ସରୁନି ରାସ୍ତା, ପାନୀୟ ଜଳ, ସଫେଇ ସମସ୍ୟା

ଭୁବନେଶ୍ୱର: ବିଏମ୍‌ସିର ଵାର୍ଡ ନମ୍ୱର ୨୮ ରାଜଧାନୀର ଅନ୍ୟତମ ପ୍ରମୁଖ ଅଞ୍ଚଳ। ମାତ୍ର ଦୁଇ ତିନିଟି ବସ୍ତିକୁ ବାଦ୍‌ ଦେଲେ ଅନ୍ୟ ସବୁ ଅଞ୍ଚଳ ସରକାରୀ କଲୋନି ବା ଘରୋଇ ଆବାସିକ ସ୍ଥଳ। ବହୁ ବଡ଼ବଡ଼ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ପାର୍କ ଏହି ୱାର୍ଡରେ ରହିଛି। ସହରର ବହୁ ପ୍ରମୁଖ ସ୍ଥାନକୁ ରାସ୍ତା ଏହି ଵାର୍ଡ ମଧ୍ୟ ଦେଇ ଯାଇଛି। ମୋଟାମୋଟି ଏହି ୱାର୍ଡ ରାଜଧାନୀର ଏକ ବିକଶିତ ଅଞ୍ଚଳ। କିନ୍ତୁ ଏଠାରେ ଅନେକ ସମସ୍ୟା ଅସମାହିତ ହୋଇରହିଛି। ରାସ୍ତା, ପାନୀୟ ଜଳ ଯୋଗାଣ ଓ ସଫେଇକୁ ନେଇ ବହୁ ସମସ୍ୟା ରହିଛି।

ଏହି ଵାର୍ଡର ଅଧିକାଂଶ ରାସ୍ତା ଚକାଚକ୍‌। କିନ୍ତୁ ସେସବୁ ସହରର ରାସ୍ତା। ୱାର୍ଡବାସୀଙ୍କ ବ୍ୟବହୃତ ରାସ୍ତା ଅବସ୍ଥା କିନ୍ତୁ ବଡ଼ କଦର୍ଯ୍ୟ। ସାଇନ୍ସ ପାର୍କରୁ ରିଜର୍ଭ ପୁଲିସ୍‌ କଲୋନି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ଅବସ୍ଥାରେ ପଡ଼ିରହିଛି। ସାଇନ୍ସ ପାର୍କ ବସ୍ତି, ରିଜର୍ଭ କଲୋନି ଓ ଆଚାର୍ଯ୍ୟବିହାର ଅଞ୍ଚଳର ପାଖାପାଖି ଆଠ ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ରାସ୍ତାସାରା ଖାଲ ଢ଼ିପ ଥିବାରୁ ଲୋକେ ନାହିଁନଥିବା ସମସ୍ୟାରେ ପଡ଼ୁଛନ୍ତି। ରାତିରେ ଏହି ରାସ୍ତାରେ ଯାତାୟାତ ବଡ଼ ବିପଦପୂର୍ଣ୍ଣ ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ। ସେମାନଙ୍କ କହିବା ଅନୁଯାୟୀ ୪ ବର୍ଷ ହେବ ଏହି ରାସ୍ତାର ମରାମତି କରା‌ଯାଉନାହିଁ।

ସେହିପରି ଏହି ଵାର୍ଡର ଅଧିକାଂଶ ସ୍ଥାନରେ ଡ୍ରେନ୍‌ ମୁକୁଳା ପଡ଼ିଛି। ଆଚାର୍ଯ୍ୟବିହାର ମୋ’ ବସ୍‌ ଷ୍ଟପ୍‌ ଓ ସାଇନ୍ସ ପାର୍କ ନିକଟରେ ଥିବା ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି। ସାଇନ୍ସ ପାର୍କ ପାଖ ଦେଇ ଯାଇଥିବା ବଡ଼ ଡ୍ରେନ୍‌ କଡ଼ରେ ପାଚେରି ବାଡ଼ ଭାଙ୍ଗି ଯାଇଥିବାରୁ ସ୍ଥାନୀୟ ଲୋକେ ସେଠାରେ ଆବର୍ଜନା ଗଦା କରି ଦେଉଛନ୍ତି। ଫଳରେ ସେଥିରୁ ବାହାରୁଥିବା ଦୁର୍ଗନ୍ଧରେ ପାଖ କଲୋନିବାସୀ ବଡ଼ କଲବଲ ହେଉଥିବା ଅଭିଯୋଗ କରିଛନ୍ତି। ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ସାଇନ୍ସ ପାର୍କ ବସ୍ତିବାସିନ୍ଦାମାନେ। ୨୪ ଘଣ୍ଟିଆ ଜଳ ଯୋଗାଣ ହୋଇନଥିବାରୁ ସେମାନଙ୍କ ପାଇଁ ସମସ୍ୟା ହେଉଛି ବୋଲି ଅଭିଯୋଗ କରିଆସୁଛନ୍ତି। ଆଚାର୍ଯ୍ୟବିହାର ଛକସ୍ଥିତ ଇ-ଟଏଲେଟ୍‌ ଅଚଳ ହୋଇ ପଡ଼ିଛି। ଏଠାରେ ଥଣ୍ଡା ପାନୀୟ ଜଳ ପାଇଁ କୌଣସି ସୁବିଧା ନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଆସୁଛନ୍ତି।

ବିକାଶର ଧାରା ଅବ୍ୟାହତ ରହିଛି

ମୋ ଵାର୍ଡର ବିଭିନ୍ନ ଦିଗରୁ ବିକାଶ ପାଇଁ ଧ୍ୟାନ ଦେଉଛି। ସାଇନ୍ସ ପାର୍କରୁ ପୁଲିସ୍‌ କଲୋନିକୁ ଯାଇଥିବା ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ତୁରନ୍ତ ନବୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ଏବଂ ଖୁବ ଶୀଘ୍ର କାମ ଆରମ୍ଭ ହୋଇଯିବ। ବିଏମ୍‌ସି ଅଧୀନରେ ଥିବା ବିଭିନ ଗଳିକନ୍ଦି ରାସ୍ତାର ବିକାଶ ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ସାଇନ୍ସ ପାର୍କ ବସ୍ତି ଭିତର ରାସ୍ତା କାମ ପାଇଁ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଜି କଲୋନି, ପୁଲିସ୍‌ କଲୋନି ଓ ଆଚାର୍ଯ୍ୟବିହାର ପାର୍କର ବିକାଶ ପାଇଁ ୫ ଲକ୍ଷ ଟଙ୍କାର କାମ ଆରମ୍ଭ ହୋଇଛି। ନନ୍ଦିନୀ ପଲ୍ଲୀ ମୁଣ୍ଡାସାହି ବସ୍ତିରେ ୧୩ ଲକ୍ଷ ଟଙ୍କାର କାମ ହୋଇଛି। ରିଜର୍ଭ କଲୋନିରେ ମିନି ପାର୍କ ପାଇଁ ୩୦ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହୋଇଛି। କଲୋନି ଭିତରେ ମୁକ୍ତ ବ୍ୟାୟାମଶାଳା ପାଇଁ ୭ ଲକ୍ଷ ଓ ପେଭର ବ୍ଲକ ବିଛାଇବା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବସ୍ତିରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଇ ଦେବା ପାଇଁ ଯୋଜନା ଚାଲିଛି ଏବଂ ତା’ ବି ଯାଥା ଶୀଘ୍ର କାର୍ଯ୍ୟକାରୀ କରାଯିବ।

ସମ୍ବନ୍ଧିତ ଖବର