ଭୁବନେଶ୍ୱର: ଆଜି ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହୋଇଯାଇଥିଲା। ତୁହାକୁ ତୁହା ବର୍ଷାରେ ରାଜଧାନୀର ବିଭିନ୍ନ ରାସ୍ତା ଜଳମଗ୍ନ ହୋଇଯାଇଥିଲା। ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ୯ ଘଣ୍ଟାରେ ଆଜି ଭୁବନେଶ୍ବରରେ ୧୦ ମିଲିମିଟର ବର୍ଷା ହୋଇଛି। ୧୦ ମିମି ବର୍ଷାରେ ଭୁବନେଶ୍ବର ଭାସିଛି। ବମିଖାଲ ଓ ଲକ୍ଷ୍ମୀସାଗର ଅଞ୍ଚଳରେ କେତେକ ଘରେ ବର୍ଷା ପାଣି ପଶି ଯାଇଥିବା ବେଳେ ବାହାରକୁ ଯାଇଥିବା ଲୋକମାନେ ଫେରିବା ବେଳେ ରାସ୍ତାରେ ବର୍ଷା ପାଣି ସୁଅରେ ଫସି ଯାଇଥିଲେ।
ଇସ୍କନ ମନ୍ଦିର ସମ୍ମୁଖରେ ଅଣ୍ଟାଏ ପାଣି ଘଣ୍ଟାଏ କାଳ ଜମି ରହିଥିଲା। ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ସ୍କୁଟି ପାଣିରେ ବୁଡ଼ି ଯାଇଥିଲା। ଗାଡ଼ି ମାଲିକ ଠେଙ୍ଗା ଧରି ଅଧଘଣ୍ଟାଏ ଖୋଜିବା ପରେ ଗାଡ଼ି ପାଇଥିଲେ। ଗୋଟିଏ ପୁଲିସ ଭ୍ୟାନ୍ ପାଣି ଭିତରେ ଷ୍ଟାର୍ଟ ବନ୍ଦ ହୋଇଯିବାରୁ ଠେଲିବାକୁ ପଡ଼ିଥିଲା। ଗୋଟିଏ ମୋ ବସ୍ର ସାଇଲେନ୍ସର ଭିତରେ ପାଣି ପଶିଯିବାରୁ ବସ୍ରୁ ଧୂଆଁ ବାହାରିଥିଲା। ଯାତ୍ରୀମାନେ ନିଆଁ ଲାଗିବା ଭୟରେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ବର୍ଷା ଯୋଗୁଁ ବିଏମ୍ସିର ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମ ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରଦର୍ଶନୀ ପଡ଼ିଆ ସମେତ ବିଭିନ୍ନ ଜାଗାରେ ଚାଲିଥିବା ମେଳା ମଧ୍ୟ ପ୍ରଭାବିତ ହୋଇଥିଲା।