ଧାନ ଅଡ଼ୁଆ ବଢ଼ିଲା, ଟୋକନ୍ ଉଚ୍ଛେଦ ପ୍ରସଙ୍ଗରେ ବିଧାନସଭା କମ୍ପିଲା

ବିରୋଧୀ ଘେରିଲେ, ଗୋଟିଏ ରାଜ୍ୟରେ ଦୁଇଟି ନିୟମ କାହିଁକି
ମନ୍ତ୍ରୀଙ୍କ ବିବୃତି ଦାବି କଲେ, ବୀମା କଂପାନି ଠକିବା ପ୍ରସଙ୍ଗ ବି କହିଲେ
ମନ୍ତ୍ରୀ କହିଲେ, ସବିଶେଷ ତଥ୍ୟ ନାହିଁ, ସୋମବାର ଦେବେ ବିବୃତି
ବର୍ଷରୁ ୧୦୦୦ରୁ ୧୨୦୦କୋଟିର ଅଖା କେଳେଙ୍କାରୀ ହେଉଛି

ଭୁବନେଶ୍ବର : ଗତକାଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଚାଷୀ ସଂଗଠନମାନଙ୍କ ସହିତ ଆଲୋଚନା କରି ଟୋକନ୍ ସଂପର୍କରେ ଯେଉଁ ନିଷ୍ପତ୍ତି ଶୁଣାଇଛନ୍ତି, ସେ ସଂପର୍କରେ କଣ ଖାଦ୍ୟ ଯୋଗାଣ ମନ୍ତ୍ରୀ ଜାଣନ୍ତି ନାହିଁ? ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦେଇଥିବା ଦୁଇ ଧାଡିଆ ମନ୍ତବ୍ୟ ଏମିତି ଏକ ପ୍ରଶ୍ନ ଛିଡା କରିଛି। ବିରୋଧୀ ଦଳ ଚାପରେ ବାଚସ୍ପତି ମନ୍ତ୍ରୀଙ୍କୁ ଗୃହରେ ବିବୃତି ରଖିବାକୁ ନିର୍ଦେଶ ଦେଇଥିଲେ। ଗୃହରେ ଉପସ୍ଥିତ ଥିବା ମନ୍ତ୍ରୀ ଶ୍ରୀ ସ୍ବାଇଁ ଛିଡା ହୋଇ ରୋକଠୋକ୍ ଶୁଣାଇଥିଲେ, ଏ ସଂକ୍ରାନ୍ତ ସମ୍ପୂର୍ଣ୍ଣ ତଥ୍ୟ ତାଙ୍କ ନିକଟରେ ବର୍ତମାନ ଉପଲବ୍ଧ ନାହିଁ। ସୋମବାର ସେ ଗୃହରେ ବିବୃତି ରଖିବେ। ପ୍ରଶ୍ନ ଉଠୁଛି, ମନ୍ତ୍ରୀଙ୍କ ଜାଣତରେ ଦୁଇ ପ୍ରତିନିଧି ଚାଷୀଙ୍କ ସହିତ ଆଲୋଚନା କରିନଥିଲେ କି?

ଆଜି ବିଧାନସଭାରେ ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗକୁ ନେଇ ପୁଣି ତୁମୁଳ ହଟ୍ଟଗୋଳ କରିଥିଲେ ବିରୋଧୀ। ଗତକାଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଚାଷୀ ସଂଗଠନ ସହିତ ଆଲୋଚନା କରିଥିଲେ ଓ ହୀରାକୁଦ ଆୟକଟ୍ ଅଞ୍ଚଳ ଚାଷୀଙ୍କ ପାଇଁ ଟୋକନ୍ ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଚାଷୀ ଆନ୍ଦୋଳନରୁ ଓହରିଛନ୍ତି ଓ ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି ପ୍ରସଙ୍ଗକୁ ମୁଖ୍ୟ ବିନ୍ଦୁ କରି ଆଜି ବିଜେପି ଓ କଂଗ୍ରେସ ବିଧାୟକମାନେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ କରିପକାଇଥିଲେ ସରକାରଙ୍କୁ। ପଚାରିଥିଲେ, ଧାନ ସଂଗ୍ରହରେ ଟୋକନ୍ ବ୍ୟବସ୍ଥା ରହିବ କି ନାହିଁ? କେବଳ ହୀରାକୁଦ ଆୟକଟ୍ ପାଇଁ ଗୋଟିଏ ନିୟମ, ବଲାଙ୍ଗୀର, କଳାହାଣ୍ଡି ଓ ଅବଶିଷ୍ଟ ଓଡ଼ିଶା ପାଇଁ ଆଉ ଗୋଟିଏ ନିୟମ? ଏମିତି କେମିତି ହେବ? ଚାଷୀଙ୍କ ସହିତ ଆଲୋଚନାକୁ ଯାଇଥିବା ମନ୍ତ୍ରୀ ଓ ସରକାରୀ ଦଳର ଉପମୁଖ୍ୟ ସଚେତକଙ୍କୁ କିଏ ସେଠାକୁ ପଠାଇଥିଲେ? କାହିଁକି ରାଜ୍ୟ ସରକାର ବିଧାନସଭାକୁ ବିଶ୍ବାସକୁ ନେଲେ ନାହିଁ? ମନ୍ତ୍ରୀ ତୁରନ୍ତ ଏ ନେଇ ବିଧାନସଭାରେ ଉତ୍ତର ଦେବା ଦରକାର। ଗୃହ ମଧ୍ୟଭାଗରେ ଉଭୟ ବିଧାୟକ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ତିନି ଥର ମୁଲତବୀ କରିବାକୁ ପଡିଥିଲା।

ଆଜି ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଉଭୟ ମନ୍ତ୍ରୀ ଓ ଉପମୁଖ୍ୟ ସଚେତକ କେଉଁ କ୍ଷମତାବଳରେ ଗଲେ? ଧାନ କିଣା ଅବ୍ୟବସ୍ଥା ନେଇ ବାରମ୍ବାର କାହିଁକି କହିବାକୁ ପଡୁଛି। ଅନ୍ୟ ରାଜ୍ୟରେ ବିଶ୍ରାମ ଘର, ରଙ୍ଗିନ୍ ଟିଭି ଆଦି ରହିଛି। ଏଠାରେ ଗଛ ତଳେ ଚାଷୀ ବସୁଛି। ଜଣେ ଚାଷୀ ଅତୀତରେ ମୃତ୍ୟୁବରଣ କରିଥିଲେ। ୨% ଅର୍ଥ ସୋସାଇଟି ନେଇ କଣ କରୁଛନ୍ତି? କଟନି ଛଟନି ଆଳରେ ଦୁଇ ଚାରି କିଲୋଗ୍ରାମ କାଟିଲେ ଚାଷୀଙ୍କୁ କଷ୍ଟ ଲାଗନ୍ତାନି। ୧୪କେଜି ପର୍ଯ୍ୟନ୍ତ କାଟୁଛନ୍ତି। ମିଲର ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ପ୍ରତିବର୍ଷ ୧୦୦୦ରୁ ୧୨୦୦ କୋଟି ଟଙ୍କା ଅଖା ଦୁର୍ନୀତି ହେଉଛି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଥିଲେ, ବିଧାନସଭାରେ ଆଲୋଚନା ବେଳେ ତିନିଟି କଥା କୁହାଯାଇଥିଲା। ସରକାର ନୀତି ତ୍ରୁଟିପୂର୍ଣ୍ଣ। ସରକାର ଜିଦଖୋର ମନୋବୃତ୍ତି ଛାଡନ୍ତୁ ଓ ଟୋକନ୍ ବ୍ୟବସ୍ଥା ଉଚ୍ଛେଦ କରାଯାଉ। ଏକଥା କେହି ଶୁଣିଲେନି। ବିଧାନସଭା ଅଧିବେଶନ ଜାରି ରହିଛି। ଜଣେ ମନ୍ତ୍ରୀ ଓ ଉପମୁଖ୍ୟ ସଚେତକ ଚାଷୀଙ୍କ ସହିତ ଆଲୋଚନା କରି ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର କରିଦେଲେ। ବରଗଡ ଓ ସମ୍ବଲପୁର ଚାଷୀ ଲାଭ ପାଇବେ। ବଲାଙ୍ଗୀର ଓ କଳାହାଣ୍ଡି ଚାଷୀ କାହିଁକି ପାଇବେନି? ମନ୍ତ୍ରୀ ଛେଫ ଫିଙ୍ଗିଲେ, ଚାଟିଲେ ନା ଢୋକିଲେ? ମନ୍ତ୍ରୀ ତୁରନ୍ତ ବିଧାନସଭାରେ ଏ ସଂକ୍ରାନ୍ତରେ ବିବୃତି ରଖି ସ୍ପଷ୍ଟ କରନ୍ତୁ। ସେହିଭଳି ବଲାଙ୍ଗୀରରେ ଚୋଳ ସଂସ୍ଥା ଚାଷୀଙ୍କୁ ଠକି ଚାଲିଗଲା। ବୀମା ପଇସା ଦେଲାନି। ଗତବର୍ଷ ସୁନ୍ଦରମ୍ କଂପାନି ବି ସେୟା କଲା। ଚାଷୀ ଅନଶନରେ ବସିଛନ୍ତି। କେହି ସେମାନଙ୍କ କଥା ଶୁଣୁନାହାନ୍ତି।

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ମତ ରଖିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଅସନ୍ତୋଷ ଝାଡିଥିଲେ। ଗୋଟିଏ ରାଜ୍ୟରେ ଦୁଇଟି ନିୟମ କିଭଳି ଚାଲିବ?ଯଦି ସରକାର ନିଷ୍ପତ୍ତି ବଦଳାଇଲେ, ତେବେ ଗୃହରେ କାହିଁକି କୁହାଗଲାନି? ମନ୍ତ୍ରୀ ବିବୃତି ଦେବା ଆବଶ୍ୟକ। ବୀମା କଂପାନି ଅବହେଳା ସଂପର୍କରେ ବି ଶ୍ରୀ ମିଶ୍ର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରୁଲିଂ ଦାବି କରିଥିଲେ। ଏଥିସହିତ ଉଭୟ ଦଳର ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାକୁ ବାଚସ୍ପତି ଗୃହକୁ ତିନି ଥର ମୁଲତବୀ କରିଥିଲେ। ପରେ ବାଚସ୍ପତି କହିଥିଲେ, ବୀମା କଂପାନି ନେଇ ବିଧାୟକମାନେ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି, ତା ଉପରେ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଧାନ ପ୍ରସଙ୍ଗରେ ମନ୍ତ୍ରୀ ବିବୃତି ଦେବେ ବୋଲି ବି କହିଥିଲେ।

ସମ୍ବନ୍ଧିତ ଖବର