ଆବାସ ଯୋଜନାରେ ବିଜେଡି କର୍ମୀ ସାମିଲ ଅଭିଯୋଗ

ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଇଛି। ହେଲେ ରାଜ୍ୟ ସରକାର ନିକଟରେ ଜାରି କରିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାରେ ବିଜୁ ଜନତା ଦଳର କର୍ମୀ ଓ ନେତାମାନଙ୍କୁ ସାମିଲ କରିଥିବାରୁ ପ୍ରକୃତ ଗରିବ ବାଦ୍ ପଡ଼ିଛନ୍ତି। ଏଭଳି ଅଭିଯୋଗ କରି ଆଜି ବିଜେଡି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଭୁବନେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ତୁରନ୍ତ ଯୋଗ୍ୟ ଗରିବ ହିତାଧିକାରୀମାନଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନଦେଲେ ଆସନ୍ତା ଜାନୁଆରି ୩୧ ତାରିଖ ଦିନ ବ୍ଲକ ଘେରାଉ କରାଯିବା ସହିତ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସିଂହ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଇଛି। ମାତ୍ର ଚଂଚକତା କରି ଶାସକ ବିଜେଡି ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଆବଣ୍ଟନ କରିବା କାରଣରୁ ଲକ୍ଷ ଲକ୍ଷ ବାସହୀନ ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ନିରପେକ୍ଷ ଭାବେ ସର୍ଭେ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର