ଇ-ସାଇକଲ୍‍ ପ୍ରକଳ୍ପରେ ‘କିଟ୍‌’କୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର: ଇଂଜିନିୟରିଂ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟସ୍ତରର ପୋଷ୍ଟର ପ୍ରତିଯୋଗିତା ‘ଟେକ୍ନୋଡିଅମ୍‍-୨୦୨୧’ରେ କିଟ୍‍ ସ୍କୁଲ୍‍ ଅଫ୍‍ ଇଲେକ୍ଟ୍ରିକାଲ୍‍ ଇଞ୍ଜିନିୟରିଂର ଛାତ୍ରମାନେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ସେମାନେ ସ୍କୁଲର ପ୍ରଫେସର୍‌ ସୌଭଗ୍ୟ ରଞ୍ଜନ ପୃଷ୍ଟି, ପ୍ରଫେସର୍‌ ସୁବ୍ରତ ବେହେରା, ପ୍ରଫେସର୍‌ ତନ୍ମୟ ରାୟ ଚୌଧୁରୀ ଏବଂ ନବକିଶୋର ଦାଶଙ୍କ ତତ୍ତ୍ୱାବଧାନରେ ଇ-ସାଇକଲ୍‍ ପ୍ରସ୍ତୁତ କରି ଟ୍ରାକ୍‍-୩ରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି। ପ୍ରତିଯୋଗିତାର ‘ନିଉ ଫେସ୍‍ ଅଫ୍‍ ଇ-ସାଇକଲ୍‍’ ବିଭାଗରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ଛାତ୍ର ରୋହିତ ମହାନ୍ତି, ରାହୁଲକ୍ରିଷ୍ଣା ପଟେଲ୍‍, ସୌଭାଗ୍ୟ କର, ପୁରୁଷୋତ୍ତମ ମହାନ୍ତି ଏବଂ ସୌମ୍ୟରଞ୍ଜନ ସାହୁ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସମୟରେ ତୈଳଦର ବୃଦ୍ଧି ପାଉଥିବାରୁ ଏକ ଅତ୍ୟାଧୁନିକ ଇ-ସାଇକଲ୍‍ ବିକଶିତ କରିବା ପାଇଁ ଏହି ଛାତ୍ରମାନେ ଆଗ୍ରହ ପ୍ରକାଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଇ-ସାଇକଲ୍‍ ଉପରେ ଏକ ପୋଷ୍ଟର୍‌ ପ୍ରସ୍ତୁତ କରିଥିଲେ।

ଏହାବ୍ୟତୀତ ଏହି ଛାତ୍ରମାନେ ଇଲେକ୍ଟ୍ରିକାଲ୍‍ ଇଞ୍ଜିନିୟରିଂ ବିଭାଗର ଇଲେକ୍ଟ୍ରିକ୍‍ ଡ୍ରାଇଭସ୍‌ ଲ୍ୟାବ୍‌ରେ ଏକ ଇ-ସାଇକଲ୍‍ ମଧ୍ୟ ବିକଶିତ କରିଛନ୍ତି। କିଟ୍‍ ଛାତ୍ରଙ୍କ ଏହି ସୃଜନ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ପ୍ରତିଯୋଗିତାରେ କିଟ୍‍ ଛାତ୍ରଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଏଥିପାଇଁ ପୁରସ୍କାର ବାବଦରେ ଛାତ୍ରମାନେ ୧୨ହଜାର ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛନ୍ତି। ଏହି ସଫଳତା ଭବିଷ୍ୟତରେ ସେମାନଙ୍କୁ ଏକ ଅତ୍ୟାଧୁନିକ ଇ-ସାଇକଲ୍‍ ବିକଶିତ କରିବାର ମନୋବଳ ବୃଦ୍ଧି କରିବ। ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଇ-ସାଇକଲ୍‍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଛାତ୍ର ଓ ଅଧ୍ୟାପକ ତଥା ଗାଇଡ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର