ସୁତୁଲି ବାଣ ଫୁଟି ୩ ନାବାଳକ ଆହତ ଘଟଣା: ଚିକିତ୍ସା ଦାୟିତ୍ବ ବହନ କଲା ବର୍ନ ଟୁ ହେଲ୍‌ପ

ବାଲିପାଟଣା : ସୁତୁଲି ବାଣ ଫୁଟି ଅଠାନ୍ତରରେ ଗୁରୁତର ଆହତ ହୋଇଥିବା ୩ ନାବାଳକଙ୍କ ଚିକିତ୍ସା ଦାୟିତ୍ବ ବହନ କରିବ ସାମାଜିକ ସଂଗଠନ ବର୍ନ ଟୁ ହେଲ୍‌ପ। ତିନି ନାବାଳକ ପୂରା ସୁସ୍ଥ ହେବା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଏହି ସଂଗଠନ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇ କାମ ଆରମ୍ଭ କରିଛି। ଏବେ ଏହି ସଂଗଠନର ସଦସ୍ୟମାନେ ଉକ୍ତ ନାବାଳକମାନଙ୍କୁ ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।

ଗତକାଲି ଅଠାନ୍ତର ଭୋଇସାହିର ୩ ନାବାଳକ ଖେଳୁଥିବା ବେଳେ ରାସ୍ତାକଡ଼ରୁ ଏକ ଅଫୁଟା ବାଣ ପାଇ ସେଥିରେ ନିଆଁ ଲଗାଇଦେଇଥିଲେ। ଫଳରେ ସୁତୁଲି ବାଣଟି ବିସ୍ଫୋରଣ ହୋଇଥିଲା ଏବଂ ୩ ନାବାଳକଙ୍କ ମୁହଁ, ହାତ ଆଦି ପୋଡ଼ିଯାଇଥିଲା। ତୁରନ୍ତ ସେମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠା‌ରେ ଚିକିତ୍ସା ପରେ ଗତକାଲି ରାତିରେ ପରିବାର ଲୋକେ ସେମାନଙ୍କୁ ଘରକୁ ନେଇ ଆସିଥିଲେ। ତିନି ପିଲାଙ୍କ ବାପା ଆରତ ଭୋଇ, କୁନା ଭୋଇ ଓ ଦୀପକ ଭୋଇ ବହୁତ ଗରିବ ହୋଇଥିବାରୁ ହସ୍ପିଟାଲରେ ରଖି ଚିକିତ୍ସା କରାଇବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା। ଖରା ଦିନ ହୋଇଥିବାରୁ ଘରେ ଅସ୍ବାସ୍ଥ୍ୟକର ପରିବେଶରେ ପିଲାମାନଙ୍କ ପୋଡ଼ା କ୍ଷତ ଶୁଖିବା ବଦଳରେ ବଢ଼ିବ ବୋଲି ଆଶଙ୍କା ଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ତେବେ ଖବର ପାଇବା ପରେ ବର୍ନ ଟୁ ହେଲ୍‌ପ ସହଯୋଗର ହାତ ବଢ଼ାଇଛି।

ସମ୍ବନ୍ଧିତ ଖବର