ବିଏମ୍‌ସି ପକ୍ଷରୁ ୫୫୪୨ ପରିବାରକୁ ବଣ୍ଟାଗଲା ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର: ବିଶ୍ବ ସହର ଦିବସରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଜି ଯୋଗ୍ୟ ବସ୍ତିବାସିନ୍ଦାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର(ଏଲ୍‌ଆର୍‌ସି) ବଣ୍ଟନ କରାଯାଇଛି। ବିଏମ୍‌ସିର ୩ଟି ଜୋନ୍‌ରେ ମୋଟ୍‌ ୫୫୪୨ ପରିବାରଙ୍କୁ ଏଲ୍‌ଆର୍‌ସି ଦିଆଯାଇଛି। ଉତ୍ତର ଜୋନ୍‌ ପାଇଁ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ରାଉତ, ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୫୭ ନମ୍ବର ୱାର୍ଡସ୍ଥିତ ବଡଗଡ ବ୍ରିଟ୍‌ କଲୋନିର ନେତାଜୀ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଦକ୍ଷିଣ-ପୂର୍ବ ଜୋନ୍ ପାଇଁ ୪୭ ନମ୍ବର ୱାର୍ଡର ୟୁନିଟ୍-୮ କମ୍ୟୁନିଟି ସେଣ୍ଟରରେ ଆୟୋଜିତ କାର୍ଯକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ସହର ବିକାଶରେ ବସ୍ତିବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହିମାନଙ୍କ ଶ୍ରମଦାନରେ ସହରୀକରଣର ରୂପରେଖ ବଦଳିଥାଏ। ଭୂମି ପ୍ରମାଣପତ୍ର ସେମାନଙ୍କୁ ବସ୍ତିବାସିନ୍ଦାରୁ ବିଜୁ ଆଦର୍ଶ କଲୋନିବାସିନ୍ଦାରେ ପରିଣତ କରିଛି। ଜାଗା ମିସନ ଅଧୀନରେ ସମସ୍ତ ଯୋଗ୍ୟ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଯୋଗାଇ ଦିଆଯାଉଛି। ପର୍ଯ୍ୟାୟକ୍ରମେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଏଲ୍‌ଆର୍‌ସି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ବିଏମ୍‌ସି ଅତିରିକ୍ତ କମିସନର-୧ ଲକ୍ଷ୍ମୀକାନ୍ତ ସେଠୀ ଉତ୍ତର ଜୋନ୍‌ର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଅତିରିକ୍ତ କମିସନର-୨ ଶୁଭେନ୍ଦୁ କୁମାର ସାହୁ ଦକ୍ଷିଣ-ପଶ୍ଚିମ ଜୋନ୍ ଓ ଅତିରିକ୍ତ କମିସନର-୩ ସୂର୍ଯ୍ୟବଂଶୀ ମୟୁର ବିକାଶ ଦକ୍ଷିଣ-ପୂର୍ବ ଜୋନ୍ ଦାୟିତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର