କୋହଳ ହେବ ସର୍ବକ୍ଷମା ଜରିମାନା, ପୁଣି ୬ମାସ ଘୁଞ୍ଚିବ ଆବେଦନ ଅବଧି

ସେଟ୍‌ବ୍ୟାକ୍, ପାର୍କିଂ ଓ କମ୍ପାଉଣ୍ଡିଂ ଫି’ କମିଲା, ଖୁବ୍ ଶୀଘ୍ର ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ

ଭୁବନେଶ୍ବର: ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍ ୨୦, ୨୦୧୮ରେ ଘୋଷଣା ହୋଇଥିବା ସର୍ବକ୍ଷମା ଯୋଜନାକୁ ନଗର ଉନ୍ନୟନ ବିଭାଗ ପୁଣି ସଂଶୋଧନ କରିଛି। ଖୁବ୍ ଶୀଘ୍ର ପୁଣି ‘ବେଆଇନ ନିର୍ମାଣକୁ ନିୟମିତ କରିବା ପାଇଁ ନୂଆ ଯୋଜନା-୨୦୧୯’ ବା ସର୍ବକ୍ଷମା ଯୋଜନା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ବିଜ୍ଞପ୍ତି ‘ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮’କୁ ସଂଶୋଧନ କରି ପ୍ରକାଶ କରାଯିବ। ଆଉ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ୬ମାସ ପର୍ଯ୍ୟନ୍ତ ଲୋକଙ୍କୁ ଆବେଦନ କରିବାକୁ ସୁଯୋଗ ଦିଆଯିବ।

ଉନ୍ନୟନ କର୍ତ୍ତୃପକ୍ଷ, ବିଏମ୍‌ସି ଠାରୁ ପ୍ଲାନ୍ ନେଇ ଘର ନିର୍ମାଣ କରିଥିବା ଲୋକଙ୍କ ଉପରେ ମାତ୍ରାଧିକ ଜରିମାନା ଲଦି ଦିଆଯାଇଥିବାରୁ ‘ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮’ ଏକରକମ ଫେଲ୍‌ ମାରିଥିଲା। ଏପରିକି ଏହି ଯୋଜନା ଘୋଷଣା ହେବାର ବର୍ଷକ ମଧ୍ୟରେ ବି ଆଶାନୁରୂପ ଆବେଦନ ହେଲାନି। ଦୁଇ ଥର ୬ମାସ ଲେଖାଏଁ ଏହାର ଅବଧି ବଢ଼ାଇବା ସତ୍ତ୍ବେ ବି ସାରା ରାଜ୍ୟ‌େର ଆବେଦନ ୩ହଜାର ଟପିଲାନି। ଏପଟେ ସରକାରଙ୍କ ମାତ୍ରାଧିକ ଜରିମାନାକୁ ବିରୋଧ କରି କିଛି ଲୋକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ନଗର ଉନ୍ନୟନ ବିଭାଗ ଜରିମାନା ହ୍ରାସ କରିବା ସହ ପୂର୍ବ ନିୟମରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି। ଫଳରେ ହାଇକୋର୍ଟରେ ଦାୟର ହୋଇଥିବା ମାମଲା ରାଜ୍ୟ ସରକାରଙ୍କୁ ଆଉ ଅଡ଼ୁଆରେ ପକାଇବନି। ଅଧିକରୁ ଅଧିକ ଲୋକ ଯେପରି ସର୍ବକ୍ଷମା ଯୋଜନାରେ ସାମିଲ୍‌ ହେବେ ସେହିଭଳି ଏହାକୁ ପ୍ରସ୍ତୁତ କରାଯାଇଛି। ଆବାସିକ ଘର, ବ୍ୟବସାୟିକ ଘର ଆଦିର ସେଟ୍‌ବ୍ୟାକ୍, ପାର୍କିଂ, କମ୍ପାଉଣ୍ଡିଂ ଚାର୍ଜ ଆଦିରେ କୋହଳ କରି ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯେତିକି ଫି’ ଧାର୍ଯ୍ୟ ହୋଇଥିଲା ତାହା ପ୍ରାୟ ଅଧା କରାଯାଇଥିବାବେଳେ ଯେତିକି ଖୋଲା ସ୍ଥାନ ଛାଡ଼ିବାର ଥିଲା ତାହାକୁ ବି କୋହଳ କରାଯାଇଛି। ସର୍ବକ୍ଷମା‌ ଯୋଜନାରେ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବା ପାଇଁ ହୋଇଥିବା ନୂଆ ନିୟମ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଯଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରାମଣ୍ତଳି ଉନ୍ନୟନ କର୍ତ୍ତୃପକ୍ଷ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଏହା ଲାଗୁ ହେବ।

ସେଟ୍‌ବ୍ୟାକ୍ କାହା ପାଇଁ କେତେ
ନୂଆ ଯୋଜନା ଅନୁଯାୟୀ, ଉଚ୍ଚ ଅଟ୍ଟାଳିକା ହୋଇନଥିବା ଆପାର୍ଟମେଣ୍ଟ ବା ୧୫ମିଟରରୁ ଉଚ୍ଚତା କମ୍‌ ହୋଇଥିଲେ ଚାରି ପାର୍ଶ୍ବରେ ୧.୫ମିଟର ଲେଖାଏଁ ସେଟ୍‌ବ୍ୟାକ୍ ଛାଡ଼ିବାକୁ ହେବ। ଯେତେବେଳେକି ପୂର୍ବ ବିଜ୍ଞପ୍ତିରେ ଦୁଇ ବିପରୀତ ପାର୍ଶ୍ବରେ ମୋଟ୍‌ ସେଟ୍‌ବ୍ୟାକ୍‌ର ଦୁଇ ତୃତୀୟାଂଶ ଛାଡ଼ିବାକୁ ନିୟମ ଥିଲା। ଉଚ୍ଚ ଅଟ୍ଟାଳିକା ହୋଇନଥିବା ବ୍ୟବସାୟିକ କୋଠା ପାଇଁ (୫୦୦ବର୍ଗମିଟରରୁ ଅଧିକ ଜମି ହୋଇଥିଲେ) ଚାରି ପାର୍ଶ୍ବରେ ୧.୫ମିଟର ଲେଖାଏଁ ସେଟ୍‌ ବ୍ୟାକ୍ ଛାଡ଼ିବାକୁ ହେବ। ୯ମିଟର କିମ୍ବା ଏହାଠାରୁ ଅଧିକ ବା ୧୫ମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟବସାୟିକ ବିଲଡିଂ ଯଥା ମଲ୍‌, ସପିଂ କମ୍ପ୍ଲେକ୍ସ, ମର୍ସାଣ୍ଟାଇଲ୍ ବିଲଡିଂରେ ସାମ୍ନା ପାର୍ଶ୍ବ ବ୍ୟତୀତ ଦୁଇ ପାର୍ଶ୍ବରେ ୩ମିଟର ଲେଖାଏଁ ସେଟ୍‌ବ୍ୟାକ୍ ଛାଡ଼ିଥିଲେ ଏହା ରେଗୁଲାରାଇଜ୍ କରିବାକୁ ଆବେଦନ କରିହେବ। ସେହିଭଳି ୧୨ମିଟର ବା ଏହାଠାରୁ ଅଧିକ ଏବଂ ୧୫ମିଟର ପର୍ଯ୍ୟନ୍ତ ବ୍ୟବସାୟିକ ବିଲଡିଂ (ବିଜିନେସ୍/ ଅଫିସ୍/ହୋଟେଲ/ଲଜିଂ/ଗେଷ୍ଟ ହାଉସ୍) ପାଇଁ ବ୍ୟବହାର ହେଉଥିଲେ ସାମ୍ନା ପାର୍ଶ୍ବ ବ୍ୟତୀତ ସର୍ବନିମ୍ନ ୩ମିଟର ସେଟ୍‌ ବ୍ୟାକ୍ ଯେକୌଣସି ଦୁଇ ପାର୍ଶ୍ବରେ ଛାଡ଼ିବାକୁ ହେବ। ସ୍ବତନ୍ତ୍ର ଏବଂ ଇନଷ୍ଟିଚ୍ୟୁସନାଲ ବିଲଡିଂ କ୍ଷେତ୍ରରେ ୧.୫ମିଟରର ସେଟ୍‌ବ୍ୟାକ୍ ଚାରି ପାର୍ଶ୍ବରେ ଆବଶ୍ୟକ। ପୂର୍ବରୁ ଏହି ସବୁ କୋଠା ପାଇଁ ଦୁଇ ତୃତୀୟାଂଶ ସେଟ୍‌ ବ୍ୟାକ୍ ଛାଡ଼ିବାକୁ ନିୟମ ହୋଇଥିଲା।

ସେହିପରି ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲ/କ୍ଲିନିକ ଭଳି ବିଲଡିଂ କ୍ଷେତ୍ରରେ ଏହାର ଉଚ୍ଚତା ୧୨ମିଟର ବା ଏହା‌ଠାରୁ ଅଧିକ ଏବଂ ୧୫ମିଟର ପର୍ଯ୍ୟନ୍ତ ହୋଇଥିଲେ ସାମ୍ନା ପାର୍ଶ୍ବ ବ୍ୟତୀତ ସର୍ବନିମ୍ନ ୩ମିଟର ସେଟ୍‌ ବ୍ୟାକ୍ ଯେକୌଣସି ଦୁଇ ପାର୍ଶ୍ବରେ ଛାଡ଼ିବାକୁ ହେବ। ଉଚ୍ଚ ଅଟ୍ଟାଳିକା କୋଠା ଶ୍ରେଣୀରେ (୧୫ମିଟର ବା ଏହାଠାରୁ ଅଧିକ ହୋଇଥିଲେ) ୧୮ମିଟର ଉଚ୍ଚତା ପର୍ଯ୍ୟନ୍ତ ଆବାସିକ କୋଠା ପାଇଁ ସାମ୍ନା ପାର୍ଶ୍ବ ବ୍ୟତୀତ ସର୍ବନିମ୍ନ ୪.୫ ମିଟର ସେଟ୍‌ ବ୍ୟାକ୍ ଯେକୌଣସି ଦୁଇ ପାର୍ଶ୍ବରେ ଛାଡ଼ିବାକୁ ହେବ। ପୂର୍ବରୁ ଏହି ସେଟ୍‌ ବ୍ୟାକ୍ ୬ମିଟରର ଥିଲା। ସେହିଭଳି ଅଣ ଆବାସିକ ଉଚ୍ଚ ଅଟ୍ଟାଳିକା କୋଠା ଯଥା ବ୍ୟବସାୟିକ, ସ୍ବତନ୍ତ୍ର ଏବଂ ଇନଷ୍ଟିଚ୍ୟୁସନାଲ୍‌ ବିଲଡିଂ ଏବଂ ହସ୍ପିଟାଲ/କ୍ଲିନିକ କ୍ଷେତ୍ରରେ ୧୮ମିଟରରୁ ୨୧ମିଟର ଉଚ୍ଚତା ବିଶିଷ୍ଟ ବିଲଡିଂ ପାଇଁ ଚାରି ପାର୍ଶ୍ବରେ ୪.୫ମିଟର ଲେଖାଏଁ ସେଟ୍‌ ବ୍ୟାକ୍ ଛାଡ଼ିବାକୁ ହେବ। ଏହା ପୂର୍ବରୁ ୬ମିଟର ‌େଲଖାଏଁ ଛାଡ଼ିବାକୁ ନିୟମ ଥିଲା।

ବିଡିଏ ଆଦାୟ କଲାଣି ୩୬କୋଟି, କେମିତି ଫେରାଇବ
ସର୍ବକ୍ଷମା ଯୋଜନାରେ ଜରିମନା ବାବଦକୁ ବିଡିଏ ୩୬କୋଟିରୁ ଅଧିକ ଟଙ୍କା ଆଦାୟ କରିଛି। ସ୍କ୍ରୁଟିନି ଏବଂ କମ୍ପାଉଣ୍ଡିଂ ଫି’ ବାବଦକୁ ବିଡିଏ ୩୬,୭୦,୪୬,୨୯୭ଟଙ୍କା ଆଦାୟ କରିଛି। ହେଲେ ନୂଆ ନିୟମରେ ଆଦାୟ ହେଉଥିବା ଫି’ ଅଧାରୁ ଅଧିକ କମିଯିବ। କିନ୍ତୁ ବିଡିଏ ଏବେ ଏହି ଟଙ୍କା ଲୋକଙ୍କୁ ଫେରାଇବ ନା ଫେରାଇବନି ସେନେଇ ଦ୍ବନ୍ଦ୍ବ ଉପୁଜିଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଯେଉଁ ଫି’ ଧାର୍ଯ୍ୟ ହୋଇଛି ସେହି ଅନୁଯାୟୀ ପୂର୍ବରୁ ଟଙ୍କା ଜମା କରିଥିବା ଲୋକଙ୍କ ଠାରୁ ଫି’ ରଖାଯିବ। ବଳକା ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ। ହେଲେ ଏବେ ଯଦି ବିଡିଏ ଏହି ଟଙ୍କା ଫେରାଇବା କାର୍ଯ୍ୟରେ ଲାଗିବ ତେବେ ନୂଆ ନିୟମକୁ ଲାଗୁ କରିବା କଷ୍ଟକର ହୋଇପଡ଼ିବ। ବହୁତ ହିସାବ କରି ପୂର୍ବରୁ ଆବେଦନ କରିଥିବା ଲୋକଙ୍କୁ ଟଙ୍କା ଫେରାଯିବାକୁ ଥିବାରୁ ୬ମାସ ପରେ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା ଅଛି। ହେଲେ ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ।

ପାର୍କିଂ କାହା ପାଇଁ କେତେ କୋହଳ
ଉଚ୍ଚ ଅଟ୍ଟାଳିକା ହୋଇନଥିବା ବ୍ୟବସାୟିକ ବିଲଡିଂ କ୍ଷେତ୍ରରେ ୩୦୦ବର୍ଗମିଟର ପର୍ଯ୍ୟନ୍ତ ଜମିରେ ପାର୍କିଂ ପାଇଁ ଜମା ଜାଗା ନଛାଡ଼ିଲେ ବି ଏହାକୁ ରେଗୁଲାରାଇଜ୍ କରାଯାଇପାରିବ। ‌ଯେତେବେଳେକି ପୂର୍ବ ନିୟମରେ ଏତିକି ଜମି ପାଇଁ ୨୫% ପାର୍କିଂ ପାଇଁ ରଖିବାକୁ ନିୟମ ଥିଲା। ଏହି ବର୍ଗରେ ୫୦୦ ବର୍ଗମିଟରରୁ ଅଧିକ ଜମି କ୍ଷେତ୍ରରେ ଯଦି ଆବଶ୍ୟକୀୟ ପାର୍କିଂର ୫୦% ସେହି ସ୍ଥାନରେ ଥିବ ତେବେ ଏହାକୁ ନିୟମିତ କରାଯାଇପାରିବ। ପୂର୍ବରୁ ଏହା ୭୫% ପାର୍କିଂ ଆବଶ୍ୟକତା ପୂରଣ କରିବାକୁ ନିୟମ ଥିଲା। ସେହିପରି ଉଚ୍ଚ ଅଟ୍ଟାଳିକା ବିଶିଷ୍ଟ ଆବାସିକ କୋଠା ପାଇଁ ଆବଶ୍ୟକତାଠୁ ୫୦% ପର୍ଯ୍ୟନ୍ତ ପାର୍କିଂ ଅଞ୍ଚଳ କମ୍‌ ଥିଲେ ବି ଏହାକୁ ରେଗୁଲାରାଇଜ୍ କରାଯାଇପାରିବ। କିନ୍ତୁ ଏଥିପାଇଁ ଆବାସିକ କଲ୍ୟାଣ ସଂଘ ସହମତି ଦେବା ଦରକାର ଏବଂ ୫୦% ପାର୍କିଂ ଅଞ୍ଚଳ ସେହି ସ୍ଥାନରେ ଥିବା ଦରକାର। ଉଚ୍ଚ ଅଟ୍ଟାଳିକା ବିଶିଷ୍ଟ ବ୍ୟବସାୟିକ ଏବଂ ହସ୍ପିଟାଲ/କ୍ଲିନିକ କ୍ଷେତ୍ରରେ ଉକ୍ତ ବିଲଡିଂରେ ଆବଶ୍ୟକତାର ୫୦% ପାର୍କିଂ ଅଞ୍ଚଳ ଥିଲେ ବଳକା ପାର୍କିଂ ଅଞ୍ଚଳକୁ ବି ନିୟମିତ କରିହେବ। ପୂର୍ବରୁ ୭୫% ପାର୍କିଂ ଅଞ୍ଚଳ ରଖିବା ନିୟମ ଥିଲା।

ସେହିପରି ମହାନଗର ନିଗମ ଅଞ୍ଚଳରେ (ଆବାସିକ ଓ ଅଣଆବାସିକ) ପାର୍କିଂ ବାବଦକୁ ଯେତିକି ଅଞ୍ଚଳ ଛାଡ଼ ହେବ ସେଥିପାଇଁ ପୂର୍ବରୁ ୧୭୫୦୦ ଟଙ୍କା ପଡ଼ୁଥିବାବେଳେ ଏବେ ଏହାକୁ ୧୦ହଜାର ଟଙ୍କାକୁ କମାଇ ଦିଆଯାଇଛି। ମ୍ୟୁନିସପାଲଟି ଅଞ୍ଚଳରେ ଏହି ଫି’ ବାବଦକୁ ୧୫ହଜାର ଟଙ୍କା ଥିବା‌େବଳେ ଏବେ ଏହାକୁ ୮ହଜାର ଟଙ୍କାକୁ, ଏନ୍‌ଏସି ଅଞ୍ଚଳରେ ୧୩ହଜାର ଟଙ୍କାରୁ ୬ହଜାର ଟଙ୍କାକୁ ଏବଂ ଗ୍ରାମାଞ୍ଚଳରେ ୧୦ହଜାର ଟଙ୍କାରୁ ୫ହଜାର ଟଙ୍କାକୁ କମାଇ ଦିଆଯାଇଛି।

କମ୍ପାଉଣ୍ଡିଂ ଫି’ କେମିତି କୋହଳ ହେବ
ନୂଆ ନିୟମରେ କମ୍ପାଉଣ୍ଡିଂ ମୂଲ୍ୟକୁ ସରଳୀକରଣ କରାଯାଇଛି। ବିଭିନ୍ନ ବର୍ଗ ପାଇଁ ବର୍ଗମିଟର ପିଛା ଏହି ମୂଲ୍ୟ ଧାର୍ଯ୍ୟ ହୋଇଛି। ଆବାସିକ ଓ ଅଣଆବାସିକ କୋଠା ପାଇଁ ସର୍ବାଧିକ ଅନୁମତିପ୍ରାପ୍ତ ଫ୍ଲୋର୍ ଏରିଆ ରେସିଓ (ଏଫ୍‌ଏଆର୍‌) ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲେ ଏଥିପାଇଁ ବର୍ଗମିଟର ପିଛା ଯଥାକ୍ରମେ ୨୫୦ ଓ ୫୦୦ଟଙ୍କା ଦେବାକୁ ପଡ଼ିବ। ଅନୁମତିପ୍ରାପ୍ତ ଏଫ୍‌ଏଆର୍‌ ଠାରୁ ଅଧିକ ନିର୍ମାଣ କରିଥିଲେ ଆବାସିକ କୋଠା ପାଇଁ ବର୍ଗମିଟର ପିଛା ୫୦୦ଟଙ୍କା (ପୂର୍ବରୁ ହଜାରେରୁ ୨୮୦୦ଟଙ୍କା ପର୍ଯ୍ୟନ୍ତ ଥିଲା) ଦେବାକୁ ହେବ। ଅଣଆବାସିକ କୋଠା ପାଇଁ ବର୍ଗମିଟର ପିଛା ୫୦୦ଟଙ୍କା କିମ୍ବା ସ୍ଥାନୀୟ ଅଞ୍ଚଳର ଜମିର ବେଞ୍ଚ ମାର୍କ ଭାଲ୍ୟୁର (ମୋଟ୍‌ ଜମିର ୧ବର୍ଗମିଟର) ୨୫% ଦେବାକୁ ହେବ। ଯେଉଁଟା ଅଧିକ ହେବ ସେହି ଅନୁଯାୟୀ ଅର୍ଥ ଆଦାୟ ହେବ। ପୂର୍ବରୁ ଏହା ବହୁ ଅଧିକ ଥିଲା। ସ୍ଥାନ ଅନୁଯାୟୀ ଲୋକଙ୍କୁ ବର୍ଗମିଟର ପିଛା ୨ହଜାରରୁ ୭ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଥିଲା।
ପୂର୍ବରୁ ବେସ୍‌ ଏଫ୍‌ଏଆର୍‌ ପରେ କିଣାଯାଉଥିବା ବାକି ଏଫ୍‌ଏଆର୍ ପାଇଁ ସ୍ଥାନୀୟ ଜମିର ବେଞ୍ଚମାର୍କ ମୂଲ୍ୟର ଅଧା ମୂଲ୍ୟକୁ ପ୍ରତି ବର୍ଗମିଟର ଜମି ହିସାବରେ ନିଆଯାଉଥିଲା। ଏହାସହ ଅଧିକ ନିର୍ମାଣ ହୋଇଥିବା ଅଞ୍ଚଳର ବର୍ଗମିଟର ପିଛା ହିସାବକୁ ନେଇ ଫି’ ଜମା କରିବାକୁ କୁହାଯାଇଥିଲା। କିନ୍ତୁ ଏବେ ଏହାକୁ ବାଦ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର