ବିଜେଡିର ମାନ ଅଭିମାନ ରାଜନୀତି: ପରିବାରକୁ ସମୟ ଦେଉଛନ୍ତି ବିଧାୟକ ଜ୍ୟୋତିପ୍ରକାଶ

ଆଉ କଥା ହେବିନି: ସୁବାସିନୀ

ଖଇରା: ବାଲେଶ୍ବର ଜିଲ୍ଲା ସିମୁଳିଆ ବିଜେଡିରେ ଏବେ ମାନଅଭିମାନର ରାଜନୀତି ଦେଖିବାକୁ ମିଳିଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା। କେବଳ ସତିକି ନୁହେଁ, ନିର୍ବାଚନରେ ଦଳର ସ୍ଥିତି କ’ଣ ହେବ; ତାକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ସିମୁଳିଆ ବିଧାନସଭା ବିଜେଡି ଟିକେଟ୍‌ ଆଶାରେ ଥିଲେ ୪ ଥରର ବିଧାୟକ ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ ତଥା ଦୁଇ ଦୁଇଥରର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ସେହିପରି ଯୁବନେତା ତଥା ବିଜେଡି କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗ ରାଜ୍ୟ ସଂପାଦକ ଶଶି କୁମାର ସାହୁ ମଧ୍ୟ ପ୍ରାର୍ଥୀ ହେବା ନେଇ ଆଶା ରଖିଥିଲେ। ହେଲେ ଦଳ ମହିଳା କାର୍ଡ ଖେଳି ଶଶିଙ୍କ ପତ୍ନୀ ସୁବାସିନୀ ସାହୁଙ୍କୁ ଟିକେଟ୍‌ ଦେଲା। ବାସ୍‌, ଏହାପରେ ସିମୁଳିଆରେ ଦେଖାଦେଇଛି ମାନଅଭିମାନର ରାଜନୀତି। ଜ୍ୟୋତିପ୍ରକାଶ ନିଜ ପରିବାରକୁ ସମୟ ଦେଉଥିବା ବେଳେ ମଇଦାନରେ ପତ୍ନୀ ସୁବାସିନୀଙ୍କ ପାଇଁ ଶଶି କୁମାର ଝାଳବୁହା ପରିଶ୍ରମ କରୁଛନ୍ତି।

ଏନେଇ ଜ୍ୟୋତିପ୍ରକାଶ କହିଛନ୍ତି, ମୋ ବାପା ପର୍ଶୁରାମ ପାଣିଗ୍ରାହୀ ବିଜେଡି ଏବଂ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁଗତ ଥିଲେ। ସେ ଦୃଷ୍ଟିରୁ ମୁଁ ବିଜେଡି ଛାଡ଼ିବି ନାହିଁ। ମୋତେ ଟିକେଟ୍‌ ମିଳିନି। ଫଳରେ ମୁଁ ମୋ ପରିବାର ସହ ସମୟ ବିତାଇବାର ସୁଯୋଗ ପାଇଛି। ଆମେରିକାରେ ରହି ପାଠ ପଢୁଥିବା ଏକମାତ୍ର ପୁଅ ଶ୍ୟାମଙ୍କ କଥା ବୁଝାବୁଝି କରିବା ସହ ବାଡ଼ିବଗିଚାରେ କାମ କରୁଛି। ଜଣେ ସଚେତନ ନାଗରିକ ଭାବେ ନିର୍ବାଚନରେ ଭୋଟ୍‌ ଦେବି। ଯଦି ସୁବାସିନୀଙ୍କ ପାଖରେ ଭୋଟର, କର୍ମୀ ଓ ସମର୍ଥକ ଅଛନ୍ତି; ତେବେ ସେ ନିର୍ବାଚନ ଜିତିବେ। ଟିକେଟ୍‌ ପାଇବାର ପରଦିନ ସୁବାସିନୀ ମୋତେ ଭେଟିବା ପାଇଁ ଆସିଥିଲେ। ହେଲେ ସେଦିନ ମୁଁ ସିମୁଳିଆରେ ନଥିଲି। ତେବେ ପରେ ସେ ଆଉ ଭେଟିବାକୁ ଆସି ନାହାନ୍ତି।

ଅନ୍ୟପଟେ ସୁବାସିନୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ମୋ ଅପେକ୍ଷା ଜ୍ୟୋତିପ୍ରକାଶଙ୍କ ରାଜନୈତିକ ଅଭିଜ୍ଞତା ଅଧିକ। ସିମୁଳିଆରେ ତାଙ୍କର ଭୋଟ୍‌ ନଥିଲା କି ମୋର ଭୋଟ୍‌ ନାହିଁ। ସବୁ ଭୋଟ୍‌ ବିଜେଡିର, ଶଙ୍ଖ ଚିହ୍ନର। ଟିକେଟ୍‌ ପାଇବା ପରେ ମୁଁ ଜ୍ୟୋତିପ୍ରକାଶଙ୍କୁ ଦୁଇ ଦୁଇଥର ଭେଟିବାକୁ ଯାଇଛି। ହେଲେ ସେ ଭେଟୁ ନାହାନ୍ତି। ମୁଁ ତାଙ୍କୁ ବାରମ୍ବାର ଫୋନ୍‌ କରିଛି। କୌଣସି ଜବାବ ଦେଇ ନାହାନ୍ତି। ତେଣୁ ଭବିଷ୍ୟତରେ ଜ୍ୟୋତିପ୍ରକାଶଙ୍କ ପାଖକୁ ଆଉ ଯିବି ନାହିଁ କି ତାଙ୍କୁ ଫୋନ୍‌ କରିବି ନାହିଁ। ତେବେ ସିମୁଳିଆରେ ଜ୍ୟୋତିପ୍ରକାଶ ଓ ସୁବାସିନୀଙ୍କ ମଧ୍ୟରେ ଚାଲିଥିବା ଏହି ମାନଅଭିମାନର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା ଦେଖିବାକୁ ମିଳିଛି। କାରଣ ଦଳର ଜଣେ ବିଧାୟକ ନିର୍ବାଚନ ବେଳେ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଛନ୍ତି। ସେହିପରି ଟିକେଟ୍‌ ପାଇଥିବା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କି କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି।

ସମ୍ବନ୍ଧିତ ଖବର