ଯୋଗମୁଦ୍ରାରେ ମଜ୍ଜିଲେ

ଭୁବନେଶ୍ବର‌: ରାଜରାସ୍ତାରେ ବିଚ୍ଛୁରିତ ହୋଇ ପଡ଼ୁଥାଏ ଷ୍ଟ୍ରିଟ୍‌ ଲାଇଟ୍‌। ପୂରା ପରିବେଶ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। କିନ୍ତୁ ସହରର ସ୍ବାସ୍ଥ୍ୟ ସଚେତନ ମଣିଷଙ୍କ ଏଥିପ୍ରତି ପରବାୟ ନଥିଲା। ଘନ କୁହୁଡ଼ିକୁ ଖାତିର ନ କରି ବିଭିନ୍ନ ବର୍ଗର ବ୍ୟକ୍ତିମାନେ ରାମମନ୍ଦିର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ-୧ ଖେଳ ପଡ଼ିଆରେ ଏକାଠି ହୋଇଯାଇଥିଲେ। ଶାନ୍ତସ୍ନିଗ୍ଧ ମନୋରମ ପାହାନ୍ତା ପ୍ରହରର ସୁଲୁସୁଲିଆ ପବନରେ ଭାସି ଆସୁଥିଲା ପବିତ୍ର ଓଁକାର ଧ୍ବନି। ଶହଶହ ଯୋଗପ୍ରେମୀଙ୍କ ଏକତ୍ର ଓଁ ଉଚ୍ଚାରଣ କାନରେ ଗୁଞ୍ଜରିତ ହେବା କ୍ଷଣି ଦେହ ଓ ମନରେ ଶିହରଣ ଖେଳି ଯାଉଥିଲା। ଆଜିର ବ୍ୟସ୍ତବହୁଳ ଜୀବନରେ ଶରୀରକୁ ଫିଟ୍ ରଖିବା ତଥା ଯୋଗର ଉପକାରିତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ‘ସମ୍ବାଦ’ ଓ ‘ଅଲ୍‌ ଓଡ଼ିଶା ଯୋଗ ଆସୋସିଏସନ୍‌’ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ଯୋଗାଥନ୍‌ର ୫ମ ସଂସ୍କରଣ’ର ପରିବେଶ ଥିଲା ଏମିତି। ଯୋଗାଚାର୍ଯ୍ୟ ମନୋଜ କୁମାର ରାଉତଙ୍କ ଓଁକାର ଧ୍ବନି ସହ ବିଭିନ୍ନ ସୂକ୍ଷ୍ମ ଆସନରୁ ଆରମ୍ଭ ହୋଇଥିଲା ଯୋଗାଭ୍ୟାସ। ପ୍ରଶିକ୍ଷକଙ୍କ ଅଙ୍ଗଭଙ୍ଗୀକୁ ଲକ୍ଷ୍ୟ କରି ଯୋଗ ସାଧକ/ସାଧିକାମାନେ ମଞ୍ଚ ତଳେ ତାହାକୁ ଅନୁକରଣ କରିଥିଲେ। ଏହାରି ଭିତରେ ପଡ଼ିଆରେ ବିଚ୍ଛୁରିତ ହୋଇପଡ଼ିଥିଲା ସୂର୍ଯ୍ୟଙ୍କ ପହିଲି କିରଣ। ସୂର୍ଯ୍ୟଙ୍କ ଆଗମନକୁ ଲକ୍ଷ୍ୟ କରି ଆରମ୍ଭ ହୋଇଥିଲା ସୂର୍ଯ୍ୟ ନମସ୍କାର। ପରେ ପରେ ଯୋଗାଚାର୍ଯ୍ୟ ସୁରେଶ ପଣ୍ଡାଙ୍କ ଦ୍ବାରା ପ୍ରାଣାୟମ କରାଯାଇଥିଲା। ଏଥିରେ କପାଳଭାତି, ଉଜ୍ଜାୟୀ, ନାଡ଼ିଶୋଧନ ଆଦି ପ୍ରାଣାୟମ କରାଯାଇଥିଲା। ରାକେଶ ସାହୁଙ୍କ ଦ୍ବାରା ଧ୍ୟାନଯୋଗ କରାଯାଇଥିଲା। ଶେ‌ଷରେ ଶାନ୍ତିପାଠ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ ଯୋଗାଚାର୍ଯ୍ୟ ଶିବାନନ୍ଦ ଯୋଗ ବେଦାନ୍ତ ଏ‌କାଡେମିର ଛାତ୍ରଛାତ୍ରୀମାନେ।

ବ୍ୟସ୍ତବହୁଳ ଜୀବନରେ ଭାରାକ୍ରାନ୍ତ ମନକୁ ଚାପମୁକ୍ତ ଓ ପ୍ରଫୁଲ୍ଲ ରଖିବା ଏବଂ ଅଭିଜ୍ଞ ଯୋଗଗୁରୁଙ୍କଠାରୁ ସୁସ୍ଥ ରହିବାର ଉପାୟ ଶିଖିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ଇଷ୍ଟଦେବଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ନିଗମ କଳ୍ପତରୁ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ଉଜ୍ଜୟିନୀସ୍ଥିତ ମହର୍ଷି ସନ୍ଦୀପନି ବେଦବିଦ୍ୟା ପ୍ରତିଷ୍ଠାନର ଉପସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ଅଭିନେତ୍ରୀ ଭୂମିକା ଦାଶ, ଅଭିନେତା ଶ୍ରେୟାନ୍‌ ନାୟକ, ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମିର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ଅଲ୍‌ ଓଡ଼ିଶା ଯୋଗ ଆସୋସିଏସନ୍ ସଭାପତି ନବ କିଶୋର ମହାନ୍ତି, ସମ୍ପାଦକ ଆଦିତ୍ୟ କୁମାର ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା କହିଥିଲେ, ଯୋଗ ହେଉଛି ଆମର ନିତିଦିନିଆ ଜୀବନର ଏକ ଅଂଶ। ଯୋଗ, ପ୍ରାଣାୟାମ କରିବା ଦ୍ବାରା ମନ ପ୍ରଫୁଲ୍ଲ ରହିବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ। ତେଣୁ ସମସ୍ତେ ଯୋଗ କରି ସୁସ୍ଥ ରହିବାକୁ ସେ ଆହ୍ବାନ ଦେଇଥିଲେ। ଆହୁରି ସେ କହିଥି‌ଲେ ଯେ ସମ୍ବାଦ ପରିବାର ପକ୍ଷରୁ ଆୟୋଜିତ ଏହି ଯୋଗ କାର୍ଯ୍ୟକ୍ରମ ରାଜଧାନୀବାସୀଙ୍କୁ ଯୋଗ ପ୍ରତି ସଚେତନ କରିବା ସହ ପ୍ରେରଣା ଯୋଗାଇବ। ନିଗମ କଳ୍ପତରୁ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ କହିଥିଲେ, ସବୁ ପ୍ରାଣୀଙ୍କ ମଧ୍ୟରେ ମନୁଷ୍ୟ ହିଁ ତା ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିପାରେ। ଯିଏ ଯେତେ ଶୃଙ୍ଖଳିତ ଭାବେ ନିଜ ଜୀବନଙ୍କୁ ପରିଚାଳନା କରିପାରେ ସେ ଦୀର୍ଘଜୀବୀ ହୋଇଥାଏ। ମଣିଷକୁ ଦୀର୍ଘଜୀବୀ ହେବା ପାଇଁ ତା ଶରୀର ନିରୋଗ ରହିବା ଆବଶ୍ୟକ। ଶୃଙ୍ଖଳିତ ହେବା ପାଇଁ ସମସ୍ତେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ନିଜ କାମ ସାରି ଯୋଗ, ପ୍ରାଣାୟାମ କରିବା ଆବଶ୍ୟକ। ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ ଯେ ରାଜଧାନୀବାସୀଙ୍କ ମଧ୍ୟରେ ଯୋଗ ପ୍ରତି ସଚେତନତା ବୃଦ୍ଧି ପାଉଛି। ଆଜିର ‌ଯୋଗାଥନ କାର୍ଯ୍ୟକ୍ରମରେ ଏତେ ସଂଖ୍ୟାରେ ଲୋକ ଯୋଗ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ପ୍ରକ‌ାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ମହାପ୍ରବନ୍ଧକ (ବିଜ୍ଞାପନ) ସଂଜୟ ଗୌର୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆର୍‌.ଜେ ସୋନାଲି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ମନ ଜିଣିଲେ ଦୁଇ ୟୁରୋପୀୟ ଭଉଣୀ
ଓଡ଼ିଶା ଯୋଗାଥନ୍‌ରେ ବହୁ ଜାତୀୟସ୍ତରୀୟ ଓ ରାଜ୍ୟସ୍ତରର ଯୋଗ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଯୋଗ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସଙ୍ଗୀତ ତାଳେତାଳେ ବହୁ ଛାତ୍ରଛାତ୍ରୀ ଯୋଗ ନୃତ୍ୟ ଓ କଠିନ ଯୋଗମୁଦ୍ରା ପ୍ରଦର୍ଶନ କରି ଉପସ୍ଥିତ ଲୋକମାନଙ୍କୁ ଆକର୍ଷିତ କରିଥି‌ଲେ। ସାଇ ଇଣ୍ଟରନ୍ୟାସନାଲରେ ପଢ଼ୁଥିବା ୟୁରୋପ ମହାଦେଶରୁ ଆସିଥିବା ଦୁଇ ଭଉଣୀ ଲିଓ ଓ ଲାରାଙ୍କ ଯୋଗନୃତ୍ୟ ସମସ୍ତଙ୍କ ମନ ଜିଣିଥିଲା। ପରେ କଟକର ଅଂଶୁମାନ ବେହେରା, ସମ୍ବୃତି ଦାସ, ବାଙ୍କିର ତେଜସ୍ବିନୀ ଲେଙ୍କାଙ୍କ ଯୋଗମୁଦ୍ରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଡିଏଭି ଚନ୍ଦ୍ରଶେଖରପୁରର ଦଳଗତ ନୃତ୍ୟ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ରହିଥିଲା।

ମାଗଣା ସ୍ବାସ୍ଥ୍ୟ ପରୀକ୍ଷା
ଆଜିର ଏହି କାର୍ଯ୍ୟକ୍ରମରେ ୭୦୦ରୁ ଊର୍ଦ୍ଧ୍ବ ଲୋକ ଉପସ୍ଥିତ ରହି ଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ପାଇଁ ଶ୍ରୀ ହସ୍ପିଟାଲ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବହୁ ଲୋକ ମଧୁମେହ, ରକ୍ତଚାପ ଭଳି ପରୀକ୍ଷା ମାଗଣାରେ କରିଥିଲେ। ଏହାସହ ଉତ୍କଳ ଇଭି ପକ୍ଷରୁ ବିଭିନ୍ନ ଇଭି ସ୍କୁଟି ପ୍ରଦର୍ଶିତ କରାଯାଇଥିଲା। ସାଧାରଣ ଲୋକମାନେ ଟେଷ୍ଟ ଡ୍ରାଇଭ୍ ମଧ୍ୟ କରିଥିଲେ। ଫ୍ରିଡମ୍ ପକ୍ଷରୁ କରାଯାଇଥିବା ଷ୍ଟଲରେ ଫ୍ରିଡମ୍ ଅଏଲ୍ ପ୍ରଦର୍ଶିତ ଓ ବିକ୍ରି କରାଯାଇଥିଲା।

ମୁଖ୍ୟ ଆକର୍ଷଣ ଭୂମିକା ଓ ଶ୍ରେୟାନ୍
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଓ ଅଭିନେତା ଶ୍ରେୟାନ୍। ସେମାନେ ମଧ୍ୟ ଉପସ୍ଥିତ ଲୋକଙ୍କ ସହ ମିଶି ଯୋଗ ପ୍ରଦର୍ଶନ କରିଥିଲେ। ଜଣେ ଅଭିନେତ୍ରୀ ଓ ଅଭିନେତା ହିସାବରେ ସବୁବେଳେ ସୁସ୍ଥ ସବଳ ଓ ଆକର୍ଷଣୀୟ ରହିବା ପଛ‌ରେ ଯୋଗ ମୁଖ୍ୟ ବୋଲି ମତବ୍ୟକ୍ତ କରିଥିଲେ।

ହସି ହସାଇଲେ
ନା ମଜାଳିଆ କଥାରେ ନା ଅଙ୍ଗଭଙ୍ଗୀରେ କେହି ହସାଇଥିଲେ। ତଥାପି ସମସ୍ତେ ଠୋ ଠୋ.. ହୋଇ ହସିଥିଲେ। ହସ.. ବୋଲି କହିବା ମାତ୍ରେ ସଭିଏଁ ନିଜ ନିଜ ଢଙ୍ଗରେ ହସିବା ବେଳେ ପରସ୍ପରକୁ ଚାହିଁ ଆହୁରି ହସିଥିଲେ। ପ୍ରଥମେ ବିନା ଶବ୍ଦରେ ଏବଂ ପରେ ଶବ୍ଦ କରି ବାହୁ ପ୍ରସାରି ହସିବା ଦେଖି ଦେଖେଣାହାରୀ ସାଜିଥିବା ଲୋକ ବି ଖୁବ୍ ହସୁଥିଲେ। ହସର ଯୋଗ ଗୁରୁ ରବୀନ୍ଦ୍ର କୁମାର ଜେନା, ଉଷାନ୍ତି ଲତା ପଣ୍ଡା, ଲକ୍ଷ୍ମୀ ନାରାୟଣ ପାଢ଼ୀ ଏହି ହସ ବ୍ୟାୟାମକୁ ପରିଚାଳନା କରିଥିଲେ। ଥରେ ହସିଦେଲେ ଆପେଆପେ ମନ ପ୍ରଫୁଲ୍ଲ ହୋଇଯାଏ ବୋଲି ସେ କହିଥିଲେ।

 

ସମ୍ବନ୍ଧିତ ଖବର