ପ୍ରବାସୀଙ୍କୁ ଯୋଡ଼ିଲେ ଭାଷା ଓ ସାହିତ୍ୟ ବିସ୍ତାରିତ ହେବ: ସୌମ୍ୟ

ଅଧିକାଂଶ ସଫଳ ଓଡ଼ିଆ ବାହାରେ

ଭୁବନେଶ୍ବର: ଓଡ଼ିଶାରେ ଜନ୍ମିତ ଅନେକ ସଫଳ ମଣିଷ ଓଡ଼ିଶାରେ ନାହାନ୍ତି। ବୃତ୍ତି ପାଇଁ ବହୁ ଦୂରକୁ ଚାଲିଯାଇଛନ୍ତି। ଓଡ଼ିଶା ପ୍ରତି ସେମାନଙ୍କର ଆବିଳତା ଥିଲେ ମଧ୍ୟ ଓଡ଼ିଶାର ସେବା କରିବାର ସୁଯୋଗ ସ୍ବାଭାବିକ ଭାବେ କମ୍‌ ପାଇଥାନ୍ତି। କିନ୍ତୁ ବିଜ୍ଞାନ ଓ କାରିଗରୀ କୌଶଳ ପ୍ରବା‌ସୀଙ୍କୁ ଯୋଡ଼ିବା ପାଇଁ ବିରାଟ ସୁଯୋଗ ସୃଷ୍ଟି କରିଛି। ତେଣୁ କାରିଗରୀ କୌଶଳ ସହାୟତାରେ ପ୍ରବାସୀଙ୍କୁ ଯୋଡ଼ି ପାରିଲେ ଆମ ଭାଷା ଓ ସାହିତ୍ୟ ବିସ୍ତାରିତ ହେବ। ଆଜି ଚେନ୍ନାଇ ସୃଜନୀ ପରିବାର ଆନୁକୂଲ୍ୟରେ ଆୟୋଜିତ ‘ସମ୍ବାଦ ସାହିତ୍ୟ ଘର’ ସାରସ୍ୱତ ମହୋତ୍ସବର ଆଭାସୀ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ସୃଜନୀ ପରିବାର ସମ୍ପାଦକ ଅଶୋକ ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଭାରତରେ ମାତ୍ର ୪% ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି। ‌ହେଲେ ଭାରତର ଏମିତି କୌଣସି ପୁରସ୍କାର ନାହିଁ ଯାହା ଓଡ଼ିଆ ସାହିତ୍ୟିକଙ୍କୁ ମିଳିନାହିଁ। କିନ୍ତୁ ସାହିତ୍ୟିକମାନେ ଯେତିକି ସଫଳ ହୋଇଛନ୍ତି ଓଡ଼ିଆ ସାହିତ୍ୟ ସେଭଳି ସଫଳ ହୋଇନାହିଁ। ଭାଷାକୁ ବଞ୍ଚାଇବାକୁ ହେଲେ ମନରେ ଥିବା ଦ୍ବନ୍ଦ୍ବକୁ ଦୂର କରିବାକୁ ପଡ଼ିବ।

‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଲେ, ସାହିତ୍ୟିକମାନେ ଲେଖାଲେଖିର ବଳୟ ଭିତରୁ ବାହାରି ସାମାଜିକ ପ୍ରତିବଦ୍ଧତାକୁ ମଧ୍ୟ ପାଳନ କରନ୍ତୁ। ସାହିତ୍ୟ ଚର୍ଚ୍ଚା ଓ ଆଲୋଚନା ସହ ସମାଜ ପ୍ରତି ଥିବା କର୍ତ୍ତବ୍ୟକୁ ‘ସମ୍ବାଦ ସାହିତ୍ୟ ଘର’ ଭଳି ନିଷ୍ଠାର ସହ ପାଳନ କରନ୍ତୁ ବୋଲି ମତ ଦେଇଥିଲେ।

ଓଡ଼ିଶା ମହିଳା କମିସନର ପ୍ରାକ୍ତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି କହିଲେ ଓଡ଼ିଶା ପାଇଁ ସ୍ବପ୍ନ ଦେଖି ସାକାର କରିବାରେ ଶ୍ରୀ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ। ତାଙ୍କ ମାନସରୁ ଜନ୍ମିତ ‘ସମ୍ବାଦ ସାହିତ୍ୟ ଘର’ ଓଡ଼ିଶା ତଥା ଓଡ଼ିଶା ବାହାରେ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏହି ଅବସରରେ ସୃଜନୀ ପରିବାରର ଉପଦେଷ୍ଟା ବାସନ୍ତୀ ମହାନ୍ତି ଓଡ଼ିଶାର ମଧୁବାବୁଙ୍କ ପରେ ନୂତନ ଓଡ଼ିଶା ଗଠନରେ ଶ୍ରୀ ପଟ୍ଟନାୟକଙ୍କ ଅବଦାନ ରହିଛି ବୋଲି କହିଥିଲେ। ସାହିତ୍ୟିକା ପାରମିତା ଷଡ଼ଙ୍ଗୀ ସମ୍ବାଦ ସାହିତ୍ୟ ଘର ପ୍ରବାସୀମାନଙ୍କୁ ନେଇ ଅଧିକ କାର୍ଯ୍ୟକ୍ରମ କରିବାକୁ ଆହ୍ବାନ ଦେଇଥିଲେ। ଅତିଥି ଭାବେ ଅନୁଗୁଳ ସମ୍ବାଦ ସାହିତ୍ୟ ଘରର ସଭାପତି ଶାନ୍ତନୁ ସ କହିଲେ, ଆଗରୁ ସହରରେ ସାହିତ୍ୟ ଚର୍ଚ୍ଚା ହେଉଥିବା ବେଳେ ଏବେ ସମ୍ବାଦ ସାହିତ୍ୟ ଘର ଜରିଆରେ ସହରରୁ ଗାଁକୁ ସାହିତ୍ୟ ଫେରୁଛି। ଏଥିରେ ଯୁବବର୍ଗଙ୍କୁ ଯୋଡ଼ି ପାରିଲେ ଏହା ଅଧିକ ଫଳପ୍ରସୁ ହେବ। ବାଲିକୁଦାର ସଭାପତି ସ୍ମିତା ଦାସ ପ୍ରତିଭା ବିକାଶରେ ସମ୍ବାଦ ସାହିତ୍ୟ ଘରର ବଡ଼ ଯୋଗଦାନ ରହିଛି ବୋଲି କହିଥିଲେ। ସେହିପରି ରାଉରକେଲାର ସାଧାରଣ ସମ୍ପାଦକ ପ୍ରଶାନ୍ତ ଦାସ ଶ୍ରୀ ପଟ୍ଟନାୟକଙ୍କ ଉପରେ ଅଧିକ ଗବେଷଣା ହେବା ଆବଶ୍ୟକ, ବଲାଙ୍ଗୀରର ପ୍ରାକ୍ତନ ସଭାପତି ସଞ୍ଜୟ ମିଶ୍ର ସାହିତ୍ୟ ଘର ସାହିତ୍ୟ ସହ ଜୀବନ ବଞ୍ଚିବାର ବାଟ ଦେଖାଉଥିବା କହିଥିଲେ। ବଡ଼ବିଲର ସାଧାରଣ ସମ୍ପାଦକ ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ସହ ବିଭିନ୍ନ ଜନହିତକର କାର୍ଯ୍ୟ କରିବାରେ ସାହିତ୍ୟ ଘର ଅଗ୍ରଣୀ ଭୂମିକା ନିର୍ବାହ କରିଛି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗରର ସାଧାରଣ ସମ୍ପାଦକ ସନ୍ତୋଷ ଜେନା, ବାରିପଦାର ସଭାପତି ମନୋଜ ଦଳବେହେରା, ଭଦ୍ରକର ପ୍ରାକ୍ତନ ସଭାପତି ଅଧ୍ୟାପକ ପବିତ୍ର ପାଣିଗ୍ରାହୀ, ଚନ୍ଦାହାଣ୍ଡି ସାଧାରଣ ସମ୍ପାଦକ ସନ୍ତୋଷ ଖମାରି, କେନ୍ଦ୍ରାପଡ଼ା ସାଧାରଣ ସମ୍ପାଦକ ଆଦିକନ୍ଦ ରାଉଳ, ସୃଜନୀ ପରିବାର ଉପଦେଷ୍ଟା ପ୍ରଫେସର ଗୋଦାବରୀଶ ମିଶ୍ର, ଚନ୍ଦ୍ରା ମିଶ୍ର, ରଘୁନାଥ ବେହେରା ପ୍ରମୁଖ ଯୋଗଦେଇଥିଲେ।
ସୃଜନୀ ପରିବାର ମୁଖ୍ୟ ଉପଦେଷ୍ଟା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଆଶୁତୋଷ ସାମନ୍ତସିଂହାର ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ। ପ୍ରସାରଭାରତୀର ଜଣାଶୁଣା କଣ୍ଠଶିଳ୍ପୀ ବିଦ୍ୟୁତ୍‌ପ୍ରଭା ପଟ୍ଟନାୟକ, ଆକାଶବାଣୀର କଣ୍ଠଶିଳ୍ପୀ ମହାଶ୍ୱେତା ପଟ୍ଟନାୟକ ଓ ଶିଶୁ କଣ୍ଠଶିଳ୍ପୀ ଦିବ୍ୟାଂଶା ମୁଣ୍ଡ ସଂଗୀତ ଗାନ କରିଥିଲେ। ଶିକ୍ଷାବିତ୍ ଓ ସାହିତ୍ୟିକ ରମେଶ ଚନ୍ଦ୍ର ପଶାୟତ ଏବଂ ଭବାନୀପାଟଣା ଆକାଶବାଣୀର ଉପସ୍ଥାପିକା ସୁମତି ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଝରଣା ପାଢ଼ୀ ଧନ୍ୟବାଦ ଦେଇଥିଲେ।
ବିଭିନ୍ନ ସାହିତ୍ୟଘରର ସଦସ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବେଗୁନିଆରୁ ରବୀନ୍ଦ୍ରନାଥ ପାଣିଗ୍ରାହୀ, ଯାଜପୁରରୁ ବ୍ୟାସନଗରରୁ ମୀରିନା ମହାନ୍ତି, ବାଲେଶ୍ବରରୁ ହରିଶ୍ଚନ୍ଦ୍ର ବେହେରା ଓ ଶିରୀଶ ଚନ୍ଦ୍ର ଜେନା, ଜଳେଶ୍ବରୁ ଅଜିତ ମହାନ୍ତି, ରାଜଘାଟରୁ ସୁଶାନ୍ତ ପରିଡ଼ା, ବାଲିଆପାଳରୁ ନଳିନୀ ପାଢ଼ୀ, ତିହିଡ଼ିରୁ କୈଳାସ ବେହେରା, କୋଳିଅଣାରୁ ରାଜଲକ୍ଷ୍ମୀ ତ୍ରିପାଠୀ, ପାରଳାଖେମୁଣ୍ଡିରୁ ବିଚିତ୍ରାନନ୍ଦ ବେବର୍ତ୍ତା, ଖୋର୍ଦ୍ଧାରୁ ସତ୍ୟବାଦୀ ବଳିଆରସିଂ, କଣାସରୁ ଦିଲ୍ଲୀପ ଶ୍ରୀଚନ୍ଦନ, ଦାନଗଦୀରୁ ଯୁଗପ୍ରଭା ସାବତ, କୋଟପାଡ଼ରୁ ପୁଷ୍ପଲତା ମୁଦୁଲି ଓ ସ୍ନିଗ୍ଧା ମହାନ୍ତି, ଜୟପୁରରୁ ହରିହର କରସୁଧା ପଟ୍ଟନାୟକ ଓ ତ୍ରିନାଥ ଖଡ଼ଙ୍ଗା, ରାୟଗଡ଼ାରୁ ଆଶୁତୋଷ ପାତ୍ର, ସୁନ୍ଦରଗଡ଼ରୁ ବିବିଧ ବିଶ୍ବ, ରାଜଗାଙ୍ଗପୁରୁ ସୁପ୍ରଭା ପରିଜା, ବରଗଡ଼ରୁ ରବିନାରାୟଣ ସାହୁ, ଟିଟିଲାଗଡ଼ରୁ ସଂଜୟ ଅଗସ୍ତି, ଡୁଙ୍ଗୁରିପାଲିର ଘନଶ୍ୟାମ ମେହେର, ବିନିକା ସଦରରୁ ନୀଳାଞ୍ଚଳ ମେହେର, ଝାରସୁଗୁଡ଼ାରୁ ସ୍ବର୍ଣ୍ଣମୟୀ ପୁରୋହିତ, ଝାଡ଼ଖଣ୍ଡରୁ ମହାଦେବ ନାୟକ ଓ କମଳାକାନ୍ତ ପ୍ରହରାଜ, ଖଣ୍ଡାମୌଦାରୁ ଭୋତନାଥ ବେରା, ବାଙ୍କୀରୁ ବିଦ୍ୟାଧର ଖଟୁଆ, ବ୍ରହ୍ମପୁରରୁ ନୀଳକଣ୍ଠ ସାହୁ, ସାଉଥବଲଣ୍ଡାରୁ ବିଭୁତି ଭୂଷଣ ସ୍ବାଇଁ ଓ ବିଭୁତି ଭୂଷଣ ସାହୁ, ବିନିକାରୁ ଅକ୍ଷୟ ପୂଜାହାରୀ, ଶୁଳିଆପଦାରୁ ଗୋପାଳ ସାଓ, ରାଇରଙ୍ଗପୁରରୁ ତିମିର ପଣ୍ଡା ଓ ରାଜଗାଙ୍ଗପୁରରୁ ସୁପ୍ରଭା ପରିଜା, କଳାହାଣ୍ଡିରୁ ଦେବେନ୍ଦ୍ର ବିଶି, ଶାମାଖୁଣ୍ଟାରୁ ସମରେନ୍ଦ୍ର ବସା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର