ଆଜି ଜନ୍ମଦିନ: ମହାରାଜା କୃଷ୍ଣଚନ୍ଦ୍ର ଗଜପତି

ଓଡ଼ିଶାର ଗୌରବମୟ ଗଙ୍ଗବଂଶୀୟ ରାଜ ପରିବାରରେ ୧୮୯୨ ଏପ୍ରିଲ ଆଜି ଦିନରେ ଜନ୍ମଗ୍ରହଣ କରିଥିଲେ କୃଷ୍ଣଚନ୍ଦ୍ର ଗଜପତି। ସେ ଉଚ୍ଚଶିକ୍ଷା ପାଇଁ ମାନ୍ଦ୍ରାଜକୁ ଯାଇଥିଲେ। ୧୯୧୩ ମସିହାରେ ଶିକ୍ଷା ସମାପ୍ତ କରି ସେ ପାରଳା ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧର ଅୟମାରମ୍ଭ ବେଳେ କୃଷ୍ଣଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଥିଲା। ସିଂହାସନ ଆରୋହଣ ବେଳେ ସେ ପାଞ୍ଚଟି ଶପଥ କରିଥିଲେ- ପିତାଙ୍କ ସଂରକ୍ଷିତ ୨୫ ଲକ୍ଷ ଟଙ୍କା ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଖର୍ଚ୍ଚ କରିବେ ନାହିଁ, ତାହା ଦେଶର ଉନ୍ନତିରେ ଲାଗିବ; ପୂର୍ବପୁରୁଷଙ୍କ କୀର୍ତ୍ତିମାଳାର ଉଦ୍ଧାର ଏବଂ ଉନ୍ନତୀକରଣ; ପ୍ରଜା ମଙ୍ଗଳ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବେ; ପଦବ୍ରଜରେ ଯାଇ ବ୍ରହ୍ମକପାଳରେ ପିତାପ୍ରପିତାଙ୍କୁ ତିଳ ଅର୍ପଣ କରିବେ ଏବଂ ସ୍କଟ୍‌ଲାଣ୍ଡର ଘଞ୍ଚ ଅରଣ୍ୟରେ ଯାଇ ପଶୁ ଶିକାର କରିବେ। ମହାରାଣୀଙ୍କର ଅକାଳ ବିୟୋଗ ପରେ ସେ ଏକପତ୍ନୀବ୍ରତ ପାଳନ କରି ରାଜ୍ୟ ସେବାରେ ମଗ୍ନ ରହିଥିଲେ।

ସେ ସବୁବେଳେ ଗୋଟିଏ କଥା କହୁଥିଲେ- ‘ପ୍ରଜା ପାଇଁ ରାଜାର ଜନ୍ମ’। ଓଡ଼ିଆଙ୍କ ବିଭାଜନ ଯୋଗୁଁ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଥିବା କଥା ମହାରାଜା ହୃଦୟଙ୍ଗମ କରିଥିଲେ। ତେଣୁ ଓଡ଼ିଶାର ଖଣ୍ଡ ବିଖଣ୍ଡିତ ଅଶଂକୁ ଯୋଡ଼ି ସ୍ୱତନ୍ତ୍ର ଉତ୍କଳ ରାଜ୍ୟ ଗଠନ ପାଇଁ ସେ ଶପଥ ନେଇଥିଲେ। ୧୯୧୪ ମସିହାରେ କୃଷ୍ଣଚନ୍ଦ୍ର ମଧୂସୁଦନ ଦାସଙ୍କ ସହ ଯୋଗାଯୋଗ କରି ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ କରାଇଥିଲେ। ଉକ୍ତ ସମ୍ମିଳନୀରେ କୃଷ୍ଣଚନ୍ଦ୍ରଙ୍କର ଦେଶଭକ୍ତି ତଥା ଓଡ଼ିଶା ଏକତ୍ରୀକରଣ ପାଇଁ ତାଙ୍କ ପ୍ରତିବଦ୍ଧତାକୁ ସମସ୍ତେ ପ୍ରଶଂସା କରିଥିଲେ। ମହାରାଜା ଅନୁଭବ କରିଥିଲେ ଯେ ଶିକ୍ଷା ଓ କୃଷି ହିଁ ଓଡ଼ିଶାର ମାନଦଣ୍ଡ ବୃଦ୍ଧି କରିପାରିବ। ସେଥିପାଇଁ ସେ ବହୁ ଶିକ୍ଷାନୁଷ୍ଠାନ ଗଢ଼ିଥିଲେ ଏବଂ ପାରଳାଖେମୁଣ୍ଡି ଚତୁଃପାର୍ଶ୍ବରେ ରାମସାଗର, ସୀତାସାଗର, କୃଷ୍ଣସାଗର ଖନନ କରି ଜଳସେଚନର ସୁବିଧା କରିଥିଲେ। ୧୯୧୭ ମସିହାରେ ମଣ୍ଟେଗୁ ଚେମସ୍‍ଫୋର୍ଡ କମିଟିକୁ ଦିଲ୍ଲୀ ଠାରେ ସାକ୍ଷାତ କରି ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ୧୯୩୦ ମସିହାର ଗୋଲ୍ ଟେବୁଲ୍ ବୈଠକରେ ଓଡ଼ିଶାର ସ୍ୱତନ୍ତ୍ରତା ଉପରେ ଏକ ସାରଗର୍ଭକ ଭାଷଣ ଦେଇ ସେ ବ୍ରିଟିଶ୍ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମଧୁସୁଦନ ଦାସଙ୍କ ଠାରୁ ପ୍ରେରଣା ପାଇ ମହାରାଜା ଦ୍ୱିତୀୟ ଥର ଇଂଲାଣ୍ଡ୍‌ ଯାତ୍ରା କରିଥିଲେ। ୧୯୩୬ ଏପ୍ରିଲ ୧ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଓଡ଼ିଶାର ଗଭର୍ଣ୍ଣର ଜନ୍‍ ଅଷ୍ଟିନ୍ କୃଷ୍ଣଚନ୍ଦ୍ରଙ୍କୁ ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ ପାଇଁ ନିମନ୍ତ୍ରଣ କଲେ ଏବଂ ସେ ଓଡ଼ିଶାର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୭୪ ମେ ୨୫ରେ ମହାରାଜା କୃଷ୍ଣଚନ୍ଦ୍ର ଇହଳୀଳା ସମ୍ବରଣ କରିଥିଲେ।
– ପ୍ରଶାନ୍ତ ପାଢ଼ୀ
ମୋ: ୯୮୬୧୦୯୫୩୧୫

ସମ୍ବନ୍ଧିତ ଖବର