ଯୁବକଙ୍କୁ ବ୍ଲେଡ୍‌ରେ ପ୍ରାଣାନ୍ତକ ଆକ୍ରମଣ: ନେଇଗଲେ ୮ହଜାର ଟଙ୍କା

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ପୁରୁଣା ଜଗନ୍ନାଥ ପୂର୍ତ୍ତ ବିଭାଗ ରାସ୍ତାର ଧବଳାହାର ନିକଟରେ ଜଣେ ଯୁବକଙ୍କୁ ଦୁଇଜଣ ଦୁର୍ବୃତ୍ତ ବ୍ଲେଡରେ ପ୍ରାଣାନ୍ତକ ଆକ୍ରମଣ କରି ୮ହଜାର ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବାଲିଅନ୍ତା ଥାନା ଅଧୀନ ବିଲସାହି ଗ୍ରାମର ପ୍ରଭାତ କୁମାର ସାହୁ(୩୩)। ପ୍ରଭାତଙ୍କ ଶରୀରର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଛି। ପ୍ରଭାତ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ତାଙ୍କ ଦାଦା ଲିଙ୍ଗରାଜ ସାହୁ ସ୍ଥାନୀୟ ଲୋକଙ୍କ ସହ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାଇକ ଯୋଗେ ଚିକିତ୍ସା ଲାଗି ହାଇଟେକ ହସ୍ପିଟାଲକୁ ନେଇଥିଲେ। ଏବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଲିଙ୍ଗରାଜ କହିଛନ୍ତି।

ପ୍ରଭାତଙ୍କ ମୁଣ୍ଡର ସ୍କିଟିସ୍କାନ କରାଯିବା ସହ ଅନେକ ଷ୍ଟିଚ୍‌ ପଡ଼ିଛି। ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ସେ ବାରମ୍ବାର ଚେତାଶୂନ୍ୟ ହୋଇପଡ଼ୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାରୁ ପ୍ରଭାତଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରଭାତ ଅନନ୍ତପୁର ସ୍ଥିତ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ ଚାକିରି କରିଛନ୍ତି। ଆଜି ରାତି ୯ଟା ସମୟରେ ସେ କାମ ସାରି ଘରକୁ ଫେରୁଥିବା ବେଳେ ସଂପୃକ୍ତ ଯୁବକ ଦ୍ବୟ ତାଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର