ଭୁବନେଶ୍ବର: ଅଧକୋଟି ଟଙ୍କା ଖର୍ଚ୍ଚ କରି ‘ଜୋକ’ ପୋଖରୀର ପୁନରୁଦ୍ଧାର କରାଗଲା। ଗାଧୁଆତୁଠ, ପୋଷାକ ବଦଳା ଗୃହଠାରୁ ଆରମ୍ଭ କରି ପୋଖରୀର ଚତୁଃପାର୍ଶ୍ବ ପ୍ରାଚୀର ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାମ କରାଗଲା। କିନ୍ତୁ ଏହାପରେ ପୋଖରୀ ଆଡ଼କୁ ଅନାଇଲେନି। ପରିଣାମସ୍ବରୂପ ଆଜି ‘ଜୋକ ପୋଖରୀ’ ବିକାଶ ଅଧାରେ ଅଟକିଛି। ପୋଖରୀ ପ୍ରାଚୀରର ଲୁହା ଛଡ଼ ସବୁ ପ୍ରାଣଘାତକ ଭଳି ବାହାରିଛି। ନିୟମିତ ପୋଖରୀରେ ଆବର୍ଜନା ଫିଙ୍ଗାଯାଉଥିବାରୁ ପାଣି କଳା ପଡ଼ି ଗନ୍ଧେଇଲାଣି, ପୋକ ହେଲେଣି। ରକ୍ଷଣାବେକ୍ଷଣ ଅଭାବରୁ ଆବର୍ଜନା ସହ ଦଳରେ ବି ପୋଖରୀ ଭର୍ତ୍ତି ହୋଇଗଲାଣି।
ଆବର୍ଜନା ଓ ଦଳରେ ଭର୍ତ୍ତି ପୋଖରୀ
ଗନ୍ଧେଇଲାଣି ପାଣି
ସୌନ୍ଦର୍ଯ୍ୟୀକରଣ ପାଇଁ ଆଉ ୩୫ ଲକ୍ଷର ଟେଣ୍ଡର
ଭୁବନେଶ୍ବର ମହାନଗର ନିଗମର ୪୩ ନମ୍ବର ୱାର୍ଡ ଲକ୍ଷ୍ମୀସାଗରରେ ରହିଛି ‘ଜୋକ ପୋଖରୀ’। ଧାର୍ମିକ କାର୍ଯ୍ୟ, ଶୁଦ୍ଧିକ୍ରିୟା ଆଦି ପାଇଁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରନ୍ତି। ରାଜ୍ୟ ସରକାର ବିଏମ୍ସି ଜରିଆରେ ‘ଜୋକ ପୋଖରୀ’ ଓ ଏହା କୂଳରେ ଦଶାହକର୍ମ ଗୃହର ଉନ୍ନତୀକରଣ ପାଇଁ ୪୭ଲକ୍ଷ ୬୯ହଜାର ୮୮୬ ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ୨୦୨୩ ମେ ୨୨ ତାରିଖରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର୍ ଭରତ କୁମାର ଲେଙ୍କା ପ୍ରମୁଖଙ୍କ ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ପଡ଼ିଥିଲା। ଅନୁଦାନରେ ପୋଷାକ ବଦଳା ଗୃହ, ପୋଖରୀ ପାହାଚ, ଚାରିପାର୍ଶ୍ବ ପାଦଚଲା ରାସ୍ତା, ପ୍ରାଚୀର ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା। ଏ ଭିତରେ ଦଶାହ କାର୍ଯ୍ୟ ଗୃହ, ପୋଷାକ ବଦଳା ଗୃହ, ପୋଖରୀ ପାହାଚ ତିଆରି ହୋଇଛି।କିନ୍ତୁ ଚାରିପାର୍ଶ୍ବ ପାଦଚଲା ରାସ୍ତା, ପ୍ରାଚୀର ଆଦି ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି। ପୋଖରୀର ଦେଖାଶୁଣା ବୁଝୁଥିବା ଲକ୍ଷ୍ମୀସାଗର ଯୁବ ପରିଷଦ ସଭାପତି ଆଦିତ୍ୟ ରାଉତରାୟ କହିଛନ୍ତି, ପୋଖରୀର ଅସଂପୂର୍ଣ୍ଣ କାମ ଓ ଅପରିଛନ୍ନତା ସଂପର୍କରେ କର୍ପୋରେଟର୍ଙ୍କ ଦୃଷ୍ଟି ଆକର୍ଷଣ କରିଛୁ।
ପରିଷଦ ସଂପାଦକ ରାକେଶ କୁମାର ସ୍ବାଇଁ କହିଛନ୍ତି, ଆମେ ଯେତେ ବାରଣ କଲେ ବି ଲୋକେ ଶୁଣୁନାହାନ୍ତି। ପୋଖରୀକୁ ଜରି, ଘରର ଆବର୍ଜନା ଫିଙ୍ଗୁଛନ୍ତି। ଫୁଲ, ନଡ଼ିଆ ଆଦି ଫିଙ୍ଗୁଛନ୍ତି। ଯାହା ପୋଖରୀର ଜଳକୁ ପ୍ରଦୂଷିତ କରୁଛି। ୪୩ ନମ୍ବର ୱାର୍ଡ କର୍ପୋରେଟର୍ ଭରତ କୁମାର ଲେଙ୍କା କହିଛନ୍ତି, ଯେଉଁ ଠିକାଦାର କାମ ନେଇଥିଲେ, ପୂର୍ବ ସରକାର ସମୟରେ ତାଙ୍କୁ କାମର ରନିଂ ବିଲ୍ ମିଳି ଯାଉଥିଲା। ସରକାର ବଦଳିବା ପରେ ଆଉ ରନିଂ ବିଲ୍ ମିଳୁନି। ଯେଉଁଥିପାଇଁ ‘ଜୋକ ପୋଖରୀ’ କାମ ସଂପୂର୍ଣ୍ଣ ହୋଇପାରିନି। ସେପଟେ ପୂର୍ବ ସରକାର ଅମଳରେ ପୋଖରୀର ସୌନ୍ଦର୍ଯ୍ୟୀକରଣ ଯଥା ଲାଇଟିଂ, ବୃକ୍ଷରୋପଣ, ବସିବା ଜାଗା ଆଦି ପାଇଁ ‘ଆମ ପୋଖରୀ’ ଯୋଜନାରେ ୧୫ ଲକ୍ଷ ଓ ମୁକ୍ତା ଯୋଜନାରେ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ସରକାର ବଦଳିବା ପରେ ଏସବୁ ବନ୍ଦ ହୋଇଗଲା। ଏବେ ‘ଜୋକ ପୋଖରୀ’ ସୌନ୍ଦର୍ଯ୍ୟୀକରଣ ପାଇଁ ୱାର୍ଡ ବଜେଟ୍ରେ ପ୍ରାୟ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଟେଣ୍ଡର ସରିଛି। ଏ ଭିତରେ କାର୍ଯ୍ୟାଦେଶ ସହ କାମ ଆରମ୍ଭ ହୋଇଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି।