ଆବେଗ ବିନା ମଣିଷ କିଛି ଲେଖିପାରିବ ନାହିଁ : ସୌମ୍ୟରଂଜନ

ପ୍ରମୋଦ ମଲ୍ଲିକଙ୍କ ‘ମାୟା ମୁହାଣ’ ଉନ୍ମୋଚିତ

ଭୁବନେଶ୍ବର: ସାମ୍ବାଦିକଟିଏ ଭଲ କବି ହୋଇପାରିବ କି ନାହିଁ, ତାହାକୁ ନେଇ ଅନେକଙ୍କ ଭିତରେ ଆଶଙ୍କା ରହିଛି। ସମ୍ବାଦ କେବଳ ଅନାସକ୍ତ ଭାବେ ଲେଖାଯାଏ। ସେଥିରେ ଆବେଗକୁ ମିଶାଯାଏ ନାହିଁ ବୋଲି ଗୋଟେ ଧାରଣା ରହିଛି। କିନ୍ତୁ ମଣିଷ ଆବେଗ ବିନା କିଛି ଲେଖି ପାରିବ ନାହିଁ। ସାମ୍ବାଦିକଟିଏ ବିନା ଆବେଗରେ ଖବର ଲେଖିଲେ, ସେ ଖବର ପଢ଼ି ମଧ୍ୟ ହେବ ନାହିଁ। ବର୍ତ୍ତମାନ ସମୟରେ ଆବେଗହୀନ ସମ୍ବାଦକୁ କେହି ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ସମ୍ବାଦ ଭବନରେ ଆୟୋଜିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ୍‌ ସମ୍ବାଦ ପ୍ରତିନିଧି ତଥା କବି ପ୍ରମୋଦ ମଲ୍ଲିକଙ୍କ କବିତା ସଂକଳନ ‘ମାୟା ମୁହାଣ’ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦୀର୍ଘ ୩୨ବର୍ଷ ଧରି ପ୍ରମୋଦ ମଲ୍ଲିକ ‘ସମ୍ବାଦ’ ପରିବାର ସହ ଜଡ଼ିତ ଥିଲେ ମଧ୍ୟ ତାଙ୍କର ଲୁକ୍କାୟିତ ପ୍ରତିଭା ଆବିଷ୍କାର କରିନଥିଲେ। ବିଳମ୍ବରେ ହେଲେ ମଧ୍ୟ ନିଜ ପ୍ରତିଭାକୁ ଆଗକୁ ଆଣିଛନ୍ତି। ସେ ନିଜ ଅଞ୍ଚଳର ନଦୀ, ଆକାଶ, ତାରା, ସମୁଦ୍ରକୁ କବିତାରେ ସ୍ଥାନ ଦେବା ସହ ସମସାମୟିକ ସମାଜର ସମସ୍ୟା ସମ୍ପର୍କରେ ମଧ୍ୟ ସମାନ ପରିମାଣରେ ସଚେତନ ରହିଛନ୍ତି। କବିତାରେ କରୋନା କାଳର କିଛି ଆବେଗଭରା ଅନୁଭବ ସ୍ଥାନିତ ହୋଇଛି। ଶୀର୍ଷକଠାରୁ ଆରମ୍ଭ କରି ଶେଷ ପଙ୍‌କ୍ତି ପର୍ଯ୍ୟନ୍ତ ସବୁ ଉଚ୍ଚକୋଟୀର। ଯେଉଁ କବିତାଗୁଡ଼ିକ ସହଜ, ସରଳ ଓ ଭଲ ଭାବରେ ବୁଝି ହେବା ଭଳି ତଥା ମନକୁ ଛୁଁଇବା ଭଳି ହୋଇ ନଥିବ କିମ୍ବା ସେଥିରେ ଛନ୍ଦ ନଥିବ, ସେପରି କବିତାର ବିଶେଷ କିଛି ମୂଲ୍ୟ ରହେ ନାହିଁ। କିନ୍ତୁ ଏହି ପୁସ୍ତକରେ ଅଳ୍ପ ଶବ୍ଦରେ ବହୁତ କଥା, ସୁନ୍ଦର ଭାବେ ସହଜରେ ମନକୁ ଛୁଇଁବା ଭଳି ଲେଖିଥିବାରୁ କବି ଶ୍ରୀ ମଲ୍ଲିକଙ୍କ ସମେତ ପ୍ରକାଶନୀ ସଂସ୍ଥାକୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କବି ଶ୍ରୀ ମଲ୍ଲିକ ନିଜ ଅନୁଭୂତିରୁ କହିଥିଲେ ଯେ ସେ ସ୍କୁଲ୍‌ ଜୀବନରୁ କବିତା ଲେଖିବା ଆରମ୍ଭ କରିଥିଲେ। ପଟ୍ଟାମୁଣ୍ଡାଇ କଲେଜରେ ପାଠ ପଢ଼ୁଥିବା ବେଳେ ‘ସମ୍ବାଦ’ ପଢ଼ିବା ପାଇଁ ୫କିମି ସାଇକେଲ୍‌ ଧରି ବଜାରକୁ ଆସନ୍ତି। ‘ସମ୍ବାଦ’ ହିଁ ତାଙ୍କୁ କବି ହେବା ପାଇଁ ପ୍ରେରଣା ‌ଦେଇଛି ବୋଲି କହିଥିଲେ।

‘ସମ୍ବାଦ’ର ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର କବିଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା କବିତା ପୁସ୍ତକର ଶୀର୍ଷକ ଅତ୍ୟନ୍ତ ମନଛୁଆଁ ହେବା ସହ କବିତାଗୁଡ଼ିକରେ ଗୁଣାତ୍ମକ ମାନ ରହିଥିବା କହିଥିଲେ। ‘ଆମ ଓଡ଼ିଶାର’ ସମ୍ପାଦକ ସ୍ବରାଜ ମିଶ୍ର ବିନମ୍ର ଓ ଶ୍ରଦ୍ଧାରୁ ସାହିତ୍ୟ ସୃଷ୍ଟି ହୁଏ ବୋଲି କହିଥିଲେ। କବି ପ୍ରସନ୍ନ କୁମାର ସ୍ବାଇଁ କବିତା ପୁସ୍ତକର ସମୀକ୍ଷା କରି କବିଙ୍କ ଶବ୍ଦ ସଂଯୋଜନା, ମାର୍ଜିତ ଭାଷା, ଆବେଗ, କବିତାରେ ନକରାତ୍ମକକୁ କିଭଳି ସକାରାତ୍ମକ ଦିଗ ଦିଆଯାଇଛି, ତା’ ଉପରେ ଆଲୋଚନା କରିଥିଲେ। ସଭାରେ ବିଦ୍ୟା ପବ୍ଲିସିଙ୍ଗ୍‌ ଇଙ୍କ୍‌ (ଟରୋଣ୍ଟୋ-କାନାଡା)ର ମୁଖ୍ୟ ତଥା ଉନ୍ମୋଚିତ ପୁସ୍ତକର ପ୍ରକାଶିକା ପ୍ରଫେସର ଡ. ସୁନନ୍ଦା ମିଶ୍ର ପଣ୍ଡା, ଡ. ତନ୍ମୟ ପଣ୍ଡା, ସାହିତ୍ୟିକ ସରୋଜ ମହାନ୍ତି, କବି କ୍ଷୀରୋଦ ପରିଡ଼ା, କବି ଶତ୍ରୁଘ୍ନ ପାଣ୍ଡବ, କବି ପ୍ରସନ୍ନ ସ୍ବାଇଁ, ଆଳି ‘ସମ୍ବାଦ ସାହିତ୍ୟଘର’ ସମ୍ପାଦକ ସୁକାନ୍ତ ନାୟକ, ୟୁକେ ଜଗନ୍ନାଥ ସୋସାଇଟି ଅଧ୍ୟକ୍ଷ ଡାକ୍ତର ସହଦେବ ସ୍ବାଇଁ, ଏମ୍‌ସ୍‌ ଭୁବନେଶ୍ବରର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜକିଶୋର ଦାଶ, ବରିଷ୍ଠ ସାମ୍ବାଦିକ ସରୋଜ ଦାଶ ଓ ଶୈଳେନ୍ଦ୍ର କୁମାର ଛାଟୋଇ ପ୍ରମୁଖ ଉପସ୍ଥିତ ରହି କବିଙ୍କୁ ଅଭିନନ୍ଦନ ଜଣାଇଥିଲେ। କଥାକାର ଜ୍ଞା‌ନରଂଜନ ନାୟକ ସଭା ସଞ୍ଚାଳନ କରିଥିଲେ। ସାମ୍ବାଦିକ ସୋମନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ୧୧୬ ପୃଷ୍ଠାର ଏହି କବିତା ସଂକଳନକୁ ବିଦ୍ୟା ପବ୍ଲିସିଙ୍ଗ୍‌ ଇଙ୍କ୍‌(ଟରୋଣ୍ଟୋ-କାନାଡା) ପ୍ରକାଶନୀ ସଂସ୍ଥା ପ୍ରକାଶ କରିଛନ୍ତି। ଏହାର ବଜାର ମୂଲ୍ୟ ୧୫୦ ଟଙ୍କା ରଖାଯାଇଛି। ଏଥିରେ ମୋଟ ୫୮ଟି କବିତା ରହିଛି।

ସମ୍ବନ୍ଧିତ ଖବର