ଖଣ୍ଡଗିରି ମେଳାରେ ସ୍ବଚ୍ଛତାକୁ ଗୁରୁତ୍ବ

ଘଟଣାସ୍ଥଳ ବୁଲିଲେ କମିସନର

ଖଣ୍ଡଗିରି: ଖଣ୍ଡଗିରି ମେଳାରେ ପରିମଳକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି ବିଏମ୍‌ସି। ଯେ କୌଣସି ପରିସ୍ଥିତିରେ ବ୍ୟବସାୟୀ, ଆୟୋଜକ, ଅପେରା ଦଳ ସ୍ବଚ୍ଛତା ବଜାୟ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଏମସି କିମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର୍‌ ବିନୟ ଦାସ, ଜେଡ୍‌ଡିସି ରବିନାରାୟଣ ଜେଠୀ, ଖଣ୍ଡଗିରି ଥାନା ଇନ୍‌ସ୍‌ପେକ୍ଟର ଦୟାନିଧି ନାୟକଙ୍କ ସହ ମେଳା ପଡ଼ିଆ ପରିଦର୍ଶନ କରିବା ଅବସରରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ମେଳା ପଡ଼ିଆ ସହ ସେ ୫ଟି ଗାଡ଼ି ପାର୍କିଂ ସ୍ଥଳ ବୁଲି‌ ଦେଖିଛନ୍ତି।

ଏହି ସବୁ ପା‌ର୍କିଂ ଜାଗାରେ ଯେଭଳି ବିଶୃଙ୍ଖଳା ନ ହୁଏ ବା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ନ ହୁଏ ତାହା ଉପରେ ନଜର ରଖିବା ପାଇଁ କମିସନରେଟ୍‌ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ହୋଇଥିବା ପ୍ଲାନ୍‌କୁ ଦେଖିବା ସହ ଆବଶ୍ୟକ ପଡ଼ିଲେ ଏହାକୁ ପରିବର୍ତ୍ତନ କରିବାକୁ କହିଛନ୍ତି। ପାର୍କିଂସ୍ଥଳ‌ ସମେତ ଯାତ୍ରା ପେଣ୍ଡାଲ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଜାଗାରେ ସିସିଟିଭି ଲଗାଯିବାକୁ ଯୋଜନା ହୋଇଛି। ଆବଶ୍ୟକ ପଡ଼ିଲେ ଏହା ବାଦ୍‌ ଅନ୍ୟ ଜାଗାରେ ମଧ୍ୟ ସିସିଟିଭି ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି। ସେହିଭଳି ସାଧୁସନ୍ଥଙ୍କ ସୁରକ୍ଷା ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି। ହୋମ ଯଜ୍ଞ କିଭଳି ସୁରୁଖୁରୁରେ ହେବ, ଅପେରା ପାର୍ଟି କିପରି ଶାନ୍ତି ଶୃଙ୍ଖଳା ରକ୍ଷ‌ା କରି‌ବେ ତାହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଅଧିକାରୀମାନଙ୍କୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀଙ୍କୁ ଶୃଙ୍ଖଳିତ କରିବା ପାଇଁ ଚଳିତଥର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୮ ତାରିଖ ସୁଦ୍ଧା ବ୍ୟବସାୟୀମାନଙ୍କୁ ଆବେଦନ କରିବାକୁ କୁହାଯାଇଛି। ବ୍ୟବସାୟୀମାନେ ପଞ୍ଜୀକୃତ ହୋଇ ସାରିବା ପରେ ସେମାନଙ୍କୁ ଏସ୍‌ଓପି ବାବଦରେ ଅବଗତ କରାଇବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ୩ ଦିନ ତଳେ ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ଓ କମିଟି ମେମ୍ବରଙ୍କ ସହିତ ମେଳା ପଡ଼ିଆ ଓ ଯାତ୍ରା ମଇଦାନ ବୁଲି ଦେଖିଥିଲେ। ଓଏସ୍‌ଆରଟିସି ବସ୍‌ଷ୍ଟାଣ୍ଡରେ ପରିତ୍ୟକ୍ତ ଅବସ୍ଥାରେ ୩ଟି ବସ୍‌ ପଡ଼ି ରହିଛି। ଏଠାରେ ଅପେରା ଯାତ୍ରା ପରିବେଷଣ କରିବାକୁ ଥିବାରୁ ବସ୍‌ଗୁଡ଼ିକୁ ଉଠାଇନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଯାବତ୍‌ ତାହା ଉଠି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର