ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ କଳାରାହାଙ୍ଗ ଗୋଲକପୁରୀ କଲୋନିବାସୀଙ୍କୁ କଳାରାହାଙ୍ଗ ଅଞ୍ଚଳର କିଛି ଅସାମାଜି ଯୁବକ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଯୁବକମାନେ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଉକ୍ତ ଅଞ୍ଚଳରେ ବର୍ଷବ‌ର୍ଷଧରି କଲୋନିବାସୀଙ୍କ ଉପରେ ବାରମ୍ବାର ଆକ୍ରମଣ ଓ ଦାଦାଗିରି ଦେଖଇ ଧମକଚମକ ଦେଉଥିବା କଲୋନିବାସୀ ଅଭିଯୋଗ କରିଛନ୍ତି। ଆଜି ଉକ୍ତ ଅଞ୍ଚଳର ନିଲୁ ମହାଭୋଇ ଓ ତାଙ୍କର ୬ଜଣ ସହଯୋଗୀ ସଂଘବଦ୍ଧ ହୋଇ କଲୋନିବାସୀଙ୍କୁ ମାଡ଼ ମାରିବାରୁ ଉକ୍ତ କଲୋନିବାସୀଙ୍କ ପକ୍ଷରୁ ଚାରବାକ୍ ସୁବୁଦ୍ଧି ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ସୁବୁଦ୍ଧି ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସା କରାଇ ପରେ ଥାନାକୁ ସୂଚନା ଦେଇଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଘଟଣା ଅନୁଯାୟୀ ନିଲୁ ଓ ତା’ର ସହଯୋଗୀମାନେ ଉକ୍ତ ଅଞ୍ଚଳରେ ଥିବା ସରକାରୀ ଜମିକୁ ଜବରଦଖଲ କରି ବିକ୍ରି କରିବା ସହି ସ୍ଥିତିବାନ ଜମିମାଲିକଙ୍କୁ ରାସ୍ତା ଦେଉନଥିଲେ ଏବଂ ରାସ୍ତା ବାବଦକୁ ଅର୍ଥ ମାଗୁଥିଲେ। ଏନେଇ ଜଣେ ଜମିମାଲିକ ବିଡିଏ ଓ ବିଏମ୍‌ସିରେ ଅଭିଯୋଗ କରିବାରୁ ଆଜି ଉକ୍ତ ଜମିରୁ ପ୍ରଶାସନପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଏହି ଜବରଦଖଲ ଉଚ୍ଛେଦ କଲୋନିବାସୀଙ୍କ ଅଭିଯୋଗ ପାଇଁ ହେଉଥିବା ଦର୍ଶାଇ ନିଲୁ ଓ ତା’ର ସହଯୋଗୀମାନେ ମାରଣାସ୍ତ୍ର ଧରି ଗୋଲକପୁରୀ କଲୋନିବାସୀଙ୍କୁ ମାଡ଼ମାରିଥିଲେ। ନିଲୁ ସହିତ ଜେଲ ଫେରନ୍ତା ଅଜୟ ମହାଭୋଇ ଓ ଅନ୍ୟ କିଛି ଲୋକ ଥିବା ନେଇ କଲୋନି ପକ୍ଷରୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ତୁରନ୍ତ ଉକ୍ତ ଅସାମାଜିକ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆସନ୍ତାକାଲି କଲୋନିବାସିନ୍ଦା ପୁଲିସ କମିସନରଙ୍କୁ ଦାବିପତ୍ର ଦେବେ ବୋଲି ଜଣାଇଛନ୍ତି।