ଦିଶା ପଟାନିି: ଫେରିବା ପୂର୍ବରୁ ଓଡ଼ିଶାର ରସଗୋଲା ନିଶ୍ଚେ ଖାଇବି ଦିଶା ପଟାନିି

କେବେ ‘ଏମ୍‌ଏସ୍‌ ଧୋନି- ଦ ଅନ୍‌ଟୋଲ୍ଡ ଷ୍ଟୋରି’ ଚଳଚ୍ଚିତ୍ରରେ କ୍ରିକେଟ୍‌ ତାରକା ଧୋନିଙ୍କ ଭୂତପୂର୍ବ ପ୍ରେମିକା ଭୂମିକାରେ ଧୋନିଙ୍କ ଅକୁହା ବେଦନାକୁ ପ୍ରଶଂସକଙ୍କ ହୃଦୟରେ ଉଜ୍ଜୀବିତ କରିଛନ୍ତି ତ ପୁଣି କେବେ ‘ବାଗି-୨’ରେ ଅପହୃତା ଝିଅର ପାଗଳିନୀ ମା’ ଭୂମିକାରେ ଚମତ୍କତ କରିଛନ୍ତି। ‘ବେଫିକର୍‌’ ଭଳି ମ୍ୟୁଜିକ୍‌ ଭିଡିଓରେ ନୃତ୍ୟ ନିପୁଣତାର ପ୍ରମାଣ ମଧ୍ୟ ଦେଇଛନ୍ତି। କଠିନ ଅଧ୍ୟବ୍ୟସାୟ ଦ୍ୱାରା ଦେଖିଥିବା ସବୁ ସ୍ୱପ୍ନକୁ ପୂରଣ କରିବାକୁ ଅଣ୍ଟା ଭିଡ଼ିଥିବା ବଲିଉଡ୍‌ର ଏହି ଚର୍ଚିତ ଅଭିନେତ୍ରୀ ହେଉଛନ୍ତି ଦିଶା ପଟାନି। ଆଜି ଏସ୍‌ପ୍ଲାନେଡ୍‌-୧ ମଲ୍‌ରେ ମାର୍କସ୍‌ ଆଣ୍ଡ ସ୍ପେନ୍‌ସର୍‌ ଷ୍ଟୋର୍‌ ଉଦ୍‌ଘାଟନ କରିବାକୁ ଆସିଥିବା ଅବସରରେ ତାଙ୍କ ସହ ଆମ ପ୍ରତିନିଧି ସସ୍ମିତା ସାହୁଙ୍କ ଆଳାପରୁ କିଛି…

ଓଡ଼ିଶା ସମ୍ପର୍କରେ ପଦେ?
ଓଡ଼ିଶାକୁ ଆଜି ମୁଁ ପ୍ରଥମ ଥର ଆସିଛି। ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ବୋଲି ଶୁଣିଥିଲି। ଆଜି ଅନୁଭବ କଲି। ଏଠାକାର ଶାନ୍ତ ଓ ସୁନ୍ଦର ପରିବେଶ ମନକୁ ଛୁଇଁଗଲା। ସଫାସୁତୁରା ପରିବେଶ ସହ ସବୁଜିମାରେ ଭରପୂର ସହର ଦେଖି ଖୁବ୍‌ ଭଲ ଲାଗୁଛି।

ମଧ୍ୟାହ୍ନ ଭୋଜନରେ କିଛି ଓଡ଼ିଆ ଖାଦ୍ୟ ଖାଇଲେ କି?
ନାଁ ଖାଇନି। କିନ୍ତୁ ଓଡ଼ିଶାର ରସଗୋଲା ବିଷୟରେ ବହୁତ ଶୁଣିଛି। ଯିବା ପୂର୍ବରୁ ନିଶ୍ଚିତ ଖାଇକି ଯିବି।

ଏକ ସାଧାରଣ ପରିବାରରୁ ବଲିଉଡ୍‌ ଯାତ୍ରା, କେମିତି ଥିଲା?
ପିଲା ଦିନୁ ମୁଁ ବହୁତ ଲାଜକୁଳା ପ୍ରକୃତିର ଥିଲି। ମଡେଲ କିମ୍ବା ହିରୋଇନ୍‌ ହେବା ମୋ ସ୍ୱପ୍ନର ବହୁ ଊର୍ଧ୍ୱରେ ଥିଲା। ବାପା ଜଣେ ପୁଲିସ୍‌ ଅଫିସର। ତେଣୁ ପିଲାଦିନୁ ମୁଁ ଏୟାରଫୋର୍ସ ପାଇଲଟ୍‌ ହେବାକୁ ଇଚ୍ଛା କରିଥିଲି। କିନ୍ତୁ ସବୁବେଳେ ଜୀବନ ନିଜ ଇଚ୍ଛାରେ ଚାଲେନାହିଁ। ବୋଧେ ମୋ ନିୟତି ମତେ ଚଳଚ୍ଚିତ୍ର ଜଗତ ପାଇଁ ବାଛିଥିଲା।

ଆପଣଙ୍କ କହିବା ମୁତାବକ, ଆପଣ ବହୁତ ଲାଜକୁଳା। ଏହା କିପରି ଦୂର କଲେ?
କେବେ କିଛି କରିବାକୁ ପଡ଼ିନି। କଠିନ ପରିଶ୍ରମ ବଳରେ ମୋ ଭିତରେ ଥିବା ପ୍ରତିଭାକୁ ଅଧିକ ମାର୍ଜିତ କରିବା ଉପରେ ଧ୍ୟାନ ଦେଇଛି। ସବୁବେଳେ ନୃତ୍ୟ, ବକ୍ସିଂ ଓ ଜିମ୍‌ରେ ନିଜକୁ ବ୍ୟସ୍ତ ରଖିବା ଫଳରେ ଆତ୍ମବିଶ୍ୱାସ ବଢ଼ିଛି। ଲାଜ ତା ବାଟରେ ରହିଯାଇଛି।

ଆପଣଙ୍କ ସ୍ୱପ୍ନର ଚରିତ୍ର କ’ଣ?
ମୁଁ ‘ସୁପର ଓମେନ୍‌’ ଚରିତ୍ରରେ ଅଭିନୟ କରିବାକୁ ଚାହେଁ।

ଆଉ ୧୦ ବର୍ଷ ପରେ ଦିଶା ପଟାନି ନିଜକୁ କେମିତି ଦେଖିବାକୁ ଚାହିଁବେ?
ସବୁଠୁ ବେଶି ଖୁସି ଥିବା ମହିଳା ଭାବେ ମୁଁ ନିଜକୁ ଦେଖିବାକୁ ଚାହେଁ।

ବଲିଉଡ୍‌ର ବିିଭିନ୍ନ ଚର୍ଚ୍ଚା ଓ ବିବାଦକୁ କେମିତି ସମ୍ଭାଳନ୍ତି?
ଚଳଚ୍ଚିତ୍ର ବା ଗ୍ଲାମର୍‌ ଦୁନିଆରେ ବିବାଦ ବା ଚର୍ଚ୍ଚା ଏକ ସାଧାରଣ କଥା। ଏହି ସମୟରେ କିଛି ପ୍ରତିକ୍ରିୟା ନ ଦେବା ହିଁ ଭଲ। ସେମିତିରେ ମୁଁ ବହୁତ ବ୍ୟସ୍ତ ରୁହେ। ତେଣୁ ଏ ବିଷୟରେ ଅଧିକ ଭାବି ସମୟ ନଷ୍ଟ କରିବାକୁ ଚାହେଁନାହିଁ।

ସମ୍ବନ୍ଧିତ ଖବର