ପିତ୍ରୋଡ଼ାଙ୍କ ବୟାନକୁ ନେଇ ଝଡ଼

ପିତ୍ରୋଡ଼ାଙ୍କୁ ଘେରିଲା ବିଜେପି, ବିବାଦ ପରେ ପଦ ଛାଡ଼ିଲେ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିତ୍ରୋଡ଼ା ଭାରତର ବିଭିନ୍ନ ଅଞ୍ଚଳର ଲୋକଙ୍କ ବର୍ଣ୍ଣକୁ ନେଇ ଦେଇଥିବା ବିବାଦୀୟ ବୟାନ ଝଡ଼ ସୃଷ୍ଟି କରିଛି। ଏକ ସାକ୍ଷାତକାରରେ ପିତ୍ରୋଡ଼ା କହିଛନ୍ତି ଯେ ଭାରତ ଏଭଳି ଏକ ବିବିଧତା ଭରା ରାଷ୍ଟ୍ର ଯେଉଁଠାରେ ପୂର୍ବ ଭାରତରେ ଲୋକମାନେ ଚାଇନିଜ୍‌ ତଥା ଚୀନୀ ପରି ଦେଖାଯାଆନ୍ତି, ପଶ୍ଚିମରେ ଲୋକମାନେ ଆରବ ରାଷ୍ଟ୍ରର ଲୋକଙ୍କ ଭଳି ହୋଇଥିବା ବେଳେ ଉତ୍ତର ଭାରତର ଲୋକମାନେ ଶ୍ବେତାଙ୍ଗ ଏବଂ ଦକ୍ଷିଣ ଭାରତର ବାସିନ୍ଦା ଆଫ୍ରିକୀୟ ଭଳି ଲାଗନ୍ତି। ପିତ୍ରୋଡ଼ାଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କୁ ଚାରିଆଡ଼ୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। କଂଗ୍ରେସ ଦଳ ପିତ୍ରୋଡ଼ାଙ୍କର ଏଭଳି ବିବାଦୀୟ ଟିପ୍ପଣୀଠାରୁ ଦୂରେଇ ରହିଛି। ଅନ୍ୟପକ୍ଷରେ ବିଜେପି ଏହାର ତୀବ୍ର ବିରୋଧ କରିଛି।

ଦଳର ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ପିତ୍ରୋଡ଼ାଙ୍କ ଟିପ୍ପଣୀ ଦେଶର ମୌଳିକ ପରିଚୟ ପ୍ରତି ତାଙ୍କର ଅଜ୍ଞତା‌ ଏବଂ ଅବମାନନାକୁ ଦର୍ଶାଉଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ପିତ୍ରୋଡ଼ାଙ୍କ ଟିପ୍ପଣୀକୁ କଡ଼ା ବିରୋଧ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ଶର୍ମା କହିଛନ୍ତି, ‘ସାମ୍‌ ଭାଇ, ମୁଁ ଉତ୍ତରପୂର୍ବର ଏବଂ ମୁଁ ଭାରତୀୟ ପରି ଦିଶୁଛି। ଆମର ବିବିଧ ରାଷ୍ଟ୍ର , ଆମେ ଭିନ୍ନ‌ ଦେଖାଯାଉଥାଇପାରୁ। କିନ୍ତୁ ଆମେ ସମସ୍ତେ ଏକ। ଆମ ଦେଶ ବିଷୟରେ ଜ୍ଞାନ ରହିବା ଆବଶ୍ୟକ। ବୀରେନ ସିଂହ କହିଛନ୍ତି, ଉତ୍ତରପୂର୍ବ ଲୋକଙ୍କ ବିରୋଧରେ ସାମ୍‌ ପିତ୍ରୋଡ଼ାଙ୍କ ବର୍ଣ୍ଣଭେଦ ଟିପ୍ପଣୀକୁ ମୁଁ କଡ଼ା ନିନ୍ଦା କରୁଛି। କଂଗ୍ରେସ ସର୍ବଦା ବିଭାଜନ ନୀତି ଆଧାରରେ ଦେଶରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ଉତ୍ତରପୂର୍ବ ବି ଭାରତର ଏକ ଅଂଶ ଏବଂ ସର୍ବଦା ଭାରତର ଅଂଶ ହୋଇ ରହିବ। ଭାରତୀୟ ବିବିଧତାରେ ଏଭଳି କଥାକୁ ଗ୍ରହଣ କରିହେବନି। ପିତ୍ରୋଡ଼ା ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ବୋଲି ସିଂହ କହିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ ଏକ୍ସ‌ରେ ଏକ ପୋଷ୍ଟ୍‌ କରି କହିଛନ୍ତି. ସାମ ପିତ୍ରୋଡ଼ାଙ୍କର ଏଭଳି ଟିପ୍ପଣୀ ଅଗ୍ରହଣୀୟ ଏବଂ ଦଳ ଏହି ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖୁଛି। ଏହାକୁ ବିଜେପି ଅତିରଞ୍ଜିତ କରି ପରିବେଷଣ କରୁଛି। ବୋଲି ସେ କହିଛନ୍ତି। ତେବେ ପିତ୍ରୋଡ଼ାଙ୍କ ବୟାନକୁ ନେଇ ଦଳ ଭିତରେ ବି ଅସନ୍ତୋଷ ବଢ଼ିବାରେ ଲାଗିଛି। ପୂର୍ବରୁ ଉତ୍ତରାଧିକାର ଟିକସ ବୟାନ ଦେଇ ପିତ୍ରୋଡ଼ା ଦଳର ଅଡ଼ୁଆ ବଢ଼ାଇଥିବା ବେଳେ ଆଜି ପୁଣି ବର୍ଣ୍ଣଭେଦ କଥା କହି ନିର୍ବାଚନ ସମୟରେ ଜଟିଳ ସ୍ଥିତି ସୃଷ୍ଟି କରିଛନ୍ତି। ବୟାନକୁ ନେଇ ବିଭାଦ ବଢ଼ିବା ପରେ ଆଜି ଅପରାହ୍ନରେ ସାମ୍‌ ପିତ୍ରୋଡ଼ା ତାଙ୍କ ପଦ ଛାଡ଼ି ଦେଇଛନ୍ତି। ଲୋକସଭା ନିର୍ବାଚନ ମଧ୍ୟ‌ରେ ପିତ୍ରୋଡ଼ାଙ୍କ ବର୍ଣ୍ଣଭେଦ ଟିପ୍ପଣୀକୁ ନେଇ ବଡ଼ ଧରଣର ରାଜନୈତିକ ବିବାଦ ସୃଷ୍ଟି ହେବାରୁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପିତ୍ରୋଡ଼ାଙ୍କ ଟିପ୍ପଣୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଲିରେ କଡ଼ା ନିନ୍ଦା କରିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ପିତ୍ରୋଡ଼ାଙ୍କୁ ସାଂଘାତିକ ସମାଲୋଚନା କରାଯାଉଛି।

ସମ୍ବନ୍ଧିତ ଖବର