ରାସ୍ତା ନିର୍ମାଣରେ ବାଧକ ବିଦ୍ୟୁତ୍‌ ଖୁଣ୍ଟ

ସାଢ଼େ ୩ କୋଟି ପଇଠ ପରେ ବି ସ୍ଥାନାନ୍ତର ହେଉନି, କାମ ଆରମ୍ଭ କରୁନି ଟିପିସିଓଡିଏଲ୍‌

ଭୁବନେଶ୍ବର: ରାସ୍ତା ନିର୍ମାଣରେ ବାଧକ ସାଜୁଛି ବିଦ୍ୟୁତ୍‌ ଖୁଣ୍ଟ। ଖୁଣ୍ଟ ସ୍ଥାନାନ୍ତର ପାଇଁ ହେବାକୁ ଥିବା ଖର୍ଚ୍ଚ ପୂର୍ତ୍ତ ବିଭାଗ ପକ୍ଷରୁ ଆଗୁଆ ପଇଠ କରାଗଲେ ବି ଟିପିସିଓଡିଏଲ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଉନି। ଟଙ୍କପାଣି-ରବି ଟକିଜ୍‌ ରାସ୍ତା, କଟକ ରୋଡ୍‌ର ବଡ଼ଗଡ଼ ଛକଠାରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ଓ ଦୟାୱେଷ୍ଟ କେନାଲର ମହିଷାଖାଲଠାରୁ ଚିଲିପୋଖରୀ ରାସ୍ତା କାମ ଆଗେଇ ପାରୁନାହିଁ। ସରକାର ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ବିଭାଗୀୟ ସମନ୍ବୟ ଅଭାବରୁ ସାଧାରଣ ଲୋକେ ସୁଫଳ ପାଇ ପାରୁନାହାନ୍ତି।

ଦୀର୍ଘ ଦିନର ଦାବି ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଟଙ୍କପାଣି-ରବି ଟକିଜ୍‌ ରାସ୍ତାର ନବୀକରଣ ପାଇଁ ୨.୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ମାଟି ତଳେ ଇଲେକ୍ଟ୍ରି କେବୁଲ୍‌ ଓ ସ୍ବରେଜ୍‌ କାମ ପାଇଁ ରାସ୍ତାକୁ ବାରମ୍ବାର ଖୋଳା ଯାଉଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ହୋଇଥିଲା। ଏବେ ରବି ଟକିଜ୍‌ ଛକଠାରୁ ଗଙ୍ଗୁଆ କେନାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସରିଛି। କିନ୍ତୁ ସେଠାରୁ ସାଇମନ୍ଦିର ଛକ ପର୍ଯ୍ୟନ୍ତ କାମ ହୋଇପାରୁନାହିଁ। ରାସ୍ତା ଚଉଡ଼ା କରାଯାଇଥିବାରୁ ପୂର୍ବରୁ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଏବେ ରାସ୍ତା ମଝିରେ ରହି ଗଲାଣି। ତେଣୁ ବିଦ୍ୟୁତ୍‌ ଖୁଣ୍ଟ ନ ଉଠିଲେ ରାସ୍ତା ନିର୍ମାଣ ହୋଇପାରିବ ନାହିଁ।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ତ୍ତ ବିଭାଗ ପକ୍ଷରୁ ଗତ ନଭେମ୍ବର ମାସରେ ଖୁଣ୍ଟ ଉଠାଇବା ପାଇଁ ଟିପିସିଓଡିଏଲ୍‌କୁ ଚିଠି କରାଯିବା ସହ ଏଷ୍ଟିମେଟ୍‌ ମଗାଯାଇଥିଲା। ଏଷ୍ଟିମେଟ୍‌ ‌‌ଦେବାକୁ ଟିପିସିଓଡିଏଲ୍‌କୁ ୪ମାସ ଲାଗି ଯାଇଥିଲା। ଫେବ୍ରୁଆରି‌ରେ ଏଷ୍ଟିମେଟ୍‌ ମିଳିବା ପରେ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ସାଇ ମନ୍ଦିର ଛକଠାରୁ କେନାଲ ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ୩୦ଟି ବିଦ୍ୟୁତ୍‌ ଖୁଣ୍ଟ ଓ ଗୋଟିଏ ଟ୍ରାନ୍ସଫର୍ମର ଉଠାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୮୧ଲକ୍ଷ ୬୯ ହଜାର ୫୫୯ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ଖୁଣ୍ଟ ଉଠା ଯାଇନାହିଁ।

ସେହିପରି କଟକ ରୋଡ୍‌ ବଡ଼ଗଡ଼ ଛକଠାରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ରାସ୍ତାର ନବୀକରଣ କରାଯାଉଛି। ଏହି ରାସ୍ତାରେ ଥିବା ବଡ଼ ବଡ଼ ଗଛ କଟା ସରିଛି। ଜବରଦଖଲ ବି ଉଚ୍ଛେଦ ସରିଛି। ହେଲେ ଏଠି ମଧ୍ୟ ରାସ୍ତାର ଦୁଇକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉଠା ଯାଉନଥିବାରୁ କାମ ଆଗେଇ ପାରୁନାହିଁ। ବାଧ୍ୟ ହୋଇ ପୂର୍ତ୍ତ ବିଭାଗ ଏବେ ଜଗନ୍ନାଥ ଆଶ୍ରମଠାରୁ ଡ୍ରେନ୍‌ କାମ ଆରମ୍ଭ କରିଛି। ଏହି ରାସ୍ତା ପାଇଁ ପୂର୍ତ୍ତ ବିଭାଗ ଟିପିସିଓଡିଏଲ୍‌କୁ ୧ କୋଟି ୮୮ ଲକ୍ଷ ୯୬ ହଜାର ୨୯୦ ଟଙ୍କା ଦେଇଛି।

ଅନ୍ୟପଟେ ଦୟାୱେଷ୍ଟ କେନାଲର ମହିଷାଖାଲଠାରୁ ଚିଲିପୋଖରୀ ରାସ୍ତା ପାଇଁ ଟେଣ୍ଡର୍‌ ହୋଇଥିଲା। ସ୍ପେସିଆଲ୍‌ କ୍ଲାସ୍ କଣ୍ଟ୍ରାକ୍ଟର୍‌ ବିଭୁରଂଜନ ପରିଡ଼ା ଏହି ଟେଣ୍ଡର୍‌ ପାଇଥିଲେ। ପ୍ରଥମେ ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ପରେ ବିଭାଗ ସହ ଚୁକ୍ତି କରିବାକୁ ଠିକାଦାର ସର୍ତ୍ତ ରଖିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା, ଦୀର୍ଘ ଅପେକ୍ଷା ପରେ ବିଦ୍ୟୁତ୍‌ ଖୁଣ୍ଟ ନ ଉଠିବାରୁ ‌ଠିକାଦାର କାମ କରିବାକୁ ମନା କରି ‌ଦେଇଥିଲେ। ଏହି ରାସ୍ତାରୁ ୩ଟି ଟ୍ରାନ୍ସଫର୍ମର୍‌ ସହ ୨୬ଟି ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ପାଇଁ ୧କୋଟି ୮ ଲକ୍ଷ ୧୪ ହଜାର ୩୧୨ ଟଙ୍କା ଦିଆଯାଇଛି। ଏହି ତିନୋଟି ରାସ୍ତା ପାଇଁ ପୂର୍ତ୍ତ ବିଭାଗ ମୋଟ ୩ କୋଟି ୭୮ ଲକ୍ଷ ୮୦ ହଜାର ୧୬୧ ଟଙ୍କା ଟିପିସିଓଡିଏଲ୍‌ ନିକଟରେ ପଇଠ କରିଥିବା ବେଳେ କାମ ହୋଇପାରୁନାହିଁ। ଫଳରେ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି ଏବଂ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି। ବର୍ଷା ଦିନ ପୂର୍ବରୁ ଏହି ରାସ୍ତାର କାମ ଶେଷ କରିବାକୁ ସାଧାରଣରେ ଦାବି ହେଉଛି। ଏ ସଂପର୍କରେ ଟିପିସିଓଡିଏଲ୍‌ର ଏସ୍‌ଡିଓ ମନୋଜ ପାତ୍ର ଯୋଗଯୋଗ କରାଯାଇଥିଲେ ହେଁ ଏ ସଂପର୍କରେ କୌଣସି ସୂଚନା ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର