ଜୟପୁରରେ ମାସକୁ ୬ଶହରୁ ଅଧିକ ଲୋକ କିଣୁଛନ୍ତି ଜାଗା

ଜମି କିଣାବିକା : ପ୍ଲଟ ଦାମ୍ ଅମୂଲ ମୂଲ: ରେଜିଷ୍ଟ୍ରୀ କାର୍ଯ୍ୟାଳୟରେ ସବୁ ଦିନ ଭିଡ଼

ଜୟପୁର: ସହରାଂଚଳରେ ଘର ଖଣ୍ଡିଏ ତୋଳିବା ସମସ୍ତଙ୍କ ପାଇଁ ସ୍ବପ୍ନ। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁରରେ ଘରଡିହ ପ୍ଲଟ ଚାହିଦା ଅଧିକା ଥିବାରୁ ଦାମ ଅମୂଲ ମୂଲ। ଗତ କିଛି ବର୍ଷ ମଧ୍ୟରେ ଜାଗା ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ, ସାଧାରଣ ଲୋକଟିଏ ପକ୍ଷେ ତାହା କିଣିବା ଦୁରୂହ ବ୍ୟାପାର। ସହରରେ ରହିବାର ମୋହ ଯୋଗୁଁ ପ୍ରତିବର୍ଷ ଜାଗା ମୂଲ୍ୟ ୨ରୁ ୪ ଗୁଣା ଲେଖା ବୃଦ୍ଧି ପାଉଛି। ସରକାରୀ ଜାଗାକୁ ଛାଡ଼ିଦେଲେ ବର୍ତ୍ତମାନ ସହର ଭିତରେ ଘରୋଇ ଜମି ଆଉ ‌ ପ୍ରାୟ ନାହିଁ। ସେଥିରେ ପୁଣି ଅଧିକାଂଶ ଜଗା ବିକ୍ରି ସରିଥିବାରୁ ଲୋକେ ଏବେ ବ୍ରାହ୍ମଣୀଗାଁ, ପାଂଜିଆଗୁଡା, ହାନାଗୁଡା, ବଙ୍ଗଳାବାଡ, ଦୁବୁଲି, ପଲକାପୁଟ, ବାରିଣୀପୁଟ, ମକାପୁଟ ଅଂଚଳକୁ ମୁହାଁଇଛନ୍ତି। ଜୟପୁର ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା

ସୂଚନା ମୁତାବକ, ମାସକୁ ୩ଶହରୁ ଅଧିକା ଜାଗା କିଣାବିକା ହେଉଛି। ତେବେ ମାସକୁ ୪ଶହରୁ ସାଢ଼େ ୪ଶହ ଜମି କିଣାବିକାର ମୁଲଚାଲ୍ ହେବା ସହ ସ୍ଲଟ ବୁକିଂ ପରେ ୩୦୦ରୁ ଉର୍ଦ୍ଧ୍ବ କିଣାବିକାର ପଂଜୀକରଣ ହେଉଥିବା  ଆଇନଜୀବୀ  ଓଦଲିଲ ଲେଖାଲି ମାନେ କହିଛନ୍ତି। ବିଗତ ୫ବର୍ଷ ଭିତରେ ଜୟପୁର ସହରର ପ୍ରାୟ ସବୁ ସାହି, ଗଳି, ବ୍ୟବସାୟୀକ ଅଂଚଳର ସବୁ ଜାଗାର ମୂଲ୍ୟ ଆଶାତୀତ ବୃଦ୍ଧି ଘଟିଛି। ଏହା ସତ୍ତ୍ବେ ଏମିତି କିଛି ଜାଗା ରହିଛି ଯାହାକୁ କିଣିବା ପାଇଁ ଲୋକେ ଏବେ ବି ବ୍ୟାକୁଳ। ସେଗୁଡିକ ହେଲା ପାରା‌ବେଡା, ପାୱାରହାଉସ କୋଲନୀ, ନୂଆସାହି, ମୁଖ୍ୟରାସ୍ତା, ଭୁପତିସାହି, ମହାରାଣୀପେଟା,ସୂର୍ଯ୍ୟମହଲ, ହୋଟେଲ ହାଲୋ ଜୟପୁର, ଭିଆଇପି ଲାଇନ, ଗାନ୍ଧୀଛକ, ବାଇପାସ୍ ରାସ୍ତା, ଜୟନଗର, ହାନାଗୁଡା, ତେଲିଗୁଡା , ଏଲଆଇସି କାର୍ଯ୍ୟାଳୟ, ଗ୍ଲୋକାଲ ହସ୍ପିଟାଲ ଅଂଚଳ।

ଏହି ସବୁ ଅଂଚଳରେ ଜାଗା ମୂଲ୍ୟ (ସେଣ୍ଟ)ଡିସିମିଲ୍ ପିଛା ରହିଛି ୧୦ଲକ୍ଷରୁ ଅଧିକ ଟଙ୍କା। ସେଭଳି ମକାପୁଟ, ବ୍ରାହ୍ମଣୀଗାଁ, ଅଂଚଳରେ ଡିସିମିଲ ପ୍ରତି ୨ଲକ୍ଷରୁ ୬ଲକ୍ଷ ମଧ୍ୟରେ ରହିଛି।ସହର ମଝିରେ ଅର୍ଥାତ କେନ୍ଦ୍ରସ୍ଥଳରେ ଏହି ସବୁ ଅଂଚଳରେ ରହିଥିବାରୁ ଜାଗା ମୂଲ୍ୟ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଳିଛି। ସହର ଠାରୁ ଦୁରରେ ଥିବା ପଲକାପୁଟ, ଅନ୍ତା ଯିବା ରାସ୍ତାରେ ସେଣ୍ଟ ପ୍ରତି ୨ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ମଧ୍ୟରେ  ପ୍ଲଟ ବିକ୍ରୀ ହେଉଛି। ଜମି କିଣା ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ଦଲାଲଙ୍କ ଦବ୍ ଦବା ଦେଖିବାକୁ ମିଳୁଛି। କିଛି ଦଲାଲ ବିକ୍ରେତାଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟ, ଏମିତିକି ଧାର୍ଯ୍ୟ ମୂଲ୍ୟଠାରୁ କମ୍ ଦାମରେ ଜମି କିଣି ନେଇ ଦୁଇରୁ ତିନି ଗୁଣ ଅଧିକା ଦାମରେ ବିକ୍ରି କରୁଛନ୍ତି। ଆଉ କିଛି ଦଲାଲ ଅଛନ୍ତି, ଯେଉଁ ମାନେ ଜମି ବିକ୍ରେତା ଓ କ୍ରେତାଙ୍କ ମଧ୍ୟସ୍ଥ ଭାବେ କାମ କରନ୍ତି। ଜମିକୁ ଅଧିକ ଦରରେ ବିକ୍ରୀ କରାଇବାରେ ସେମାନଙ୍କ ହାତ ରହୁଥିବାରୁ ବିକ୍ରେତାଙ୍କ ଠାରୁ ମୋଟା ଅଙ୍କର କମିସନ୍ ନେଉଛନ୍ତି। ଯାହା ପରୋକ୍ଷରେ ଜମିର ଦାମ ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି।

ସେଭଳି ସହର ଉପରେ ବିଲଡରଙ୍କ ନଜର। ଜୟପୁର ସହ ବିଶାଖାପାଟଣା ଅଂଚଳରୁ ବିଲଡରମାନେ ଆସି ଏଠାରେ ଜାଗା କିଣି ପ୍ଲଟିଂ ବେକାର କରିବା ସହ ବଡବଡ ଆପାର୍ଟମେଣ୍ଟ ନିର୍ମାଣ କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସୁନାରୀସାହି, ପ୍ରସାଦରାଓପେଟା , ଗେଟଗୁଡା, ପୁରୁଣା ଲକ୍ଷ୍ମୀଟକିଜ, ପାରାବେଡ଼ା, ବାଇପାସ ରାସ୍ତାରେ ବିଲଡର ମାନେ ଏକାଧିକ ବଡ କୋଠା ଛିଡା କରାଇଛନ୍ତି। ଆପାର୍ଟମେଣ୍ଟର ପ୍ଲାଟର  ଚାହିଦା ବଢ଼ୁଥିବାରୁ ବାଇପାସରୋଡରେ ଜଣେ ବିଲଡର ଏକା ସହ ୩୦୦ପ୍ଲାଟ୍ ନିର୍ମାଣ  କରି ଏହାରି ମଧ୍ୟରେ ସପିଂ ମଲ ଆଦି କରି ନୂଆ କଲୋନୀ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସହର ମଧ୍ୟରେ ଜାଗା ଅଭାବରୁ  ଆଉ କିଛି ବର୍ଷ ମଧ୍ୟରେ ଜୟପୁରରେ ବହୁ ଆପାର୍ଟମେଣ୍ଟ ନିର୍ମାଣ ହେବ ଏଥିରେ ଦ୍ବିମତ ନାହିଁ ବୋଲି ବିଲଡର ମାନେ  କହିଛନ୍ତି।

 

ସମ୍ବନ୍ଧିତ ଖବର