ବରିଷ୍ଠ ନାଗରିକଙ୍କୁ ଡିଜିଟାଲ୍ ପ୍ରଶିକ୍ଷଣ

ଭୁବନେଶ୍ବର: ବର୍ତ୍ତମାନ ସମାଜରେ ଅଧିକାଂଶ ବରିଷ୍ଠ ନାଗରିକ ଡିଜିଟାଲ ଜ୍ଞାନକୌଶଳ ବିଷୟରେ ଅନଭିଜ୍ଞ। ଏହାଦ୍ବାରା ଅନେକ ଠକାମିର ଶିକାର ହେଉଛନ୍ତି। ଘରେ ବସି ଯେଉଁ କାମ ଅନାୟାସରେ ମୋବାଇଲ୍ ଦ୍ୱାରା ସମ୍ପାଦିତ ହୋଇପାରନ୍ତା, ବୟସ୍କ ବ୍ୟକ୍ତିମାନଙ୍କୁ ସେଥିପାଇଁ ବିଭିନ୍ନ ଦପ୍ତରରେ ଧାଡ଼ି ବାନ୍ଧି ଠିଆ ହେବାକୁ ପଡ଼ୁଛି। ବରିଷ୍ଠ ନାଗରିକଙ୍କ ଏଭଳି ଅସହାୟତାକୁ ହୃଦୟଙ୍ଗମ କରି ଗୁଗୁଲ୍‌ ଭାରତର ବିଶିଷ୍ଟ ବେସରକାରୀ ସଂସ୍ଥା, ହେଲ୍ପଏଜ୍ ଇଣ୍ତିଆ ସହ ସହଭାଗିତାର ହାତ ବଢ଼ାଇଛି।

ଏହି ପରିପ୍ରେକ୍ଷୀରେ ନୀଳାଦ୍ରିବିହାରରେ ଅବସ୍ଥାପିତ ବରିଷ୍ଠ ନାଗରିକ ବିକାଶ ପରିଷଦ ଆନୁକୂଲ୍ୟରେ ଗତ ସୋମବାର ଏକ ବିଶାଳ ଡିଜିଟାଲ୍ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ହେଲ୍ପ ଏଜ୍ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଭାରତୀ ଚକ୍ରଙ୍କ ଉପସ୍ଥିତିରେ ମୁଖ୍ୟ ପ୍ରଶିକ୍ଷିକା ଦେବସ୍ମିତା ବ୍ରହ୍ମା ଅନ୍ୟୁନ ୫୦ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଶିବିରକୁ ଉଦ୍‌ଘାଟନ କରିଥିଲେ। ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ୱାର୍ଡ ୧୪ର କର୍ପୋରେର୍ଟର୍‌ ମୋନାଲିସା ସାହୁ, ବିଏମ୍‌ସିର ସହ କମିସନର ପଲ୍ଲବୀ ବେହେରା ଉପସ୍ଥିତ ଥିଲେ।

ପ୍ରଶିକ୍ଷଣ ନେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ପିସିସିଏଫ୍‌ ଅଜିତ ପଟ୍ଟନାୟକ, ପୂର୍ବତନ ଆଇନ ସଚିବ ସନ୍ତୋଷ ମହାନ୍ତି, ପୂର୍ବତନ ଆଇଏଏସ ଦିଲ୍ଲୀପ ମହାନ୍ତି, ହରିହର ପାଣିଗ୍ରାହୀ, ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ଆଇଆଇଟି ଖଡ଼ଗପୁରର ପ୍ରଫେସର ଅଶୋକ ରାଉତ, କର୍ଣ୍ଣେଲ ଭବେଶ ମହାନ୍ତି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନଳିନୀକାନ୍ତ ଦାସ, ବିଶ୍ୱମ୍ବର ଦାଶ, ସୁଦର୍ଶନ ପଣ୍ଡା, ଭାରତ ସରକାରଙ୍କ ଭୂତତ୍ୱ ବିଭାଗର ପୂର୍ବତନ ଉପମହାନିର୍ଦ୍ଦେଶକ ମନୋରଞ୍ଜନ ମହାନ୍ତିଙ୍କ ସମେତ ଅନେକ ବ୍ୟାଙ୍କର ପୂର୍ବତନ ଡିଜିଏମ୍, ମ୍ୟାନେଜର ଓ ଉଚ୍ଚପଦସ୍ଥ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ପରିଷଦର ସମ୍ପାଦକ ବସନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର