ଡାହା ମିଛ : ୨୫% କହୁଥିଲେ ୨% ବି ସଂଯୋଗ ଦିଆଯାଇନି

ଷ୍ଟ୍ରିଟଲାଇଟ୍ ଜଳୁଛି, ଘର ଅନ୍ଧାର, ୧୦ ତାରିଖ ସୁଦ୍ଧା ୮୦%, ୧୨ ସୁଦ୍ଧା ସବୁ ଅଞ୍ଚଳକୁ କେମିତି?

ଭୁବନେଶ୍ବର : ଶକ୍ତି ସଚିବ ଓ ସେସୁ କର୍ତ୍ତୃପକ୍ଷଙ୍କ କଥାରେ ତାଳମେଳ ରହୁନି। ଗୋଟିଏ ବିଭାଗର ଭିନ୍ନ ଭିନ୍ନ କଥା ଏବେ ରାଜଧାନୀବାସୀଙ୍କୁ ତତାଇ ଦେଲାଣି। ରାଜଧାନୀରେ ବିଦ୍ୟୁତ୍‌ ସେବା ସ୍ବାଭାବିକ କରିବାରେ ବିଫଳ ହୋଇଥିବା ଶକ୍ତି ବିଭାଗର ସଚିବ ପ୍ରତ୍ୟେକ ଦିନ କେବଳ ଡାହା ମିଛ କହୁଥିବାବେଳେ ବିଦ୍ୟୁ୍‌ତ ଆବଣ୍ଟନ କମ୍ପାନି ସେସୁର କର୍ତ୍ତୃପକ୍ଷ ବି ପୂରା ବେପରୁଆ ଭାବେ କାର୍ଯ୍ୟ କରୁଛନ୍ତି। ରାଜଧାନୀରେ ହଜାର ହଜାର କର୍ମଚାରୀ ରାତିଦିନ ଏକ କରି କାମ କରୁଥିଲେ ହେଁ ଉପରିସ୍ଥ ଅଧିକାରୀଙ୍କ ଯୋଜନାବିହୀନ କାର୍ଯ୍ୟ ଏବଂ ପ୍ରତ୍ୟେକ ଦିନ ଡାହା ମିଛ ହିସାବ ଏବେ ରାଜଧାନୀବାସୀଙ୍କ ଜୀବନ ଦୁର୍ବିସହ କରିଦେଲାଣି।

ଏପଟେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ କହିଛନ୍ତି ଯେ, ୧୦ତାରିଖ ସୁଦ୍ଧା ରାଜଧାନୀର ୮୦% ଏବଂ ୧୨ତାରିଖ ସୁଦ୍ଧା ପୂରା ରାଜଧାନୀକୁ ବିଦ୍ୟୁତ ସଂଯୋଗ ଦିଆଯିବ। କିନ୍ତୁ ଶକ୍ତି ବିଭାଗର କାର୍ଯ୍ୟଶୈଳୀ ଦେଖିଲେ ଏହା କେବଳ ଡାହା ମିଛ ଭଳି ଲାଗୁଛି।

ଶକ୍ତି ସଚିବ ହେମନ୍ତ ଶର୍ମା ସୋ‌ମବାର କହିଥିଲେ ଯେ, ୨୪ଘଣ୍ଟା ଭିତରେ ୨୫% ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବ। ହେଲେ ମଙ୍ଗଳବାର ସଚିବ କହିଲେ ୧୦ % ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇପାରିଛି। ଏପଟେ ସେସୁ କର୍ତ୍ତୃପକ୍ଷ କହିଲେ ୧୭ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଗଲା। କିନ୍ତୁ ଆଜି ଅର୍ଥାତ୍ ବୁଧବାର ସେସୁ କର୍ତ୍ତୃପକ୍ଷ କହୁଛନ୍ତି ରାଜଧାନୀରେ ୭ହଜାର ୭୦୦ ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଯାହା ରାଜଧାନୀରେ ଥିବା ମୋଟ୍‌ ୪ଲକ୍ଷ ୫୦ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ହିସାବକୁ ନେଲେ ୨%ରୁ କମ୍‌ ହେଉଛି।

ସେସୁ କର୍ତ୍ତୃପକ୍ଷ ୭,୭୦୦ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦେଇଥିବା କହୁଥିଲେ ହେଁ ଏହା ବି ଭୁଲ୍‌ ବୋଲି ଜଳ ଜଳ ଦିଶୁଛି। କାରଣ କେବଳ ଭିଭିଆଇପି ଅଞ୍ଚଳକୁ ଛାଡ଼ିଦେଲେ ‌ଆଜି ଯେଉଁ କେତୋଟି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦିଆଯାଇଛି ସେହି ଅଞ୍ଚଳରେ କେବଳ ଷ୍ଟ୍ରିଟ୍‌ ଲାଇଟ୍ ଜଳୁଥିବାବେଳେ ରାସ୍ତା କଡ଼ରେ ଥିବା କିଛି ଘରେ ଲାଇନ୍ ଜଳୁଛି। ବାକି ସବୁଠି ଅନ୍ଧାର।

ରାଜଧାନୀବାସୀ ଲାଇନ୍ ପାଇଁ ଛଟପଟ ହେଉଥିବାବେଳେ ଗରମରେ ସିଝିଗଲେଣି। ରାତି କଟାଇବା ପୂରା ମୁସ୍କିଲ ହୋଇଗଲାଣି। ଏବେ ବିଏମ୍‌ସିରେ କର୍ପୋରେଟର୍‌ଙ୍କ କାର୍ଯ୍ୟକା‌ଳ ଶେଷ ହୋଇଯାଇଥିବାରୁ ପୂର୍ବତନ କର୍ପୋରେଟର୍‌ମାନେ ବି ଜୋର୍ ଦେଇ ଶକ୍ତି ବିଭାଗ କର୍ତ୍ତୃପକ୍ଷଙ୍କୁ ଆକଟ କରିପାରୁନାହାନ୍ତି। ଯାହାର ଫାଇଦା ନେଇ ଏବେ ଶକ୍ତି ବିଭାଗ ରାଜଧାନୀବାସୀଙ୍କ ଉପରେ ଦାଉ ସାଧୁଛି।

ଏହା ସହିତ ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ ଅଧୀନରେ ରସୁଲଗଡ଼, ବମିଖାଲ, ଲକ୍ଷ୍ମୀସାଗର, ଝାରପଡ଼ା, କଳ୍ପନା, ଭୀମଟାଙ୍ଗି, ପୋଖରୀପୁଟ୍‌, ଲିଙ୍ଗରାଜ, ରାଜାରାଣୀ, ବ୍ରହ୍ମେଶ୍ବର ପ୍ରଭୃତି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦିଆଯାଇଥିବା କୁହାଯାଉଥିବାବେଳେ ଭୀମଟାଙ୍ଗି, ଝାରପଡ଼ା, କଳ୍ପନା ଅଞ୍ଚଳକୁ ଛାଡ଼ିଦେଲେ ବାକି ଅଞ୍ଚଳରେ କେବେଳ ଷ୍ଟ୍ରିଟଲାଇଟ୍ ଜଳୁଛି। ଲୋକ ଏବେବି ଅନ୍ଧାରରେ ଅଛନ୍ତି।

ସେହିଭଳି ଭୁବନେଶ୍ବର ସିଟି ଇଲେକ୍ଟ୍ରିକାଲ ଡିଭିଜନ୍‌ ଅଧୀନରେ ୟୁନିଟ୍‌-୯ ରାସ୍ତା ଓ ଫ୍ଲାଟ୍‌, ଓୟୁଏଟି, ଡେଲ୍‌ଟା, ନୟାପଲ୍ଲୀ, ବରମୁଣ୍ଡା ଗାଁ, ଗୋପବନ୍ଧୁ ନଗର, ଜୟଦେବ ବିହାରରୁ ପଟିଆ, ବାଣୀବିହାର, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସହ ରସୁଲଗଡ଼ର ବାକି ଅଞ୍ଚଳ ଆଜି ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି କୁହାଯାଇଥିଲେ ହେଁ କିଛି ଅଧିକାଂଶ ଅଞ୍ଚଳରେ ଦିଆଯାଇପାରିନି।

ସମ୍ବନ୍ଧିତ ଖବର