ଖଣ୍ଡଗିରି: ବନ ଉନ୍ନୟନ ନିଗମର ବିଚିତ୍ର ନିୟମ ଓ ରାତି ଟିକେଟ୍‌ ଦରବୃଦ୍ଧି ପାଇଁ ଜୟଦେବ ବାଟିକା ଆଉ ଆଗ ଭଳି ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରୁନାହିଁ। ବର୍ଦ୍ଧିତ ଦରରେ ରାତି ଟିକେଟ୍‌ କିଣି ଥରେ ବାଟିକାକୁ ଯାଉଥିବା ପର୍ଯ୍ୟଟକ ସେଭଳି କିଛି ମନୋରମ ପରିବେଶର ମଜା ନପାଇ ଆଉ ଥରେ ଯିବାକୁ ମୁହଁ ମୋଡ଼ୁଛନ୍ତି। ରାତିରେ ଉପଯୁକ୍ତ ଆଲୋକ ଅଭାବରୁ କୃତ୍ରିମ ଜଳପ୍ରପାତ, ନଈ ଓ ଜଳ ଫୁଆରାର ଆକର୍ଷଣ ବହୁ ପରିମାଣରେ କମି ଯାଉଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ସନ୍ଧ୍ୟାରେ ବିଦ୍ୟୁତ୍ କାଟ୍‌ ସାଙ୍ଗକୁ ଅନ୍ୟାନ୍ୟ ବାହାନା କରି ବାଟିକା ଭିତରେ ଲାଇଟ୍‌ ହ୍ରାସ କରାଯାଉଛି। ଫଳରେ ଜଙ୍ଗଲ ଭିତରେ ଅନ୍ଧାରରେ ପର୍ଯ୍ୟଟକ ନିରାପଦ ମଣୁନାହାନ୍ତି କି ବୁଲିବାର ମଜା ପାଉନାହାନ୍ତି ବୋଲି କହୁଛନ୍ତି।

Advertisment

ରାତିରେ ରଙ୍ଗିନ୍‌ ଆଲୋକମାଳା‌ରେ ଝଲମଲ କରୁଥିବା ଗଛପତ୍ର, ଜଳ ପ୍ରପାତ, ନଈକୁ ଦେଖି ପର୍ଯ୍ୟଟକମାନେ ଅଧିକ ମଜା ଉଠାଇବାର ସୁଯୋଗ ପାଇବେ ଏବଂ ଜୟଦେବ ବାଟିକା ଅଧିକ ଆକର୍ଷଣୀୟ ହେବ। ଏଭଳି ଚିନ୍ତା କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବନ ନିଗମକୁ ନୂଆ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ହକି ବିଶ୍ବକପ୍‌ ବେଳେ ନୂଆ ନିୟମ ଲାଗୁକଲା। ପୂର୍ବ ଭଳି ଦିନ ସମୟରେ ଖୋଲା ରହିବା ସହ ରାତି ୯ଟା ପର୍ଯ୍ୟନ୍ତ ବାଟିକା ଖୋଲାରହିବ ବୋଲି ନିଷ୍ପତ୍ତି ନିଆଗଲା। ନୂତନ ବ୍ୟବସ୍ଥାରେ ଦିନ ଅପେକ୍ଷା ରାତିର ପ୍ରବେଶ ଟିକେଟ୍‌ ଦର ବଢ଼ାଇ ଦିଆଗଲା।

ଦିନ ବେଳା ୧୨ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ରାତିରେ ୫୦ ଟଙ୍କାକୁ ବଢ଼ାଇ ଦିଆଗଲା। ଦିନରେ ସାଇକେଲ ପାଇଁ ପ୍ରବେଶ ଶୁଳ୍କ ୫ ଟଙ୍କା ଥିବା ବେଳେ ରାତିରେ ୧୦ଟଙ୍କା, ଦିନରେ ଦୁଇ ଚକିଆ ଗାଡ଼ି ପାଇଁ ପ୍ରବେଶ ଶୁଳ୍କ ୩୦ ଟଙ୍କା ଥିବା ବେଳେ ରାତି‌ ପାଇଁ ୫୦ ଟଙ୍କା, ଦିନରେ ତିନିଚକିଆ ଯାନ ପାଇଁ ଟିକେଟ୍‌ ଦର ୫୦ଟଙ୍କା ଥିବା ବେଳେ ରାତି ପାଇଁ ୮୦ଟଙ୍କା ଏବଂ ୪ ଚକିଆ ଗାଡ଼ି ପାଇଁ ଦିନର ଟିକେଟ୍‌ ମୂଲ୍ୟ ୧୦୦ ଟଙ୍କା ରଖାଯାଇଥିବା ବେଳେ ରାତି ପାଇଁ ୧୫୦ ଟଙ୍କାକୁ ବଢ଼ାଇ ଦିଆଗଲା।

ରାତିର ବର୍ଦ୍ଧିତ ଟିକେଟ୍‌ ଦର ବାଧିଲେ ବି ପର୍ଯ୍ୟଟକମାନେ ରଙ୍ଗିନ୍‌ ଆଲୁଅରେ ସଜେଇ ହୋଇଥିବା ଜଙ୍ଗଲର ମନୋରମ ଦୃଶ୍ୟ ଦେଖିବାକୁ ଗଲେ। କିନ୍ତୁ ଭିତରକୁ ଗଲା ପରେ ଦେଖିଲେ ଯେ ପ୍ରଚାର ଯେଉଁ ଢ଼ଙ୍ଗରେ ହୋଇଛି, ଅସଲରେ ସେମିତି କିଛି ନାହିଁ। ପାର୍କ ଭିତରେ ଯେଉଁ ସୁବିଧା ମିଳିବା ପ୍ରଚାର ହେଉଥିଲା, ତାହା ନାହିଁ। କେଉଁଠି ଷ୍ଟ୍ରିଟ୍‌ ଲାଇଟ୍ ଜଳୁନି ତ କେଉଁଠି ରଙ୍ଗିନ୍‌ ଆଲୁଅ ବନ୍ଦ ହୋଇଯାଇଛି। ସେଲ୍‌ଫି ବା ଫଟୋ ଉଠାଇବାକୁ ଥିବା ପସନ୍ଦର ସ୍ଥାନ ଅନ୍ଧାର। ବେଳେବେଳେ ବିଦ୍ୟୁତ୍ କଟିଯିବାରୁ ପୂରା ପରିବେଶ ଅନ୍ଧାର। ଜଙ୍ଗଲ ଭିତରେ କିଟିମିଟି ଅନ୍ଧାର ମନରେ ଭୟ ସଂଚାର କରୁଛି। ଏମିତି ସ୍ଥିତିରେ ପର୍ଯ୍ୟଟକ ବିକଳ ହୋଇ ବାଟିକା ବାହାରକୁ ରାସ୍ତା ଖୋଜିବାକୁ ତର ସହୁନାହିଁ। ବେଳେବେଳେ ବିଦ୍ୟୁତ୍‌ ବା ଅନ୍ୟ କୌଣସି ବୈଷୟିକ ତ୍ରୁଟିରୁ ଜଳ ପ୍ରପାତ ବନ୍ଦ ହୋଇଯାଇଥିବ। ଜଳ ଫୁଆରା ଅବସ୍ଥା ବି ସେମିତି।

ପାଣି ବଦଳା ଯାଉନଥିବାରୁ ପଚା ପାଣିର ଗନ୍ଧ ବାହାରୁଛି ଏବଂ ସେ ସ୍ଥାନ ମାଡ଼ିବାକୁ ଇଛା ହେବ ନାହିଁ। ବାଟିକା ପରିଚାଳନା ଦାୟିତ୍ବରେ ଥିବା ଜଣେ ଅଧିକାରୀ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ବିଦ୍ୟୁତ୍‌ କଟିଯିବାକୁ ଦାୟୀ କରିଥିଲେ ହେଁ ପରୋକ୍ଷରେ ଅସଲ ସମସ୍ୟାକୁ ମାନିଯାଇଥିଲେ। ରାତିରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଯାଉଥିବା କହିଥିଲେ। ତାଙ୍କ କହିବା କଥା ରାତିରେ ଖୋଲିବା ପରଠୁ ବିଦ୍ୟୁତ୍ ବିଲ୍‌ ପ୍ରାୟ ୨ ଗୁଣ ବଢ଼ିଯାଇଛି। ପୂର୍ବରୁ ମାସିକ ଲକ୍ଷେ ଟଙ୍କା ଭିତରେ ବିଦ୍ୟୁତ୍ ବିଲ୍‌ ଥିଲା, ଏବେ ୨ ଲକ୍ଷ ଟଙ୍କାକୁ ପାର୍‌ କରିଗଲାଣି। କିନ୍ତୁ ସେହି ତୁଳନାରେ ଆୟ ହେଉନାହିଁ। ଆକଳନ ଅନୁସାରେ ବର୍ଷକୁ ଆୟ ୧୫ ଲକ୍ଷ ଟଙ୍କା ହେଉଥିବା ବେଳେ ବ୍ୟୟ ୨୫ରୁ ୩୦ ଲକ୍ଷ ଟଙ୍କା ହୋଇଯାଉଛି। ତାଙ୍କ କଥାରୁ ବାରି ହୋଇପଡ଼ୁଥିଲା ଯେ ରାତିରେ ଲାଇଟ୍‌ କମ୍‌ ହୋଇଯିବା ପଛରେ ଏହି ଆୟବ୍ୟୟ ସମସ୍ୟା ରହିଛି। ତେଣୁ ପର୍ଯ୍ୟଟକମାନଙ୍କ ଅଭିଯୋଗ ଯେ ବିଦ୍ୟୁତ୍ ବିଲ୍‌ କମ କରିବାକୁ ଜାଣିଜାଣି ରାତିରେ ବାଟିକାର ବହୁ ଲାଇଟ୍‌ ବନ୍ଦ କରି ଦିଆଯାଉଛି।

ଅନ୍ୟ ସମସ୍ୟାଟି ହେଉଛି, ଅପରାହ୍ଣରେ ବାଟିକା ଘଣ୍ଟାକ ପାଇଁ ବନ୍ଦ ରହୁଛି। ଅପରାହ୍ଣ ୫ଟାରୁ ସନ୍ଧ୍ୟା ୬ଟା ଯାଏ ବାଟିକ ବନ୍ଦ ରଖାଯାଉଛି। ଯେଉଁ ସମୟରେ ଲୋକେ ପାର୍କ ଭ୍ରମଣ କରିବା କଥା ସେହି ସମୟରେ ହିଁ ବନ୍ଦ ରହୁଛି। ତେଣୁ ଦୂରରୁ ଆସିଥିବା ପର୍ଯ୍ୟଟକ ବାଧ୍ୟ ହୋଇ ଫେରିଯାଉଛନ୍ତି। ନିୟମ ଅନୁସାରେ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବାଟିକା ଖୋଲା। ରାତି ପାଇଁ ସଂଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା। ଦିନବେଳାର ପର୍ଯ୍ୟଟକ ୫ଟା ବେଳକୁ ବାହାରିବାକୁ ବାଧ୍ୟ। ଅର୍ଥ‌ାତ୍‌ ଯେଉଁମାନେ ବି ଅପରାହ୍ଣ ୪ଟାରେ ବାଟିକା ଭିତରକୁ ଯିବେ, ତା‌ଙ୍କୁ ୫ଟାରେ ବାହାରିବାକୁ ପଡ଼ିବ। ତେଣୁ ମାତ୍ର ଘଣ୍ଟାକ ପାଇଁ ପଇସା ଗଣିବାକୁ ଅନେକ ପସନ୍ଦ କରୁନାହାନ୍ତି। ଆଉ କିଛି ପର୍ଯ୍ୟଟକଙ୍କ କହିବା କଥା ବାଟିକାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମନରେ ଭୟ ରହୁଛି। ସ୍ଥାନୀୟ ପର୍ଯ୍ୟଟକଙ୍କ କଥା ଅଲଗା। କିନ୍ତୁ ରାଜଧାନୀରେ ଅସାମାଜିକ ତତ୍ତ୍ବଙ୍କ ପ୍ରାଦୁର୍ଭାବ ଯେମିତି, ସେଥିରେ ରାତିରେ ବାଟିକାରେ ବୁଲିବା ନିରାପଦ ନୁହେଁ। ତେଣୁ ରାତିରେ ସେଠିକୁ ଯିବାକୁ ଇଛା ଥିଲେ ବି ଭୟରେ ଯାଇହେଉନାହିଁ।