ତେଲ ଦର ବୃଦ୍ଧି ପ୍ରତିବାଦରେ ବନ୍ଦ ସ୍ବତଃସ୍ଫୂର୍ତ୍ତ : ୬ ଘଣ୍ଟା ଅଟକିଗଲା ରାଜଧାନୀ

ଭୁବନେଶ୍ବର : ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିବା ‘ଓଡ଼ିଶା ବନ୍ଦ’ ରାଜଧାନୀରେ ଶାନ୍ତିପୂର୍ଣ୍ଣ ରହିଛି। କିଛି ଛୋଟ ଅଘଟଣକୁ ବାଦ୍ ଦେଲେ ବନ୍ଦକୁ ଲୋକମାନେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି। ରାଜଧାନୀର ମୁଖ୍ୟ ବଜାରଠୁ ନେଇ ଗଳିକନ୍ଦିରେ ସବୁ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ବି ଏକପ୍ରକାର ବନ୍ଦ ରହିଥିଲା। ସତେ ଯେମିତି ୬ ଘଣ୍ଟା ପାଇଁ ପୂରା ରାଜଧାନୀ ଅଟକିଯିବା ଭଳି ମନେ ହୋଇଥିଲା। ତେବେ ବନ୍ଦ ପାଇଁ ରାଜଧାନୀରେ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିମାନବନ୍ଦରଠାରୁ ଆରମ୍ଭ କରି ବରମୁଣ୍ଡା ବସଷ୍ଟାଣ୍ଡ, ରେଳ ଷ୍ଟେସନ୍‌ ପର୍ଯ୍ୟନ୍ତ ଯାତ୍ରୀମାନେ ବନ୍ଦ ଯନ୍ତ୍ରଣା ଭୋଗିଥିଲେ। ଅପରାହ୍‌ଣ ୧ଟା ପ‌ରେ ବଜାରଘାଟ ସ୍ବାଭାବିକ ଅବସ୍ଥାକୁ ଫେରି ଆସିଥିଲା।

କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ଦାବି ନେଇ ଆଜି ସାରା ରାଜ୍ୟରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଥିବାବେଳେ ରାଜଧାନୀରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା। ବନ୍ଦ ପାଇଁ ରାଜଧାନୀରେ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ବିଭିନ୍ନ ଛକ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପିକେଟିଂ ଆରମ୍ଭ କରି ଦେଇଥିଲେ। କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ଭୁବନେଶ୍ବର ପରିକ୍ରମା କରିଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଅନ୍ୟ କଂଗ୍ରେସ ନେତ ଓ କର୍ମୀମାନେ ବନ୍ଦରେ ସାମିଲ ହୋଇଥିଲେ। ସେହିପରି ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପ୍ରବେଶ କରି ଲୋକମାନ୍ୟ ତିଲକ୍ ଟ୍ରେନ୍‌କୁ ଅଟକାଇଥିଲେ।

ବନ୍ଦ ପାଇଁ ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଛାତ୍ର କଂଗ୍ରେସର କର୍ମୀମାନେ ସତ୍‌ସଙ୍ଗ ବିହାର ଛକରେ ବସ୍ ଓ ଅନ୍ୟ ଗାଡ଼ିଗୁଡ଼ିକକୁ ଅଟକାଇଥିଲେ। ଏପରିକି କିଛି କର୍ମୀ ରାସ୍ତାରେ ବାଇକ୍‌ ଓ ସାଇକେଲ୍ ରଖି କିମ୍ବା ଶୋଇ ରହି ଗାଡ଼ି ଚଳାଚଳ ବନ୍ଦ କରିଥିଲେ। ସତ୍‌ସଙ୍ଗ ବିହାର ଛକରେ କିଛି ନାଇଟ୍ କୋଚ୍‌ ବସ୍ ବନ୍ଦରେ ଫସି ଯିବାରୁ ଯାତ୍ରୀମା‌ନଙ୍କୁ ପାଣିଠାରୁ ଶୌଚାଳୟ ପର୍ଯ୍ୟନ୍ତ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମାତ୍ର ଆମ୍ବୁଲାନ୍‌ସ ପାଇଁ ସ୍ବତନ୍ତ୍ରଭାବେ ଏକ କରିଡର କରି ଯିବାକୁ ସୁଯୋଗ ଦିଆଯାଇଥିଲା। ବନ୍ଦକୁ ନଜରରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ବସ୍’ ଓ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା। ଯାହାଫଳରେ ବାହାରୁ ରାଜଧାନୀକୁ ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ଓ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହିପରି ବାହାର ରାଜ୍ୟରୁ ବିମାନରେ ଯେଉଁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ ସେମାନଙ୍କୁ ମଧ୍ୟ ଅନ୍ୟ ସ୍ଥାନକୁ ଯିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର