କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ମୃତ୍ୟୁ ପୂର୍ବରୁ ଚିଠି ଲେଖିଥିଲେ

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲାରେ ଦିନ ଯେତିକି ଗଡ଼ୁଛି, ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ବର ସୁନ୍ଦରପଦା ନିକଟ କଣ୍ଟିଲୋସ୍ଥିତ ‘ଦୟାଲ’ ବୃଦ୍ଧାଶ୍ରମରେ ଦିନତମାମ ବନ୍ଦୀ କରି ରଖାଯାଇଥିଲା। ସେତେବେଳେ ସେ ଜାଣି ସାରିଥିଲେ ଯେ ତାଙ୍କୁ ହତ୍ୟା ପାଇଁ ଯୋଜନା କରାଯାଉଛି। ତେଣୁ ସେ ତିନି ପୃଷ୍ଠାର ଏକ ଚିଠି ଲେଖିଥିଲେ। ଘଟଣା ପରଦିନ ଅର୍ଥାତ୍ ଫେବ୍ରୁଆରି ୮ ତାରିଖରେ ସେହି ରୁମ୍ ଝାଡ଼ୁ ମାରିବା ବେଳେ କେୟାରଟେକର ଉକ୍ତ ଚିଠିଟିକୁ ପାଇଥିଲେ।

ଏ ନେଇ ଶୁକ୍ରବାର ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। କେୟାରଟେକରଙ୍କ ବୟାନ ଅନୁସାରେ, ଚିଠିରେ ମାନସ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ବନ୍ଦୀ କରି ନିସ୍ତୁକ ମାଡ଼ ମରାଯାଉଛି। ତାଙ୍କଠାରୁ କ୍ୟାମେରା, ମୋବାଇଲ ଫୋନ୍, ପାସବୁକ୍ ଓ ୪ ହଜାର ଟଙ୍କା ଛଡ଼ାଇ ନେଇଛନ୍ତି। ଯଦି ମୃତ୍ୟୁ ହୁଏ, ତା’ହେଲେ ଶବ ଏ ପାପୀମାନଙ୍କ ହାତରେ ଦେବ ନାହିଁ। ପରିବାର ଲୋକଙ୍କୁ ଦେଇଦେବ। ତେଣୁ ଅନୁମାନ କରାଯାଉଛି ଅଭିଯୁକ୍ତମାନେ ମାନସଙ୍କୁ ଯେଉଁ କିଛି ସମୟ ତାଲା ପକାଇ ବନ୍ଦୀ କରିଥିଲେ, ସେହି ସମୟରେ ମଉକା ପାଇ ମାନସ ଏହି ଚିଠି ଲେଖିଥିଲେ। କିନ୍ତୁ କେୟାରଟେକର୍‌ଙ୍କ କହିବା କଥା, ସେ ଚିଠିଟି ପାଇବା ପରେ ଶର୍ମିଷ୍ଠାଙ୍କୁ ଦେଇଥିଲେ। ତେଣୁ ଚିଠିଟି ଏବେ ଶର୍ମିଷ୍ଠାଙ୍କ ପାଖରେ ଥିବ କିମ୍ବା ସେ ତାକୁ ନଷ୍ଟ କରିଦେଇଥିବେ ବୋଲି ଅନୁମାନ କରାଯାଉଛି।

ସେହିପରି ଦୟାଲ ଆଶ୍ରମ ପରିସରରୁ ଦୁଇଟି ରେଜିଷ୍ଟର ମଧ୍ୟ ମିଳିଛି। ସେଥିରେ ବହୁ ବଡ଼ବଡ଼ିଆଙ୍କ ନାଁ ରହିଥିବା କୁହାଯାଉଛି। ଉକ୍ତ ରେଜିଷ୍ଟରରେ ଗତବର୍ଷ ଅଗଷ୍ଟ ମାସରୁ ଚଳିତ ବର୍ଷ ଜାନୁଆରି ପର୍ଯ୍ୟନ୍ତ ତଥ୍ୟ ଉଲ୍ଲେଖ ରହିଥିବା ବେଳେ ଫେବ୍ରୁଆରି ମାସ ଆରମ୍ଭରୁ କେତେକ ପୃଷ୍ଠାକୁ ଚିରି ଦିଆଯାଇଛି। ମାନସଙ୍କୁ ୭ ତାରିଖରେ ଅପହରଣ କରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଏମିତି କରାଯାଇଥିବା ସନ୍ଦେହ କରାଯାଉଛି।
ଏଣେ କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କୁ ଅପହରଣ କରାଯାଇଥିବା ଘଟଣାସ୍ଥଳ ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାସପୁର ଅଞ୍ଚଳକୁ ଯାଇ ତନାଘନା କରିଛି।

ଯେଉଁ ବାହାଘରକୁ ଭିଡିଓ ସୁଟିଂ କରିବାକୁ ଯାଇଥିଲେ, ସେଠାରେ ତଦନ୍ତକାରୀ ଟିମ୍ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି। ମିଳିଥିବା ସୂଚନା ଅନୁସାରେ, ଶର୍ମିଷ୍ଠା ଓ ତାଙ୍କର ୪ ଜଣ ସହଯୋଗୀ ୬ ତାରିଖ ରାତିରେ ଏକ କାର୍‌ରେ ବରଯାତ୍ରୀ ପରିଚୟ ଦେଇ ସେଠାକୁ ଯାଇଥିଲେ। ସନ୍ଦେହ ନ ହେବା ପାଇଁ ସେମାନେ ବରଯାତ୍ରୀ ଶୋଭାଯାତ୍ରାଠାରୁ କିଛି ଦୂରରେ ଅଟକି ରହିଥିଲେ। ମାନସଙ୍କୁ ଅପହରଣ କରିବା ପାଇଁ ସୁଯୋଗ ଖୋଜୁଥିଲେ। ଏଥିପାଇଁ ସେମାନଙ୍କୁ ୬ତାରିଖ ରାତି ୧୧ଟାରୁ ୭ ତାରିଖ ଭୋର୍‌ ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା।

ମେମୋରି ଚିପ୍‌ରେ ଯୁବତୀଙ୍କ ସହ ନିରଞ୍ଜନଙ୍କ ସମୁଦ୍ର ସ୍ନାନ ଭିଡିଓ!
ନିୟମିତ ଆଶ୍ରମକୁ ଆସୁଥିଲେ ନିରଞ୍ଜନ, ମଦ ମଗାଉଥିଲେ
ସହଯୋଗୀ ଝୁନା ସୁରକ୍ଷିତ ତ?

ପରଦିନ ମାନସ ଓ ତାଙ୍କ ସହଯୋଗୀଙ୍କୁ ବାହା ହୋଇଥିବା ଯୁବକ ବାପି ସ୍କୁଟିରେ ଛାଡ଼ିବା ପାଇଁ ଚାନ୍ଦବାଲି ଯାଉଥିବା ବେଳେ ଶର୍ମିଷ୍ଠା ଓ ଅନ୍ୟ ଦୁଇଜଣ ସହଯୋଗୀ ବାଟରେ ଅଟକାଇଥିଲେ। ସେମାନେ ମାନସଙ୍କୁ ମାଡ଼ ମାରି ଜୋର ଜବରଦସ୍ତ କାର୍‌ରେ ବସାଇ ନେଇ ପଳାଇଥିଲେ। ଏସବୁ ତଥ୍ୟ ହାସଲ କରିଛି କ୍ରାଇମ୍‌ବ୍ରାଞ୍ଚ। ଚାନ୍ଦବାଲି ଥାନାକୁ ଯାଇ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ଓ ଗିରଫଦାରୀ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ। ମାମଲାକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରୁଥିବା ଚାନ୍ଦବାଲି ଏସଡିପିଓଙ୍କ ସହ ମଧ୍ୟ ଆଲୋଚନା କରିଛି ତଦନ୍ତକାରୀ ଟିମ୍।

ସେଦିନର ମାନସଙ୍କ ସହଯୋଗୀ ଆଜି ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏପରିକି ଚିପ୍‌ର ରହସ୍ୟ ଖୋଲିଛନ୍ତି। ଯେଉଁ ଚିପ୍‌ କଥା କୁହାଯାଉଛି, ସେଥିରେ ନିରଞ୍ଜନଙ୍କ ପ୍ରମୁଖ ଭୂମିକା ରହିଛି। ଜାନୁଆରି ୨୯ରେ ପୁରୀ ବେଳାଭୂମିରେ ଏକ ଛୋଟ ଫିଲ୍ମ ସୁଟିଂ କରାଯାଇଥିଲା। ସେଥିରେ ହିରୋ ଭୂମିକାରେ ଥିଲେ ନିରଞ୍ଜନ। ଦୁଇଜଣ ଯୁବତୀଙ୍କ ସହ ସମୁଦ୍ରରେ ଗାଧୋଇବାର ଦୃଶ୍ୟ ରହିଥିଲା। ଜଣେ ଯୁବତୀ ସମୁଦ୍ରରେ ଭାସି ଯାଉଥିବା ବେଳେ ନିରଞ୍ଜନ ତାଙ୍କୁ ଉଦ୍ଧାର କରିଥିଲେ। ସୁଟିଂ ବେଳେ ଶର୍ମିଷ୍ଠା ଓ ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ। ଏହି ଛୋଟ ଫିଲ୍ମର ଚିପ୍ ମାନସଙ୍କ ପାଖରେ ରହିଥିଲା। ମାନସଙ୍କୁ ୪ରୁ ୫ ମାସ ହେଲା ଦରମା ମିଳି ନ ଥିଲା। ସେଥିପାଇଁ ସେ ଚିପ୍ ପାଖରେ ରଖିଥିଲେ। ଦରମା ମିଳିଥିଲେ ଚିପ୍ ଫେରାଇବେ ବୋଲି ଶର୍ମିଷ୍ଠାଙ୍କୁ କହୁଥିଲେ ବୋଲି ସେ ପୁଲିସକୁ କହିଛନ୍ତି।

କେବଳ ଏହି ଚିପ୍ ପାଇଁ ହତ୍ୟା କରାଯାଇଛି ନା ଅନ୍ୟ କିଛି ଭିଡିଓ ରହିଛି? ନିରଞ୍ଜନଙ୍କ ସମେତ ଆହୁରି କିଛି ବଡ଼ବଡ଼ିଆଙ୍କର ଆପତ୍ତିଜନକ ଭିଡିଓ ରହିଛି କି? ଚିପ୍‌ରେ ଥିବା ଭିଡିଓ ଯଦି ଲୋକଲୋଚନକୁ ଆସିଥା’ନ୍ତା, ତା’ହେଲେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥା’ନ୍ତା କି? ତେଣୁ ମାନସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା କି? ଏମିତି କିଛି ଦିଗକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ଚିପ୍‌ଟି କିନ୍ତୁ ତଦନ୍ତକାରୀ ଟିମ୍ ହାତରେ ଲାଗିପାରିନି। ସେହିପରି ନିୟମିତ ଆଶ୍ରମକୁ ଆସୁଥିବା ଯୁବକ ଦିଲ୍ଲୀପ ଖଟେଇ ନିରଞ୍ଜନଙ୍କ ଗୁମର ଖୋଲିଛନ୍ତି। ଦିଲ୍ଲୀପ କହିଛନ୍ତି ଯେ ନିରଞ୍ଜନ ପ୍ରତି ସପ୍ତାହର ଶନିବାର ଓ ରବିବାର ଆଶ୍ରମକୁ ଆସୁଥିଲେ। ତାଙ୍କୁ ଦାମୀ ମଦ ଆଣିବା ପାଇଁ ପଠାଉଥିଲେ।

ତେବେ ସବୁ ପ୍ରଶ୍ନର ଉତ୍ତର ରହିଛି ସାମ୍ବାଦିକା ଶର୍ମିଷ୍ଠାଙ୍କ ପାଖରେ। ମାତ୍ର ପୁଲିସ ତାଙ୍କୁ ଠାବ କରିପାରିନାହିଁ। ସେ ଏବେ କେଉଁଠି? କେଉଁଠି ଆତ୍ମଗୋପନ କରିଛନ୍ତି? କିଏ ତାଙ୍କୁ ଲୁଚାଇଛି? ସେହିଭଳି ଅପହରଣ ଓ ହତ୍ୟା ମାମଲାର ଅନ୍ୟତମ ସହଯୋଗୀ ଝୁନାଙ୍କର ମଧ୍ୟ ପତ୍ତା ମିଳୁନାହିଁ। ଝୁନା ବି ଗୋଟିଗୋଟି କରି ଘଟଣା ସମ୍ପର୍କରେ ସବୁ ଜାଣିଛନ୍ତି। ସେ ଏବେ ସୁରକ୍ଷିତ ଅଛନ୍ତି ତ? ଝୁନା କେଉଁଠି ଅଛନ୍ତି? କେଉଁଠି ଆଶ୍ରୟ ନେଇଛନ୍ତି? ତାଙ୍କ ଜୀବନ ପ୍ରତି ବିପଦ ନାହିଁ ତ? ଏମିତି ବହୁକଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘ଗ୍ରାଉଣ୍ଡ ଜିରୋ’ରେ କ୍ରାଇମ୍‌ବ୍ରାଞ୍ଚ

ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାର ଖିଅ ଖୋଜିବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍‌। ଆଗକୁ ବଢ଼ିବା ପୂର୍ବରୁ ଗ୍ରାଉଣ୍ଡ ଜିରୋରୁ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି କଳ୍ପନା ସାହୁ, ଇନ୍‌ସପେକ୍ଟର ବିଶ୍ବପ୍ରକାଶ ରାଉତ, ଏସ୍‌ଆଇ ପ୍ରଭୁଦତ୍ତ ବାରିକ, ଏଏସ୍‌ଆଇ ତନୁଶ୍ରୀ ନାୟକ, ଆଶୁତୋଷ ପ୍ରଧାନ ପ୍ରମୁଖ ମାମଲାର ତଦନ୍ତକାରୀ ଅଧିକାରୀ ଚାନ୍ଦବାଲି ଥାନା ଆଇଆଇସି କରୁଣାକର ରାଉତଙ୍କ ସହିତ ଅପହରଣ ଓ ହତ୍ୟା ଘଟଣାର ବିଭିନ୍ନ ଦିଗ, ତଦନ୍ତର ଅଗ୍ରଗତି, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଚାନ୍ଦବାଲି ଥାନାରେ ଉପସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବିବାହସ୍ଥଳ ଓ ସ୍ଥାନୀୟ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ
ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ ପଳାଶପୁରରେ ଥି‌ଲେ ଶର୍ମିଷ୍ଠା
ମାନସଙ୍କୁ ମାଡ଼ ମାରିବା ବେଳେ ବିରୋଧ କରିଥିଲେ ଗ୍ରାମବାସୀ

ସକାଳ ୯ଟାରେ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରସାଦ, ଆଇଆଇସି କରୁଣାକର ରାଉତ, ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ସେଠୀଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳ ନାଲଗୁଣ୍ଡା ପଞ୍ଚାୟତ ପଳାଶପୁର ଗ୍ରାମକୁ ଯାଇ ମାନସ ସମ୍ପର୍କରେ ତଦନ୍ତ କରିଥିଲା। ପଳାଶପୁରରେ ଭିଡିଓ ସୁଟିଂ ପାଇଁ ମାନସଙ୍କୁ କିଏ ଡାକିଥିଲା, ସେଦିନ ମାନସଙ୍କ ସାଙ୍ଗରେ ଆଉ କିଏ ଆସିଥିଲେ, ମାନସ ଆସିଛନ୍ତି ବୋଲି ଶର୍ମିଷ୍ଠାଙ୍କୁ ଖବର କିଏ ଦେଲା, ଶର୍ମିଷ୍ଠାଙ୍କୁ ପଳାଶପୁର ବାଟ ଦେଖାଇଲା କିଏ, ମାନସଙ୍କୁ ମାଡ଼ ମାରି ଗାଡ଼ିରେ ଉଠାଇ ନେବା ବେଳେ ଅନ୍ୟ କେହି ପ୍ରତିବାଦ କଲେନି କାହିଁକି, ଶର୍ମିଷ୍ଠାଙ୍କୁ ସାହାଯ୍ୟ କରିଥିବା ମତୋ ଅଞ୍ଚଳର ଏକ ‌ୱେବ୍‌ ଚ୍ୟାନେଲର କର୍ମଚାରୀ ଓ ମାନସଙ୍କ ସହିତ ଆସିଥିବା ତାଙ୍କ ସହଯୋଗୀଙ୍କ ସମ୍ପର୍କରେ କାହିଁକି ତଥ୍ୟ ସଂଗ୍ରହ କରାଯାଇନି ବୋଲି ୩ ପୁଲିସ ଅଧିକାରୀଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍।

ଗ୍ରାମବାସୀ ଓ ପୁଲିସ ବୟାନ୍‌ରେ ରହୁନି ତାଳମେଳ

ଏହି ଘଟଣାରେ ପୁଲିସର ବୟାନ୍‌ ଓ ପଳାଶପୁର ଗ୍ରାମବାସୀଙ୍କ ବୟାନ୍‌ରେ ତାଳମେଳ ରହୁନଥିବା ହୃଦୟଙ୍ଗମ କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ମାର୍ଚ୍ଚ ୨୧ ତାରିଖରେ ଗଣମାଧ୍ୟମକୁ ସୂଚନା ଦେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା କହିଥିଲେ, ମାନସ ସ୍ବାଇଁ ଫେବ୍ରୁଆରି ୬ ତାରିଖରେ ପଳାଶପୁର ଗାଁକୁ ଏକ ବିବାହ ଉତ୍ସବର ଭିଡିଓ ସୁଟିଂ ପାଇଁ ଆସିଥିବା ବେଳେ ୭ ତାରିଖ ସକାଳେ ଶର୍ମିଷ୍ଠା ଓ ତାଙ୍କର ୪ଜଣ ସହଯୋଗୀ ଗାଡ଼ିରେ ଆସି ପଳାଶପୁର-ଦିଗଛଆ ରାସ୍ତାରୁ ମାନସଙ୍କୁ ଭୁବନେଶ୍ୱର ନେଇ ଯାଇଥିଲେ। କିନ୍ତୁ ଗ୍ରାମବାସୀଙ୍କ ନିକଟରୁ ଯାହା ଜଣାପଡ଼ିଛି, ‘୬ ତାରିଖରେ ମାନସ ବିବାହ କାର୍ଯ୍ୟକ୍ରମରେ ଭିଡିଓ ସୁଟିଂ କରୁଥିବା ବେଳେ ରାତି ପ୍ରାୟ ୧୧ଟାରେ ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକଙ୍କ ସହିତ ୫ଜଣ ଲୋକ ଏକ କାର୍‌ରେ ଆସିଥିଲେ।

୨ଜଣ ମହିଳା କାରରେ ବସିଥିବା ବେଳେ ୩ଜଣ ପୁରୁଷ ଏପାଖ ସେପାଖ ହେଉଥିଲେ। ଆମେ ସେମାନଙ୍କୁ ବରଯାତ୍ରୀ ବୋଲି ଭାବିଥିଲୁ। ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ସେମାନେ ପଳାଶପୁରରେ ଥିଲେ। ସକାଳେ ୩ଜଣ ବାହାର ଲୋକ ଓ ଏଠାକାର ସାମ୍ବାଦିକଜଣକ ଜୋରଜବରଦସ୍ତ ମାନସଙ୍କୁ ଗାଡ଼ି ଭିତରକୁ ଭିଡ଼ି ନେଇଥିଲେ। ସେ ଯିବାକୁ ଅରାଜି ହେବାରୁ ଜଣେ ସ୍ତ୍ରୀ ଲୋକ ମାନସଙ୍କୁ ସେଠାରେ ଦୁଇ ଚାପୁଡ଼ା ମାରିଥିଲା। ଆମ ଫଟୋବାଲାକୁ କାହିଁକି ମାରୁଛ ବୋଲି ଗ୍ରାମବାସୀ ପ୍ରତିବାଦ କରିବାରୁ ସେହି ମହିଳାଜଣକ ମାନସ ଆମ କ୍ୟା‌ମେରା ଚୋରି କରି ଆଣିଛି ବୋଲି କହି ମାନସଙ୍କୁ ଗାଡ଼ିରେ ବସାଇ ଚମ୍ପଟ୍‌ ମାରିଥିଲେ।’ ତେବେ ସାମ୍ବାଦିକ ସମ୍ମିଳନୀରେ ପୁଲିସର ମନଗଢ଼ା କାହାଣୀ ମାମଲାକୁ ଅଧିକ ଜଟିଳ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବଧି ଦୋଳମଣ୍ଡପରୁ ବଧିପାଟଣା

ଫେବ୍ରୁଆରି ୭ ତାରିଖ ଭୋର୍‌ ୫ଟାରେ ପଳାଶପୁର ବଧି ଦୋଳମଣ୍ଡପରୁ ମାନସ ସ୍ବାଇଁଙ୍କୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଅପହରଣ କରିନେବା ପରେ ଭୁବନେଶ୍ୱର ଏୟାରଫିଲ୍‌ଡ ଥାନା ସୁନ୍ଦରପଦା-ଜଟଣୀ ରାସ୍ତାର କଣ୍ଟିଲୋ ନିକଟରେ ଥିବା ଦୟାଲ ଆଶ୍ରମରେ ହତ୍ୟା କରିଥିଲେ। ଏହାର ମାସକ ପରେ ମାର୍ଚ୍ଚ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧିପାଟଣା ପାହାଡ଼ ପାଦ‌ଦେଶ ତଳୁ ଚାନ୍ଦବାଲି ପୁଲିସ ମାନସଙ୍କ ଗଳିତ ମୃତଦେହ ଏକ ଗାତ ଭିତରୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର