ଅନ୍‌ଲାଇନ୍‌ରେ ମିଳିବ ଯୁକ୍ତ୨ ସାର୍ଟିଫିକେଟ୍‌

ଏଥର ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ, ୭୫% ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ମନା

ଭୁବନେଶ୍ବର :ଯୁକ୍ତ୨ ପରୀକ୍ଷ‌ାରେ ସଂସ୍କାର ଆଣିବାକୁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ୨୦୧୯ ପରୀକ୍ଷାରେ ସିସିଟିଭି ଲଗାଇ ଚର୍ଚ୍ଚାକୁ ଆସିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୨୦୨୦ ପରୀକ୍ଷାରେ ଆଉ କିଛିଟା ସଂସ୍କାରଧର୍ମୀ ପଦକ୍ଷେପ ନେବାକୁ ଯାଉଛି। ଗତବର୍ଷ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କୁହାଯାଇଥିଲେ ମଧ୍ୟ କିଛି ପରୀକ୍ଷା କେନ୍ଦ୍ର ବିଭିନ୍ନ ଆଳ ଦେଖାଇ ଲଗାଇ ନଥିଲେ। ଏଥର କିନ୍ତୁ ପରିଷଦ ନଛୋଡ଼ବନ୍ଧା। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିଛି। ଏଥିସହ ବିଭିନ୍ନ ସାର୍ଟିଫିକେଟ୍‌ ହାସଲ ପାଇଁ ଛାତ୍ରଛାତ୍ରଙ୍କୁ ଆଉ ପରିଷଦ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ଏଣିକି ଘରେ ରହି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆସନ୍ତା ୪ରୁ ୫ମାସ ମଧ୍ୟରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରି ପାଠ୍ୟକ୍ରମରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍‌, ମାଇଗ୍ରେସନ, କଲେଜ ଲିଭିଂ ଆଦି ସାର୍ଟିଫିକେଟ୍‌ ପାଇବା ପାଇଁ ଆଉ ପରିଷଦ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେମାନେ ଘରେ ବସି ସାର୍ଟିଫିକେଟ୍‌ ପାଇପାରିବେ। ଅନ୍‌ଲାଇନ୍‌ରେ ଆବେଦନ କରି ଅନ୍‌ଲାଇନ୍‌ରେ ହିଁ ସାର୍ଟିଫିକେଟ୍‌ ପାଇବେ। ଏଥିପାଇଁ ପରିଷଦ କାର୍ଯ୍ୟାଳୟରେ ଏକ କମ୍ପ୍ୟୁଟର ସେଲ୍‌ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୫ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରି ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ‌ତେବେ କୃତୀ ଛାତ୍ରଛାତ୍ରୀଙ୍କ ମୂଳ ପ୍ରମାଣପତ୍ର(ଓରିଜିନାଲ ସାର୍ଟିଫିକେଟ୍‌) ପୂର୍ବଭଳି କଲେଜକୁ ପଠାଯିବ। ଛାତ୍ରଛାତ୍ରୀ ସେଠାରୁ ସଂଗ୍ରହ କରିବେ। ପରବର୍ତୀ ସମୟରେ ଏହା ବିଷୟରେ ଆଲୋଚନା କରାଯିବ।

ଏଥର ପରୀକ୍ଷା କେନ୍ଦ୍ର ସ୍ଥିର ହେବା ବେଳେ କୋହଳ ମ‌ନୋବୃତ୍ତି ପୋଷଣ କରାଯିବ ନାହିଁ। ଗତବର୍ଷ ୧୧୯୦ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ପ୍ରାୟ ୪୫ଟି କେନ୍ଦ୍ରରେ ସିସିଟିଭି ଲାଗି ନଥିଲା। ତଥାପି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେଠାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ତେବେ ଏଥର ଆଉ ଆଗ ଭଳି ବ୍ୟବସ୍ଥା ହେବନି। ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ପରୀକ୍ଷା କେନ୍ଦ୍ର ଚୟନ କରାଯିବ। ପରିଷଦର ଏକ ପ୍ରତିନିଧି ଦଳ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିବେ। ଆବଶ୍ୟକ ଭିତ୍ତିଭୂମି ନ ଥିଲେ ପରୀକ୍ଷା କେନ୍ଦ୍ର ବାତିଲ୍ ହେବ। ଏନେଇ ସମସ୍ତ କଲେଜକୁ ଖୁବ୍‌ଶୀଘ୍ର ଚିଠି ପଠାଯିବ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ‘ଟି’ ଉପରେ ଗୁରୁତ୍ବ ଦେଉଥିବାରୁ ଏଥର ନାମଲେଖା, ପାଠପଢ଼ା, ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶ ନିର୍ଦ୍ଧାରିତ ସମୟରେ ସରିବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ କଡ଼ାକଡ଼ି କରିବା ପାଇଁ କଲେଜଗୁଡ଼ିକୁ କୁହାଯାଇଛି। ‌ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ହୋଇ ନଥିବ ସେମାନେ ପରୀକ୍ଷା ଦେଇପାରି‌ବେ ନାହିଁ। ସେମାନଙ୍କୁ ଫର୍ମ ପୂରଣ ଲାଗି ସୁଯୋଗ ‌ନ ଦେବାକୁ କୁହାଯାଇଛି। ଏବେଠାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରିବା ଦିଗରେ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଜାନୁଆରି ୨୫ ସୁଦ୍ଧା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଓ ମାର୍ଚ୍ଚ ୨୨ ସୁଦ୍ଧା ପ୍ରମୁଖ ବିଷୟଗୁଡ଼ିକର ଥିଓରି ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖିଛି ପରିଷଦ।

ସମ୍ବନ୍ଧିତ ଖବର