ବିବେକାନନ୍ଦ ହସ୍‌ପିଟାଲକୁ ଲକ୍ଷେ ଫାଇନ୍‌

ଭୁବନେଶ୍ବର: ଆବର୍ଜନାକୁ ନେଇ ତତ୍ପର ହୋଇଛି ବିଏମ୍‌ସି। ଏଣେ ତେଣେ ଆବର୍ଜନା ନ ପକାଇବା ଓ ନିଜ ପରିସରର ୫ ମିଟର ପର୍ଯ୍ୟନ୍ତ ସଫା ରଖିବା ନିୟମକୁ ନେଇ ଚଢ଼ଉ ଆରମ୍ଭ ହୋଇଛି। ଆଜି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଫାୟ‌ାର ଷ୍ଟେସନ ଅଞ୍ଚଳରେ ଚଢ଼ଉ କରି ବିବେକାନନ୍ଦ ହସ୍‌ପିଟାଲକୁ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ହସ୍‌ପିଟାଲ ବର୍ଜ୍ୟବସ୍ତୁ ସ୍ବାସ୍ଥ୍ୟପ୍ରତି ହାନିକାରକ ହୋଇଥିବାରୁ ମୋଟା ଅଙ୍କର ଜରିମାନା କରାଯାଇଥିବା ବିଏମ୍‌ସି କହିଛି। ହସ୍‌ପିଟାଲଗୁଡ଼ିକ ଏହି ସବୁ ବର୍ଜ୍ୟବସ୍ତୁ ନିଜେ ପରିଚାଳନା କରିବା ପାଇଁ ଆଦେଶ ହୋଇଛି। କିନ୍ତୁ ବିବେକାନନ୍ଦ ହସ୍‌ପିଟାଲ ଏହାକୁ ମାନୁନଥିବା ଅଭିଯୋଗ ହୋଇଥିଲା। ଆଜି କମିସନରଙ୍କ ସମେତ ସମ୍ପୃକ୍ତ ଜୋନ୍‌ର ଜେଡ୍‌ଡିସି ରବିନାରାୟଣ ଜେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସକାଳୁ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଏହି ସବୁ ଆବର୍ଜନା ଏଣେ ତେଣେ ପଲିଥିନ୍‌ରେ ପୁଡ଼ିଆ ହୋଇ ପଡ଼ି ରହିଥିବା ଦେଖାଯାଇଥିଲା।

ତେବେ ଏହି ହସ୍‌‌ପଟାଲ ନୁହେଁ, ଏହି ଅଞ୍ଚଳରେ କମିସନର ୨୪ଟି ଦୋକାନ ଯାଞ୍ଚ କରିଥିଲେ। ବିଶେଷକରି ଜଳଖିଆ ଦୋକାନଗୁଡ଼ିକୁ ପରିଚ୍ଛନ୍ନତା ବଜାୟ ରଖିବାକୁ କହିଥି‌ଲେ। ୨୪ ଦୋକାନରୁ ୬ଟି ଦୋକାନ ୫ ମିଟର ପରିସୀମାରେ ସଫା ରଖିନଥିବାରୁ ସେ ସବୁକୁ ସିଲ୍‌ କରିବାକୁ ଆଦେଶ ଦେଇଥିଲେ। ପରିମଳ ବ୍ୟବସ୍ଥା ସୁଧାରିବାକୁ ଲିଖିତ ଭାବେ ବିଏମ୍‌ସିକୁ ଜଣାଇଲେ ସେ ସବୁ ଖୋଲିବାକୁ ଆଦେଶ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର