ମା’ ଆସୁଛନ୍ତି: କଳିଙ୍ଗବିହାର-ନଗରରେ ହାଭାର୍ଡ ୟୁନିଭର୍ସିଟି ତୋରଣରେ ଦର୍ଶନ ଦେବେ ମା’

ଖଣ୍ଡଗିରି: ୧୪ ବର୍ଷରେ ପଦାର୍ପଣ କରୁଛି କଳିଙ୍ଗବିହାର-ନଗର ଦୁର୍ଗା ‌ପୂଜା। ପ୍ରତିବର୍ଷ ଜନସଚେତନତାର ବାର୍ତ୍ତା ଦେଉଥିବା ଏହି କମିଟିର ପୂଜା ଚଳିତ ବର୍ଷ ଶିକ୍ଷାର ମହତ୍ତ୍ବ ପ୍ରସାର କରିବ। ଏଥିପାଇଁ ମା’ ଜଗତଜନନୀଙ୍କ ମଣ୍ଡପର ତୋରଣରେ ନିର୍ମାଣ କରାଯାଉଛି ବିଶ୍ବ ବିଖ୍ୟାତ ହାଭାର୍ଡ ବିଶ୍ବବିଦ୍ୟାଳୟ ମଡେଲ୍‌। ମଣିଷ ସମାଜ ପାଇଁ ଆଧ୍ୟାତ୍ମିକତା ଯେତିକି ଦରକାର ଶିକ୍ଷା ମଧ୍ୟ ସେତିକି ଜରୁରୀ ବୋଲି ଏହି ପୂଜା କମିଟି ଏଭଳି ନିଷ୍ପତ୍ତି ନେଇଛି। ୫୭ ଫୁଟ୍‌ ଉଚ୍ଚ ଓ ୭୬ ଫୁଟ୍‌ ପ୍ରସ୍ଥର ଏହି ତୋରଣ ତିଆରି କରିବାକୁ ମାସକ ପୂର୍ବରୁ ୩୦ରୁ ଅଧିକ ଓଡ଼ିଆ ଓ ବଙ୍ଗୀୟ କାରିଗର ଲାଗିଛନ୍ତି।

ସେହିଭଳି ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୪ ଫୁଟ୍‌ କରାଯାଉଛି। ମେଢ଼କୁ ଅଧିକ ଆକର୍ଷଣୀୟ କରିବାକୁ କୋଲକାତାରେ ସ୍ବତନ୍ତ୍ର ବରାଦ ଦିଆଯାଇଛି। ମା’ଙ୍କ ପୂଜାର୍ଚ୍ଚନା ଯଥାରୀତି ସମ୍ପନ୍ନ କରାଯିବ ଏବଂ ଦଶମୀରେ ଶ୍ରଦ୍ଧାଳୁମାନଙ୍କୁ ଖେଚୁଡ଼ି ଓ ଡାଲମା ପ୍ରସାଦ ବଣ୍ଟନ କରାଯିବ। କଳିଙ୍ଗନଗର ଓ କଳିଙ୍ଗବିହାରର ସମସ୍ତ ଅଧିବାସୀମାନଙ୍କ ସହ ଆଖପାଖ ଗାଁର ଯୁବକ ଓ ମୁରବିମାନେ ପୂଜାରେ ସହଯୋଗ କରୁଥିବା ବେଳେ ତମାଣ୍ଡୋ ଥାନା ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ବିଶେଷ ସହଯୋଗ କରୁଛି। ତେଣୁ ୩ ଦିନ ଧରି ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ କରିବ। ମା’ଙ୍କୁ ମେଲାଣି ଦେବା ପୂର୍ବରୁ ଏଠାରେ ସିନ୍ଦୂର ଖେଳ ଏକ ପରମ୍ପରା ପାଲଟିଛି। ବଙ୍ଗୀୟ ମହିଳାଙ୍କ ସମତେ ଓଡ଼ିଆ ମହିଳାମାନେ ଏହି ସିନ୍ଦୂର ଖେଳରେ ସାମିଲ୍ ହେଉଛନ୍ତି।

ସମ୍ବନ୍ଧିତ ଖବର