ଘୋଷଣା ହେଲା ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର

ଭୁବନେଶ୍ବର : ଘୋଷଣା ହୋଇଛି ଓଡ଼ିଶା ଲଳିତ କଳା ଏକାଡେମି ରାଜ୍ୟ ପୁରସ୍କାର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ଲଳିତ କଳା ଏକାଡେମି ବିଭିନ୍ନ ବର୍ଗରେ ୮ଜଣ ପ୍ରତିଭାବାନ ଶିଳ୍ପୀ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ୩୮ତମ ରାଜ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଶିଳ୍ପୀମାନେ ହେଲେ, ହୃ‌ଷୀକେଶ ବିଶ୍ବାଳ (ଚିତ୍ର), ଜ୍ୟୋତିପ୍ରକାଶ ପ୍ରଧାନ (ଚିତ୍ର), ନୀର ଜାନି (ଗ୍ରାଫିକ୍‌), ସତ୍ୟରଂଜନ ଦାସ (ଚିତ୍ର), ମାୟାଧର ସାହୁ (ଭାସ୍କର୍ଯ୍ୟ), ବିଶ୍ବଜିତ ମହାରଣା (ଭାସ୍କର୍ଯ୍ୟ), ବରୁଣ ବେହେରା (ଟେରାକୋଟା) ଓ ନିରଂଜନ ମହାପାତ୍ର (ପଟ୍ଟଚିତ୍ର)। ୮ ଶିଳ୍ପୀଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଧିତ କରାଯିବ। ରାଜ୍ୟ ପୁରସ୍କାର ପାଇଁ ଶିଳ୍ପୀମାନଙ୍କଠାରୁ ସେମାନଙ୍କ କଳାକୃତି ଆହ୍ବାନ କରାଯାଇଥିଲା। ପ୍ରଦର୍ଶିତ କଳାର ମୂଲ୍ୟାଙ୍କନ ଭିତ୍ତିରେ ଏହି ପୁରସ୍କାର ପାଇଁ ପ୍ରତିଭାମାନଙ୍କୁ ମନୋନୀତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କଳାକୃତିର ବିଭିନ୍ନ ବିଭାଗରୁ ୩୬୮ଜଣ ଶିଳ୍ପୀଙ୍କଠାରୁ ମୋଟ୍‌ ୬୧୫ଟି କଳାକୃତି ଆସିଥିଲା। ସେଥିମଧ୍ୟରୁ ୧୧୦ଟି କଳାକୃତି ଶେଷ ପର୍ଯ୍ୟାୟକୁ ମନୋନୀତ ‌ହୋଇଥିଲା। ସେଥିମଧ୍ୟରୁ ୮ଟି କଳାକୃତିକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଓଡ଼ିଶା ଓ ଓଡ଼ିଶା ବାହାରୁ ୫ଜଣ ବରିଷ୍ଠ ତଥା ଅଭିଜ୍ଞ ଶିଳ୍ପୀ ଏହି କଳାକୃତିଗୁଡ଼ିକର ମୂଲ୍ୟାଙ୍କନ କରି ଶ୍ରେଷ୍ଠ କଳାକୃତି ବାଛିଥିଲେ। ଆସନ୍ତା ଡିସେମ୍ବରରେ ଏକାଡେମି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯିବ।

ସମ୍ବନ୍ଧିତ ଖବର