ଅଧାରୁ ସରିଗଲା ଟିକା, ଫେରିଗଲେ ଶହେ, ଟିକାକରଣ କେନ୍ଦ୍ରରେ ଉତ୍ତେଜନା

ବାଲିଅନ୍ତା : କୋଭିଡ୍‌ ଟିକାକରଣରେ ଘୋର୍‌ ଅବ୍ୟବସ୍ଥା ନେଇ ଶନିବାର ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପ୍ରଥମ ଡୋଜ୍‌ ଟିକା ନେବା ପାଇଁ ଶନିବାର ସକାଳୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଢ଼ଶହରୁ ଊର୍ଧ୍ବ ଲୋକ ଧାଡ଼ିରେ ଛିଡ଼ା ହୋଇଥିଲେ। ତେବେ ସେଥିମଧ୍ୟରୁ ମାତ୍ର ୬୦ଜଣଙ୍କୁ ଟିକାକରଣ କରାଯିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ ଟିକା ସରିଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଥିବା ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଭାରାପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଓ ପିଏଚ୍‌ଓ ସନ୍ତୋଷ କୁମାର ସେଠୀଙ୍କ ପ୍ରକୋଷ୍ଠ ଆଗରେ ହୋ-ହଲ୍ଲା କରିଥିଲେ। ଯଦି ସ୍ବାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଟିକା ନଥିଲା, ତେବେ ଏ ସଂପର୍କରେ କାହିଁକି ନୋଟିସ୍‌ ଲଗାଗଲା ନାହିଁ ବୋଲି କହି ପାଟିତୁଣ୍ଡ କରିଥିଲେ। କିନ୍ତୁ ଆଜି ଦ୍ବିତୀୟ ଶନିବାର ପାଇଁ ଅଧିକାରୀମାନେ ଛୁଟିରେ ଥିବାରୁ ଅଭିଯୋଗକାରୀମାନେ ଶେଷରେ ନିରାଶ ହୋଇ ଫେରିଯାଇଥିଲେ। ଏ ସଂପର୍କରେ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧକାରୀ ତନ୍ମୟ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲ୍ଲା ଟିକାକରଣ କେନ୍ଦ୍ର ପକ୍ଷରୁ ଆବଶ୍ୟକ ପରିମାଣର କୋଭିଡ୍‌ ଟିକା ଯୋଗାଇ ଦିଆଯିବା ପରେ ପୁଣି ଟିକାକରଣ କାର୍ଯ୍ୟ ଆରମ୍ଭ ହେବ।

ସୂଚନାଯୋଗ୍ୟ, ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୋଟି ୨ହଜାରରୁ ଅଧିକ ଲୋକ ଟିକା ନେଇସାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର