କୋଚିଂ ପାଇଁ ଟଙ୍କା ଦେଇ ଛାତ୍ରଛାତ୍ରୀ ହତାଶ, ସିପିଙ୍କୁ ଭେଟିଲା ଅଭିଭାବକ ସଂଘ

ଭୁବନେଶ୍ୱର: ବିଭିନ୍ନ କମ୍ପିଟେଟିଭ୍‌ କୋଚିଂ ପାଇଁ ଟଙ୍କା ଦେଇ ଛାତ୍ରଛାତ୍ରୀ ହତାଶ ହେବା ଘଟଣା ନୂଆ ମୋଡ଼ ନେଇଛି। ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଓଡ଼ିଶା ଅଭିଭାବକ ମହାସଂଘ ପୁଲିସ କମିସନର୍‌ଙ୍କୁ ଭେଟିଛି। ବିଭିନ୍ନ କୋଚିଂ ସେଣ୍ଟର ଉପରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି। କେବଳ ଏହି ଗୋଟିଏ ଅନୁଷ୍ଠାନ ନୁହେଁ ଏଭଳି ଏକାଧିକ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ କୋଚିଂ ନାମରେ ଲୁଟ୍‌ କରୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି। ଏ ନେଇ ଆଗକୁ ଆନ୍ଦୋଳନ ବ୍ୟାପକ ହେବା ସହ ସମଗ୍ର ରାଜ୍ୟରେ ଏଭଳି କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ‌ ବୋଲି ସଂଘ କହିଛି। ତେବେ ଅଭିଯୋଗକୁ ଗୁରୁତ୍ବର ସହ ନିଆଯାଇଛି ବୋଲି ପୁଲିସ କମିସନର କହିଛନ୍ତି।

ସୂଚନା ମୁତାବକ, ସହିଦ ନଗରରେ ଥିବା କ୍ୟାରିୟର ପାୱାର ନାମକ ଏକ ସଂସ୍ଥାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ଅଢେଇ ଶହ ଛାତ୍ରଛାତ୍ରୀ ୧୦ ହଜାର ଟଙ୍କା ଲେଖାଏଁ ଦେଇ ନାମ ଲେଖାଇଥିଲେ। ଦୁଇଦିନ କ୍ଲାସ୍‌ କରିବା ପରେ ଅନୁଷ୍ଠାନରେ ତାଲା ପକାଇ ମାଲିକ ଫେରାର ହୋଇଯାଇଥିଲା। ଦୀର୍ଘ ଦିନ ଦଉଡ଼ିବା ପରେ ହତାଶ ହୋଇ ଗତ ୪ ତାରିଖ ଦିନ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସହିଦ ନଗର ଥାନାରେ ଏତଲା ଦେଇଥିଲେ। ଏମାନଙ୍କ ପାଖରୁ ପାଖାପାଖି ୨୫ ଲକ୍ଷ ଟଙ୍କା ଧରି ମାଲିକ ଦୁବାଇ ଫେରାର ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଉକ୍ତ ସଂସ୍ଥା ବ୍ୟାଙ୍କିଙ୍ଗ୍‌, ଏସ୍‌ଏସ୍‌ସି ଓ ରେଳବାଇ ପ୍ରଭୃତିରେ ଚାକିରି କରିବା ପାଇଁ ପ୍ରବେଶିକା ପରୀକ୍ଷାରେ ଭଲ କୋଚିଂ ଦେଉଥିବା ନେଇ ବିଜ୍ଞାପନ କରିଥିବାରୁ ଏହି ସବୁ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଥିଲେ। ସେହିଭଳି ଆଉ ଏକ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ ନାମରେ ମଧ୍ୟ ଅଭିଯୋଗ ଆସିଥିଲା। ବାଲେଶ୍ବରର ସ୍ବସ୍ତିକ ନାୟକ ଏପରି ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର