ଅଭିନୟରୁ ସୁଖ୍ୟାତି, ବ୍ୟବସାୟରୁ କୋଟିପତି

କ୍ବଚିତ୍‌ ଦୃଢ଼ପ୍ରତିଜ୍ଞ ବ୍ୟକ୍ତି ଗୋଟିଏ ପରିସରରେ ସଫଳତା ପାଇବା ପରେ ନୂତନ ପନ୍ଥା ଆପଣାଇବା ପାଇଁ ସଫଳତା ଓ ପ୍ରସିଦ୍ଧି ଦେଇଥିବା କ୍ୟାରିୟର୍‌ ମଧ୍ୟ ପରିତ୍ୟାଗ କରିଥାଆନ୍ତି। ସେ ଭଳି ଜଣେ ବିରଳ ବ୍ୟକ୍ତିତ୍ବ ହେଉଛନ୍ତି ଟେଲିଭିଜନ୍‌ ଅଭିନେତ୍ରୀ ଭାବେ ଜନପ୍ରିୟ ହୋଇଥିବା ଆଶ୍‌କା ଗୋରଡ଼ିୟା। ୨୦୧୯ରେ ଏହି ଲବ୍ଧପ୍ରତିଷ୍ଠ ଅଭିନେତ୍ରୀ ଅଭିନୟ ଛାଡ଼ି ବ୍ୟବସାୟ କରିବାକୁ ଦୁଃସାହସିକ ପଦକ୍ଷେପ ଗ୍ରହଣ କଲେ। କଲେଜ ସାଙ୍ଗ ଆଶୁତୋଷ ବଲାନୀ ଓ ପ୍ରିୟଙ୍କ୍‌ ଶାହାଙ୍କ ସହିତ ମିଶି ୨୦୨୦ରେ ସେ ସ୍ଥାପନ କଲେ ରେନେ କସ୍‌ମେଟିକ୍ସ। ସୌନ୍ଦର୍ଯ୍ୟ ଶିଳ୍ପର ଚାହିଦା ଅନୁଧ୍ୟାନ କରି ତିନିହେଁ ବିଭିନ୍ନ ଧରଣର ପ୍ରସାଧନ ସାମଗ୍ରୀ ଉତ୍ପାଦନ କଲେ। ମାତ୍ର ୨ ବର୍ଷ ମଧ୍ୟରେ କମ୍ପାନିର କାରବାର ୧୦୦ ନିୟୁତ ଡଲାର୍‌ ବା ଭାରତୀୟ ମୁଦ୍ରାରେ ପ୍ରାୟ ୮୩୪ କୋଟି ଟଙ୍କାରେ ପହଞ୍ଚିଲା।
ଅହମଦାବାଦ୍‌ରେ ସଂସ୍ଥାପିତ ଏହି କମ୍ପାନି ୨୦୨୨ ଡିସେମ୍ବର ସୁଦ୍ଧା ୩୫ ନିୟୁତ ଡଲାର୍‌ ଉପାର୍ଜନ କରିଥିଲା। ସେତେବେଳେ କମ୍ପାନିର ସଂସ୍ଥାପକ କହିଥିଲେ ଯେ, କମ୍ପାନିର ମୂଲ୍ୟ ୧୦୦ ନିୟୁତ ଡଲାର୍‌ ହେବ। କମ୍ପାନିର ଅନ୍ୟ ଦୁଇଜଣ ସହ-ସଂସ୍ଥାପକ ଅର୍ଥ, ବ୍ୟ‌ାବସାୟିକ ଅଭିଯାନ ଓ ବିତରଣ କଥା ବୁଝାବୁଝି କରୁଛନ୍ତି। କମ୍ପାନିର ଅନ୍ୟତମ ସହ-ସଂସ୍ଥାପିକା ତଥା ନିର୍ଦ୍ଦେଶିକା ଗୋରଡ଼ିୟା ଉତ୍ପାଦ ପରିଚାଳନା କରିବା ସହିତ ବିପଣନ ଓ ଯୋଗାଯୋଗ ଦାୟିତ୍ବ ନିର୍ବାହ କରୁଛନ୍ତି।

ନିଜ ସଫଳତା ନେଇ ଗୋରଡ଼ିୟା କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୪ରେ ସେମାନେ ୪୦୦ କୋଟି ବ୍ୟବସାୟ କରିବାକୁ ପ୍ରଚେଷ୍ଟା କରୁଛନ୍ତି। ଏହି କମ୍ପାନିର ୨୦୦ ଉତ୍ପାଦ ପ୍ରମୁଖ ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନ୍‌, ଫ୍ଲିପ୍‌କାର୍ଟ, ନାଇକା ଓ ମିନ୍ତ୍ରାରେ ସଦାସର୍ବଦା ଉପଲବ୍ଧ। ଏହାଛଡ଼ା, ଦେଶର ୬୫୦ରୁ ଊର୍ଦ୍ଧ୍ବ ଷ୍ଟୋର୍‌ରେ ମଧ୍ୟ ଏ ସବୁ ସାମଗ୍ରୀ ବିକ୍ରୟ ହେଉଛି। ୨୦୦୨ରେ ଗୋରଡ଼ିୟା ପ୍ରଥମେ ଟେଲିଭିଜନ୍‌ ସୋ’ ‘ଅଚାନକ୍‌ ୩୭ ସାଲ୍‌ ବାଦ୍‌’ରେ ଅଭିନୟ କରିଥିଲେ। ଧାରାବାହିକ ‘କୁସୁମ୍‌’ରେ ସେ କୁମୁଦ ଭୂମିକାରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ଜି ଟିଭି’ରେ ପ୍ରସାରିତ ‘ଅକେଲା’ ଏବଂ ‘ସିନ୍ଦୂର୍‌ ତେରେ ନାମ୍‌ କା’ରେ ଅଭିନୟ କରିଥିଲେ। ସେହିପରି, ‘ସୋନି ଟିଭି’ରେ ସେ ‘ବିରୁଦ୍ଧ’ ଓ ‘୯ଏକ୍ସ୍‌’ରେ ‘ମେରେ ଅପ୍‌ନେ’ରେ ଅଭିନୟ କରିଥିଲେ। ଖଳ ଚରିତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଭିନୟ କରି ସେ ଖୁବ୍‌ ଲୋକପ୍ରିୟ ହୋଇଥିଲେ। ତା’ପରେ ସେ କେତେକ ରିଆଲିଟି ସୋ’ରେ ଅଂଶଗ୍ରହଣ କଲେ। ୨୦୦୯ରେ ପ୍ରସାରିତ ‘ଡାୟନ୍‌’ ହେଉଛି ତାଙ୍କର ଆଉ ଉଲ୍ଲେଖନୀୟ ତଥା ଶେଷ ଅଭିନୀତ ଧାରାବାହିକ।

ସମ୍ବନ୍ଧିତ ଖବର