ପ୍ରଥମ ରୋଗୀକୁ ଚିକିତ୍ସା କରିବାର ଅନୁଭୂତି ନିଆରା
ରୋଗ ଯେତେ ମାରାତ୍ମକ ହେଉ ନା କାହିଁକି, ରୋଗୀଙ୍କୁ ହତାଦର ନ କରି ଭଲ ଭାବେ ଚିକିତ୍ସା କରିବା ପାଇଁ ମୁଁ ସଦାସର୍ବଦା ପ୍ରତିଜ୍ଞାବଦ୍ଧ। ସେ ଦୃଷ୍ଟିରୁ ମୁଁ ନିର୍ଭୟର ସହ ଓଡ଼ିଶାର ପ୍ରଥମ କରୋନା ରୋଗୀକୁ ଚିକିତ୍ସା କରିଥିଲି। ତେଣୁ ସେ ଅନୁଭୂତି ନିଶ୍ଚିତ ଭାବେ ନିଆରା। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରୋଗୀର ମାନସିକ ସ୍ଥିତି ଠିକ୍ ନ ଥିଲା। ସେ ସମୟରେ ମୁଁ ତାକୁ ଧରିଧରି ଭିତରକୁ ନେଇଛି। କାରଣ ମୁଁ ଜାଣିଛି, ମନୋବଳ ଭାଙ୍ଗିଗଲେ ରୋଗୀକୁ ରୋଗ ଗ୍ରାସ କରିଦିଏ। କିନ୍ତୁ ଯଦି ମନୋବଳ ଦୃଢ଼ ଥାଏ, ରୋଗୀର ରୋଗ ଓ କଷ୍ଟ ଅନେକାଂଶରେ ଲାଘବ ହୋଇଯାଏ। ମୁଁ ଆଦୌ ଭୟଭୀତ ନହୋଇ ଈଶ୍ବରଙ୍କୁ ସ୍ମରଣ କରି ପାଖାପାଖି ୫ ହଜାର ରୋଗୀଙ୍କୁ ଚିକିତ୍ସା କରିଛି ଏବଂ ସମସ୍ତେ ସୁସ୍ଥ ମଧ୍ୟ ହୋଇଛନ୍ତି। ବହୁତ ରୋଗୀଙ୍କ ସଂସ୍ପର୍ଶରେ ଆସିଛି, ହେଲେ ମୁଁ ସଂକ୍ରମିତ ହୋଇନାହିଁ। ଏହା ଈଶ୍ବରଙ୍କ ମୋ ପ୍ରତି ଥିବା ଆଶୀର୍ବାଦ ବୋଲି ମୁଁ କହିବି।
Sambad is now on WhatsApp
Join and get latest news updates delivered to you via WhatsApp
-ଡା. ସୁଦାମ ଚନ୍ଦ୍ର ସାହୁ, ବରିଷ୍ଠ ଯକ୍ଷ୍ମାରୋଗ ବିଶେଷଜ୍ଞ, କ୍ୟାପିଟାଲ ହସ୍ପିଟାଲ
୫ ଘଣ୍ଟା ପିପିଇ କିଟ୍ ପିନ୍ଧି ଚିକିତ୍ସା କରିବା ଖୁବ୍ କଷ୍ଟକର ଥିଲା
ସେ ସମୟ ଖୁବ୍ ଆହ୍ବାନଭରା ଥିଲା। ବିଶେଷକରି ଲଗାତାର ୫ଘଣ୍ଟା ଧରି ପିପିଇ କିଟ୍ ପିନ୍ଧି ରୋଗୀଙ୍କୁ ଚିକିତ୍ସା କରିବା ଖୁବ୍ କଷ୍ଟକର ଥିଲା। ଆଖିରେ କରୋନା ପ୍ରତିରୋଧୀ ଗଗଲ୍ସ ପିନ୍ଧି ଅସ୍ତ୍ରୋପଚାର କରିବାବେଳେ ଅନେକ ସମୟରେ କିଛି ବି ଦେଖା ଯାଉନଥିଲା। ଅଣନିଃଶ୍ବାସୀ ମଧ୍ୟ ହୋଇପଡ଼ୁଥିଲୁ। ବଡ଼ କଥା ହେଉଛି, ସାଧାରଣତଃ ହୃଦ୍ରୋଗୀମାନେ ଗୁରୁତର ଅବସ୍ଥାରେ ଆସିଥାଆନ୍ତି। ତେଣୁ ତାଙ୍କୁ ତ୍ବରିତ ସେବା ଯୋଗାଇଦେବା ପାଇଁ ଯେଉଁଭଳି କଷ୍ଟ କରିବାକୁ ପଡ଼ୁଥିଲା, ତାହା କେବେ ବି ଭୁଲି ହେବ ନାହିଁ। ହସ୍ପିଟାଲରୁ ଫେରିବା ପରେ ଘରେ ବି ସେତିକି ସାବଧାନତା ଅବଲମ୍ବନ କରିବାକୁ ପଡ଼ୁଥିଲା। ଆଇସୋଲେସନ୍ରେ ରହିବାକୁ ପଡ଼ୁଥିଲା। ପାଖରେ ବାପା, ମା’ ରହୁଥିବାରୁ ସେମାନେ ଯେମିତି ସଂକ୍ରମିତ ନ ହେବେ, ସେଥିପ୍ରତି ବି ଧ୍ୟାନ ରଖୁଥିଲି। କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ପରେ ପ୍ରତ୍ୟେକଥର ନିଜର ପରୀକ୍ଷା କରାଇଛି, କିନ୍ତୁ କୌଣସି ଥର ରିପୋର୍ଟ ପଜିଟିଭ୍ ଆସିନାହିଁ।
-ଡା. ଦିବ୍ୟରଞ୍ଜନ ବେହେରା, ହୃଦ୍ରୋଗ ବିଶେଷଜ୍ଞ, ଏମ୍ସ
ଘରଲୋକ ଡରି ଯାଇଥିଲେ
ଗତବର୍ଷ ମାର୍ଚ୍ଚରେ ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଗୋଟେ ପ୍ରକାର ଆତଙ୍କ ଖେଳି ଯାଇଥିଲା। ସାଧାରଣରେ ଏମିତି ଗୋଟିଏ ଧାରଣା ଜନ୍ମ ନେଇଥିଲା ଯେ ଯାହାକୁ କରୋନା ହେବ, ତା’ର ମୃତ୍ୟୁ ସୁନିଶ୍ଚିତ। ସେହି ସମୟରେ ତତ୍କ୍ଷଣାତ ଏମ୍ସରେ କରୋନା ୱାର୍ଡ ଆରମ୍ଭ ହୋଇଗଲା ଏବଂ ଆରମ୍ଭରୁ ମୋର ଡ୍ୟୁଟି ପଡ଼ିଲା। ତେଣୁ ଘରଲୋକ ପ୍ରଥମେ ଡରି ଯାଇଥିଲେ। କିନ୍ତୁ ଜଣେ ସେବିକା ହିସାବରେ ରୋଗୀଙ୍କ ଜୀବନରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ। ତେଣୁ ଡ୍ୟୁଟିରେ ଅବହେଳା କରିନଥିଲି। କିନ୍ତୁ ମୋ ପାଇଁ ଯେପରି ମୋ’ ଘରଲୋକ ସଂକ୍ରମିତ ନ ହେବେ, ସେଥିପାଇଁ ପ୍ରତିଷେଧକ ଗ୍ରହଣ କରୁଥିଲି। ଘରକୁ ଫେରିବା ପରେ ପ୍ରଥମେ ପୋଷାକକୁ ଗରମ ପାଣିରେ ସଫା କରୁଥିଲି ଏବଂ ସମସ୍ତଙ୍କଠାରୁ ଅଲଗା ରହୁଥିଲି। କିନ୍ତୁ ଭଡ଼ାରେ ରହୁଥିବା କିଛି ସହକର୍ମୀଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଥିଲା। ଘର ମାଲିକ ସେମାନଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରିଥିଲେ। କିନ୍ତୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
-ବନ୍ଦନା ସାହୁ, ସିନିୟର ନର୍ସିଂ ଅଫିସର୍, ଏମ୍ସ
କରୋନା କାଳରେ ସେବାର ସୁଯୋଗ ପାଇ ଭାଗ୍ୟବାନ
ମୋର ସୌଭାଗ୍ୟ ଯେ କରୋନା କାଳରେ ମୋତେ ରୋଗୀ ସେବା କରିବା ପାଇଁ ସୁଯୋଗ ମିଳିଲା। ହସ୍ପିଟାଲ୍ ପକ୍ଷରୁ ଆମକୁ ସବୁ ପ୍ରକାର ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଥିଲା। ମନୋବଳ ଦୃଢ଼ କରିବା ପାଇଁ ବରିଷ୍ଠ ଅଧିକାରୀମାନେ ବି ଆମ ସହ ନିୟମିତ ଆଲୋଚନା କରୁଥିଲେ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଆମ ସେବାକାର୍ଯ୍ୟକୁ ପ୍ରଶଂସା କରି ଆମ ସାହସ ବଢ଼ାଉଥିଲେ। ତେବେ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ବେଳେ ମୁଁ ବି କରୋନାରେ ସଂକ୍ରମିତ ହୋଇଥିଲି। ସାମାନ୍ୟ ସଚେତନତା ଅଭାବରୁ ମୋତେ ଆକ୍ରାନ୍ତ ହେବାକୁ ପଡ଼ିଥିଲା। କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ଶୀଘ୍ର ସୁସ୍ଥ ହୋଇ ପୁଣି ରୋଗୀ ସେବାରେ ଯୋଗ ଦେଲି। ପରବର୍ତ୍ତୀ ସମୟରେ ମୋତେ ଆଉ କରୋନା ହୋଇନାହିଁ। ଟିକା ନେଇଛି, ମାତ୍ର ମୋ ମତରେ ଟିକା ନେବା ପରେ ବି ସତର୍କ ରହିବାକୁ ହେବ। ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ ମାନିଲେ, କରୋନା ଆମ ପାଖ ମାଡ଼ିବ ନାହିଁ।
-ପ୍ରେମଲତା ସ୍ବାଇଁ, ନର୍ସ, କିମ୍ସ ହସ୍ପିଟାଲ
ଆଉ ସେ ସମୟ ଦେଖିବାକୁ ନ ପଡ଼ୁ
କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ..।’ କରୋନା କାଳରେ ମୁଁ ଏହାକୁ ଅଙ୍ଗେ ନିଭାଇଛି। କରୋନାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଥିବା ବେଳେ ଆମକୁ ଭୟ କରିବାର ବି ସୁଯୋଗ ନଥିଲା। ବହୁ କରୋନା ରୋଗୀଙ୍କ ସେବା କରିଥିଲେ ହେଁ ଭଗବାନଙ୍କ ଦୟାରୁ ମୁଁ କେବେ ବି ଆକ୍ରାନ୍ତ ହୋଇ ନଥିଲି। ଭୂତାଣୁ ମୋ ଶରୀରକୁ ଭେଦ କରିପାରି ନଥିଲା। ବର୍ତ୍ତମାନ ଟିକା ନେବା ପରେ ଟିକେ ଆଶ୍ବସ୍ତ ଲାଗୁଛି। ଏବେ ଧୀରେଧୀରେ ପରିସ୍ଥିତି ସୁଧୁରୁଛି, ମାତ୍ର ଆମକୁ ଯତ୍ନବାନ ହେବାକୁ ପଡ଼ିବ। ଘରେ ଥିବା ଶିଶୁ ଓ ବୃଦ୍ଧମାନଙ୍କ ସ୍ବତନ୍ତ୍ର ଯତ୍ନ ନେବାକୁ ହେବ। ସୁଷମ ଖାଦ୍ୟ ଖାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। କିନ୍ତୁ ଭଗବାନଙ୍କୁ ପ୍ରାର୍ଥନା, ପୂରା ବିଶ୍ବକୁ ଆଉ ସେ ସମୟ ଦେଖିବାକୁ ନ ପଡ଼ୁ।
-ଶୁଭଲକ୍ଷ୍ମୀ ଚୌଧରୀ, ନର୍ସ, କିମ୍ସ ହସ୍ପିଟାଲ
ଭୁକ୍ତଭୋଗୀ, ତେଣୁ ଏବେ ବି ସାବଧାନ ରହୁଛି
କୋଭିଡ୍ ହସ୍ପିଟାଲ୍ରେ ରୋଗୀଙ୍କୁ ଚିକିତ୍ସା ବେଳେ ମୁଁ କରୋନା ଆକ୍ରାନ୍ତ ହୋଇଥିଲି। କିଛି ଦିନ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ପୁଣି ରୋଗୀସେବା କରିଥିଲି। ଏବେ ଟିକା ନେଇ ସାରିଲିଣି। ତଥାପି ସାବଧାନତା ଅବଲମ୍ବନ କରିବାରେ କୌଣସି ହେଳା କରୁନାହିଁ। ଆଶା କରୁଛି, ପୂରା ଟିକାକରଣ ପ୍ରକ୍ରିୟା ସମାପ୍ତ ନ ହେବା ପର୍ଯ୍ୟନ୍ତ ସମସ୍ତେ ସଚେତନ ଓ ସାବଧାନ ରହିବେ। ତେବେ ୨୦୨୦ ଏମିତି ଖରାପ ବିତିବ, କେବେ ବି ଆଶା କରିନଥିଲି। ସେଦିନଗୁଡ଼ିକର ସ୍ମୃତିକୁ ଏବେ ମନେ ପକାଇବାକୁ ବି ଇଚ୍ଛା ନାହିଁ। ନିଜ ପ୍ରୟଜନଙ୍କୁ ହରାଇ ଅନେକ ପରିବାର ଦୁଃଖରେ ଭାଙ୍ଗି ପଡ଼ୁଥିଲେ। ଏପରିକି ଗାଇଡ୍ଲାଇନ୍ ଦୃଷ୍ଟିରୁ ଶବକୁ ବି ସେମାନଙ୍କ ପରିବାର ଲୋକଙ୍କୁ ଦିଆଯାଉ ନଥିଲା। ତା’ଠାରୁ ବା ବଳି ଦୁଃଖ କ’ଣ ହୋଇପାରେ। ଭଗବାନ୍ ସେହିସବୁ ପରିବାର ପ୍ରତି ସହାୟ ହୁଅନ୍ତୁ। ଆଶା କରେ, ଏମିତିଆ ମହାମାରୀ ଆମ ଦେଶରେ ଆଉ ପ୍ରବେଶ ନକରୁ। ଯାହା ବି ରହିଛି, ତାହା ଧୀରେଧୀରେ ମୂଳପୋଛ ହୋଇଯାଉ।
-ଡା. ପ୍ରଣବ ମହାପାତ୍ର, ଡାକ୍ତର, କିମ୍ସ ହସ୍ପିଟାଲ
କିଟ୍ ପିନ୍ଧି ସେବା କଲାବେଳେ ଅଣନିଶ୍ବାସୀ ହୋଇଯାଉଥିଲି
ବାହାର ରାଜ୍ୟରେ ନର୍ସମାନଙ୍କ ଦେହାନ୍ତ ଖବର ଶୁଣି ମନରେ ବହୁତ ଭୟ ଥିଲା। ତେବେ ରୋଗୀସେବା ଏକ ସାମାଜିକ ଦାୟିତ୍ବ ବୋଲି ଭାବି କରିବାକୁ ପଡ଼ୁଥିଲା। ପିପିଇ କିଟ୍ ପିନ୍ଧି ୮ ଘଣ୍ଟା ରହିବା ସବୁଠାରୁ ବେଶି କଷ୍ଟକର ଥିଲା। ସମ୍ପୂର୍ଣ୍ଣ ଶରୀର ପିପିଇ କିଟ୍ରେ ଆବଦ୍ଧ ହୋଇ ରହୁଥିବାରୁ ସମୟେ ସମେୟ ଅଣନିଶ୍ବାସୀ ମଧ୍ୟ ହୋଇଯାଉଥିଲି। କିନ୍ତୁ ଗୁରୁତର ରୋଗୀମାନଙ୍କ ଯନ୍ତ୍ରଣା ଆଗରେ ମୋ କଷ୍ଟ କିଛି ବି ନଥିଲା। ଅପରପକ୍ଷେ ନୂଆ ଚିକିତ୍ସା ପଦ୍ଧତି ଯୋଗୁଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥିଲା। ମୋଟାମୋଟି ଭାବେ କହିବାକୁ ଗଲେ, ଏହା ମୋ ଜୀବନର ଗୋଟେ ସ୍ବତନ୍ତ୍ର ଅନୁଭୂତି ଥିଲା।
-କଳ୍ପନାମୟୀ ସାମଲ, ନର୍ସ, ସମ୍ କୋଭିଡ୍ ହସ୍ପିଟାଲ
ସେ ସମୟର ଅନୁଭୂତି ବହୁତ ଭୟଙ୍କର ଥିଲା
କରୋନା ଜନିତ ଲକ୍ଡାଉନ୍ ଯୋଗୁଁ ସବୁଆଡ଼ ଶୂନ୍ଶାନ୍ ହୋଇଯାଇଥିଲା। ଲୋକଙ୍କୁ ଭୟ ଏମିତି ଘାରିଥିଲା ଯେ କେହି ବି ପଦାକୁ ବାହାରକୁ ଆସିବାକୁ ଚାହୁ ନଥିଲେ। ତେଣୁ ସେ ସମୟରେ ବୁଝି ପାରୁନଥିଲୁ ଯେ କ’ଣ କରିବୁ। ତେବେ କରୋନାକୁ ଡରି ଘରେ ରହିଲେ ଦରମା ଗଣ୍ଡାକ ମିଳିବ ନାହିଁ। ଆଉ ଘରୁ ଗୋଡ଼ କାଢ଼ିଲେ କରୋନା ଗ୍ରାସିବାର ଡର ଥିଲା। ମୋ ଘରେ ଛୋଟ ଛୁଆ ଥିବାରୁ ମୁଁ ବେଶି ଚିନ୍ତାରେ ପଡ଼ି ଯାଇଥିଲି। କିନ୍ତୁ ପେଟପାଟଣା ପାଇଁ ଇଚ୍ଛା ନ ଥାଇ ବି କାମ କରିବାକୁ ବାହାରକୁ ବାହାରିବାକୁ ପଡ଼ୁଥିଲା। ଜୀବନରେ ସେହି ସମୟର ଅନୁଭୂତି ବହୁତ ଭୟଙ୍କର ଥିଲା। କିନ୍ତୁ ଏବେ ସମୟ ବଦଳିଛି। ଈଶ୍ବର କରନ୍ତୁ, ସେମିତି କିଛି ଆଉ ଆଗକୁ ନ ଆସୁ। ନ ହେଲେ ରୋଗରେ ଜୀବନ ଯିବା ପରିବର୍ତ୍ତେ ଆମ ଭଳି ଲୋକଙ୍କ ଭୋକ ଉପାସରେ ଜୀବନ ଚାଲିଯିବ।
-ଶିବା ନାୟକ, ବିଏମ୍ସି ସଫେଇ କର୍ମଚାରୀ