ବିଏମ୍‌ସିର ଜଳାଶୟ ପୁନଃନବୀକରଣ ଯୋଜନା: ସାମିଲ ହେବେ ୩୯ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ଭୁବନେଶ୍ବରର ବିଭିନ୍ନ ଜଳାଶୟମାନଙ୍କୁ ବିଏମ୍‌ସି ପୁନଃ ନବୀକରଣ କରିବାକୁ ଯାଉଛି। ବିଶେଷକରି ଲକ୍ଷ୍ମୀସାଗର ଫିସରି ଟ୍ୟାଙ୍କ୍‌ ଓ ନବୀନ ନିବାସ ପଛରେ ଥିବା ସ୍ପ୍ରିଙ୍ଗ୍‌ ଟ୍ୟାଙ୍କ୍‌କୁ ପ୍ରାଥମିକତା ଭିତ୍ତିରେ ନୂଆ ରୂପ ଦେବାକୁ ଯୋଜନା ହୋଇଛି। ‘ଆମ ପୋଖରୀ’ ଯୋଜନାରେ ନବୀକରଣ ହେବାକୁ ଥିବା କାର୍ଯ୍ୟରେ ଏସ୍‌ଏଚ୍‌ଜିମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ଏହି ମର୍ମରେ ଆଜି ବିଏମ୍‌ସି ଏକାମ୍ର ହଲ୍‌ରେ ଏସ୍‌ଏଚ୍‌ଜିମାନଙ୍କର ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୩୯ଟି ଏସ୍‌ଏଚ୍‌ଜିର ୧୬୦ ଜଣ ସଦସ୍ୟ ଓ ଟୁଲିପ୍‌ମାନେ ତାଲିମ ନେଇଥିଲେ।

ଆମ ପୋଖରୀ କାର୍ଯ୍ୟକ୍ରମରେ ୩୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ଫିସରି ଟ୍ୟାଙ୍କ ଓ ଝରଣା ପୋଖରୀ (ସ୍ପ୍ରିଙ୍ଗ ଟ୍ୟାଙ୍କ)ଡ୍ରେନ୍ ନମ୍ବର ୭ର ନବୀକରଣ କରାଯାଉଛି। ଲକ୍ଷ୍ମୀସାଗର ଫିସରି ଟ୍ୟାଙ୍କ ପାଇଁ ୨୪ ଓ ସ୍ପ୍ରିଙ୍ଗ ଟ୍ୟାଙ୍କ ପାଇଁ ୧୫ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚୟନ କରାଯାଇଛି। ସେମାନେ ଏହି ଦୁଇଟି ପ୍ରକଳ୍ପର ପୁନଃ ନବୀକରଣ ବା ପାଣି ନିଷ୍କାସନ, ଦଳ ଓ ପଙ୍କୋଦ୍ଧାର କରିବା, ଜଗିଙ୍ଗ ଟ୍ରାକ୍‌ ନିର୍ମାଣ, ପିଲାମାନଙ୍କ ପାର୍କ, ସବୁଜୀକରଣ ପାଇଁ ବୃକ୍ଷରୋପଣ, ପାଣି ଯାତୟାତ ପାଇଁ ବ୍ୟବସ୍ଥା ଇତ୍ୟାଦି କରିବାକୁ କୁହାଯାଇଛି।

ଏସ୍‌ଏଚ୍‌ଜିଙ୍କୁ ଦକ୍ଷତା ବିକାଶ ତାଲିମ
ନୂଆ ରୂପ ନେବ ଫିସରି ଟ୍ୟାଙ୍କ, ସ୍ପ୍ରିଙ୍ଗ ଟ୍ୟାଙ୍କ

ବିଏମ୍‌ସିରେ ୯ ହଜାର ୫୦୦ଟି ମହିଳା ସ୍ୱୟଂ ସହାୟକଗୋଷ୍ଠୀ କାମ କରୁଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ‘ମହିଳାଙ୍କ ଦ୍ୱାରା ବିକାଶ’ ପ୍ରସଙ୍ଗକୁ ଆଧାର କରି ପ୍ରତ୍ୟେକ ପ୍ରକଳ୍ପରେ ମହିଳାମାନଙ୍କ ଅଂଶୀଦାରୀ ଆମେ ନିଶ୍ଚିତ କରୁଛୁ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଂଜୁଲତା କହଁର, ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ସାଗରିକା ପଚ୍ଚନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର