ଝାରପଡ଼ା ଜେଲ୍‌ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଘଟଣା: ଜେଲ୍‌ବାବୁଙ୍କ ମୁଣ୍ଡରେ ଖଣ୍ଡା!

ଭୁ‌ବନେଶ୍ବର: ଝାରପଡ଼ା ସ୍ବତନ୍ତ୍ର କାରାଗାରର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବିଶେଷକରି ଜେଲ୍‌ରେ ଚାଲିଥିବା ଅବାଧ ନିଶା କାରବାର ଓ ସେଥିଯୋଗୁ ଘଟୁଥିବା ଗଣ୍ଡଗୋଳ ଚିନ୍ତାର ବିଷୟ ପାଲଟିଛି। ଏହାକୁ ମୂଳପୋଛ କରିବାଲାଗି କାର୍ଯ୍ୟାନୁଷ୍ଠାନ ବଦଳରେ ଜେଲ୍‌ କର୍ତୃପକ୍ଷ ସବୁ ସମୟରେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଘଟଣାଗୁଡ଼ିକୁ ଚାପିଦେବାକୁ ଉଦ୍ୟମ କରି ଆସିଛନ୍ତି। ଦୀର୍ଘକାଳ ଧରି ଏପରି ଚାଲିଛି। ହେଲେ ବୁଧବାର ଦିନ କମିସନରେଟ୍‌ ପୁଲିସ ଝାରପଡ଼ା ଜେଲ୍‌ରେ ଚଢ଼ଉ କରିବାପରେ ଜେଲ୍‌ର ଭିତିରି କଥା ପଦାରେ ପଡ଼ିଛି। କର୍ମଚାରୀ ଓ କଏଦୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କଥାଠାରୁ ଆରମ୍ଭ କରି ଜେଲ୍‌ ଭିତରକୁ ନିଶାଦ୍ରବ୍ୟ ଆଣିବା ପାଇଁ ସାହସ ଯୋଗାଉଥିବା ଅଧିକାରୀଙ୍କ କଥାର ଗୁମର ଖୋଲି ଦେଇଛି ପୁଲିସ। ନେଡି ଗୁଡ଼ କହୁଣିକୁ ବୋହିବା ଭଳି ସ୍ଥିତି ହେବାପରେ ଖୋଦ୍‌ କାରାଗର ବିଭାଗ ପକ୍ଷରୁ ଜେଲ୍‌ର ସ୍ଥିତି ସମୀକ୍ଷା ପାଇଁ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ପାଇବା ପରେ ଜେଲ୍‌ ଡିଆଇଜି ଅନସୂୟା ଜେନା ଓ ବରିଷ୍ଠ ମଣ୍ଡଳର ଅଧିକ୍ଷକ ଧୀରେନ୍ଦ୍ର ନାଥ ବାରିକ ଝାରପଡ଼ା ଜେଲ୍‌ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେଲ୍‌ରୁ ସେଲ୍‌ ବୁଲି କଏଦୀଙ୍କୁ ବିଭିନ୍ନ ଦିଗ ଉପରେ ମାରାଥନ ଜେରା କରିଛନ୍ତି। ବିଶେଷ କରି ନିଶାକାରବାର, ମୋବାଇଲ୍‌ ପ୍ରବେଶ ଓ ଗ୍ୟାଙ୍ଗୱାର୍‌କୁ ନେଇ ସେମାନେ ପଚରାଉଚରା କରିଥିଲେ।‌ ଏମିତିକି କଏଦୀମାନଙ୍କର ଖାଦ୍ୟପେୟ ସମ୍ପର୍କରେ ମଧ୍ୟ ବୁଝିଥିଲେ।

ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ
ସମୀକ୍ଷା କଲେ ଡିଆଇଜି, ବରିଷ୍ଠ ମଣ୍ଡଳ କାରାଗାର ଅଧିକ୍ଷକ
ବିଶୃଙ୍ଖଳିତ କଏଦୀଙ୍କୁ କରାଯିବ ସ୍ଥାନାନ୍ତରଣ

ବିଶେଷକରି କେଉଁ ସବୁ କାରଣ ଯୋଗୁଁ ଜେଲ୍‌ ଭିତରେ ଅବାଧ ନିଶାକାରବାର ହେଉଛି ଓ ମୋବାଇଲ୍‌ ଆସୁଛି, ଏହାପଛରେ କେଉଁମାନଙ୍କର ଭୂମିକା ରହିଛି- ଏହି ପ୍ରସଙ୍ଗରେ ସମସ୍ତଙ୍କ ମତ ନେଇଥିଲେ। କଏଦୀଙ୍କୁ ଜେରା କରିବାପରେ ସେମାନେ କିଛି କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ସେହି ସମୟରେ ଦୁଇ ଅଧିକାରୀ ଜେଲ୍‌ ସମ୍ପର୍କରେ କିଛି ସାଂଘାତିକ ତଥ୍ୟ ହାତେଇଛନ୍ତି। ସେହି ତଥ୍ୟଗୁଡ଼ିକ ନିର୍ଦ୍ଦିଷ୍ଟ କିଛି ଜେଲ୍‌ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି ବୋଲି ସୂଚନା ମିଳିଛି। ସବୁଠୁ ବଡ଼କଥା ହେଉଛି, ଜେଲ୍‌ର ସୁପରିନ୍‌ଟେଣ୍ଡେଣ୍ଟଙ୍କ ଭୂମିକାକୁ ନେଇ ବଡ଼ପ୍ରଶ୍ନ ଉଠିଛି। ଏଠାକାର ଜେଲ୍‌ରମାନଙ୍କର ବଦଳି ହେଉଥିବାବେଳେ ଏହି ଅଧିକାରୀ ଜଣକ ଦୀର୍ଘକାଳ ହେବ ଏହି ଜେଲ୍‌ରେ ଅଛନ୍ତି। ଜେଲ୍‌ ଉପରେ ଲମ୍ବା ଅଭିଜ୍ଞତା ଥିଲେ ହେଁ ତାଙ୍କ ସମୟ କାଳରେ ହିଁ ବାରମ୍ବାର ଏଭଳି ଘଟଣା ଘଟିଛି। ସମୀକ୍ଷାରେ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଖୁବ୍‌ଶୀଘ୍ର ଡିଜିଙ୍କୁ ତାଙ୍କ ରିପୋର୍ଟ ଦେବେ। ‌ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଜେଲ୍‌ରେ ନିୟମିତ ବିଶୃଙ୍ଖଳା ଘଟାଉଥିବା କଏଦୀମାନଙ୍କର ଏକ ତାଲିକା କରିଛି ଜେଲ୍‌ ବିଭାଗ। ତାଲିକାରେ ୩୦ରୁ ଅଧିକଙ୍କ ନାମ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସେଥିରୁ ୨୦ କଏଦୀଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର