲ୍, ଟାଉନ୍ ପୁଲିସ୍ ଥାନା ଭଳି ଜନଗହଳି ଲାଗି ରହିବା ଅନୁଷ୍ଠାନ ରହୁଥିିବାରୁ ଏହାର ପ୍ରଭାବ ମଧ୍ୟ ଟ୍ରାଫିକ୍ ସମସ୍ୟା ଉପରେ ରହିଥାଏ । ତେଣୁ ପ୍ରଶାସନ ଏହି ରାସ୍ତାର ସମ୍ପ୍ରସାରଣ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

 

 

ସମ୍ବନ୍ଧିତ ଖବର