୪୫ ମିନିଟ୍‌ରେ ଜିତିଲା ହାଇଦ୍ରାବାଦ

ହାଇଦ୍ରାବାଦ: ଅଭିଷେକ ଶର୍ମା ଓ ଟ୍ରାଭିସ୍‌ ହେଡ୍‌ଙ୍କ ଆଉ ଏକ ବିଧ୍ବଂସୀ ଭାଗୀଦାରି ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଏକତରଫା ଭାବେ ୧୦ ୱିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏଲ୍‌ଏସ୍‌ଜି ପକ୍ଷରୁ ଦିଆଯାଇଥିବା ୧୬୬ ରନ୍‌ର ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର ୯.୪ ଓଭରରେ ବିନା କୌଣସି ୱିକେଟ୍‌ ହରାଇ ଜିତି ନେଇଛି। ଏହାଫଳରେ ହାଇଦ୍ରାବାଦ୍‌ ଦ୍ବାଦଶ ମ୍ୟାଚ୍‌ରୁ ସପ୍ତମ ବିଜୟ ସହ ୧୪ ପଏଣ୍ଟ୍‌ ପାଇ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉଠିଛି। ଫଳରେ ଦଳର ପ୍ଲେ ଅଫ୍‌ ଆଶା ଅଧିକ ଦୃଢ଼ ହୋଇଛି। ଅନ୍ୟପକ୍ଷରେ ଏଲ୍‌ଏସ୍‌ଜି ସମାନ ସଂଖ୍ୟକ ମ୍ୟାଚ୍‌ରୁ ୬ଲେଖାଏଁ ବିଜୟ-ପରାଜୟ ପାଇ ୧୨ ପଏଣ୍ଟ୍‌ରେ ଷଷ୍ଠ ସ୍ଥାନରେ ରହିଛି।

ପ୍ରଥମରୁ ବିସ୍ଫୋରକ ଖେଳୁଥିବା ହେଡ୍‌-ଅଭିଷେକ ପ୍ରଥମ ୬ ଓଭର୍‌ରେ ୧୦୭ ରନ୍‌ ସଂଗ୍ରହ କରି ଆଇପିଏଲ୍‌ରେ ଦ୍ବିତୀୟ ସର୍ବୋଚ୍ଚ ପାୱାର୍‌ ପ୍ଲେ ସ୍କୋର୍‌ କରିଥିଲା। ହେଡ୍‌ ୧୬ ବଲ୍‌ରୁ ଓ ଅଭିଷେକ ୧୯ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ମାତ୍ର ୫୦ ବଲ୍‌ରୁ ଦଳ ୧୫୦ ରନ୍‌ ଅତିକ୍ରମ କରିଥିଲା ବେଳେ ପାଖାପାଖି ୪୫ ମିନିଟ୍‌ ଭିତରେ ଖେଳ ଖତମ କରିଦେଇଥିଲେ ଅଭିଷେକ-ଟ୍ରାଭିସ୍। ଏହି ପାଳିରେ ୧୬ଚୌକା ଓ ୧୪ଛକା ସାମିଲ୍‌ଥିଲା। ଅର୍ଥାତ୍‌ କେବଳ ବାଉଣ୍ଡରିରୁ ୧୪୮ ରନ୍‌ ଆସିଥିଲା। ଏହାମଧ୍ୟରେ ବାଉଣ୍ଡରିରୁ ହେଡ୍‌ ୮୦ (୮ଚୌକା, ୮ଛକା) ଓ ଅଭିଷେକ ୬୮ (୮ଚୌକା, ୬ଛକା) ରନ୍‌ ସଂଗ୍ରହ କରିଥିଲେ। ଖେଳ ଶେଷ ହେବା ବେଳକୁ ହେଡ୍‌ ୮୯* (୩୦ବଲ୍‌) ଓ ଅଭ‌ିଷେକ ୭୫* (୨୮ ବଲ୍‌) ରନ୍‌ ସଂଗ୍ରହ କରି ଅପରାଜିତ ଥିଲେ।

ଏଥିପୂର୍ବରୁ ବିପର୍ଯ୍ୟୟରେ ପଡ଼ିଥିବା ଏଲ୍‌ଏସ୍‌ଜିକୁ ଏକ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ ୱେଷ୍ଟଇଣ୍ଡିଜ୍‌ ଖେଳାଳି ନିକୋଲାସ ପୂରନ୍‌ ଓ ଭାରତୀୟ ଯୁବ ବ୍ୟାଟର୍‌ ଆୟୁଷ ବଡ଼ୋନି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍‌ ଜିତି କେଏଲ୍‌ ରାହୁଲ୍‌ ବ୍ୟାଟିଂ କରିଥିଲେ ମଧ୍ୟ ସବୁକିଛି ଯୋଜନା ବିପକ୍ଷରେ ଯାଇଥିଲା। ଆରମ୍ଭରୁ ବ୍ୟାଟର୍‌ମାନେ ହାତଖୋଲା ସଟ୍‌ ଖେଳିପାରୁ ନଥିଲା ବେଳେ ତୃତୀୟ ଓଭରରେ କ୍ବିଣ୍ଟନ ଡିକକ୍‌ (୨) ଓ ପଞ୍ଚମ ଓଭରରେ ମାର୍କସ ଷ୍ଟୋଇନିସ୍‌ (୩) ଆଉଟ୍‌ ହୋଇଥିଲେ। ଉଭୟଙ୍କୁ ଭୁବନେଶ୍ବର କୁମାର ଆଉଟ୍‌ କରିଥିଲେ। ଡିକକ୍‌ଙ୍କୁ ବାଉଣ୍ଡରି ପାଖରେ ନିତିଶ କୁମାର ରେଡ୍ଡୀ ଏକ ନିୟନ୍ତ୍ରିତ କ୍ୟାଚ୍‌ ନେବା ଅନ୍ୟତମ ଆକର୍ଷଣ ହୋଇଥିଲା। ଏପରିକି ଦଶମ ଓଭରରେ କେଏଲ୍‌ ରାହୁଲ୍‌ (୨୯) ଆଉଟ୍‌ ହେବା ବେଳକୁ ଦଳ ୫୭ ରନ୍‌ କରିଥିଲା। ରାହୁଲ୍‌ଙ୍କୁ ତାଙ୍କ ଜନ୍ମଦିନରେ ପ୍ରତିପକ୍ଷ ଅଧିନାୟକ ପ୍ୟାଟ୍‌ କମିନ୍ସ ଆଉଟ୍‌ କରିଥିଲେ। ଦୁଇଟି ଛକା ମାରି ଏଲ୍‌ଏସ୍‌ଜି ଶିବିରରେ ଉତ୍ସାହ ଭରିଥିବା କ୍ରୁନାଲ ପାଣ୍ଡ୍ୟାଙ୍କୁ କମିନ୍ସ ରନ୍‌ଆଉଟ୍‌ କରିବାରୁ ୬୬ ରନ୍‌ ମଧ୍ୟରେ ଦଳ ୪ ୱିକେଟ୍‌ ହରାଇସାରିଥିଲା। କିନ୍ତୁ ପୂରନ୍‌ ଓ ବଡ଼ୋନି ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୫୨ ବଲ୍‌ରୁ ୯୯* ରନ୍‌ ଭାଗୀଦାରି କରି ଦଳକୁ ୧୬୫/୪ରେ ପହଞ୍ଚାଇଥିଲେ। ପୂରନ ୨୬ ବଲ୍‌ରୁ ୪୮* ରନ୍‌ (୬ଚୌକା, ୧ଛକା) ଓ ବଡ଼ୋନି ୩୦ ବଲ୍‌ରୁ ୫୫* ରନ୍‌ (୯ଚୌକା) ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।

ସଂକ୍ଷିପ୍ତ ସ୍କୋର: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨୦ ଓଭରରେ ୧୬୫/୪ (ଆୟୁଷ ବଡ଼ୋନି-୫୫*, ନିକୋଲାସ ପୂରନ-୪୮*, କେଏଲ୍‌ ରାହୁଲ-୨୯, ଭୁବନେଶ୍ବର କୁମାର-୨/୧୨, ପ୍ୟାଟ୍‌ କମିନ୍ସ-୧/୪୭)। ସନରାଇଜର୍ସ ହାଇଦ୍ରାବାଦ ୯.୪ ଓଭରରେ ୧୬୭/୦ (ଟ୍ରାଭିସ୍‌ ହେଡ୍‌-୮୯*, ଅଭିଷେକ ଶର୍ମା-୭୫*)।

ସମ୍ବନ୍ଧିତ ଖବର