‘ସୁରଭି’ରେ ଛାୟା ବିଧାନସଭା: ବିରୋଧୀ ବାଣରେ ଗୃହ କମ୍ପିଲା

ଭୁବନେଶ୍ୱର: ଏଠି ଚାଷୀମାନେ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି। ଡେଙ୍ଗୁ ସ୍ୱାଇନ୍‌-ଫ୍ଲୁ କାୟା ମେଲାଇ ଚାଲିଛି। ଅନେକ ଗାଁ’ରେ ବିଜୁଳି ଏବେ ବି ସାତସପନ। ହତ୍ୟା ଓ ଲୁଟ୍‌ ଏ ରାଜ୍ୟରେ ମାମୁଲି ଘଟଣା ପାଲଟିଛି। ପିସି କାରବାରରେ ଲଗାମ୍‌ ନାହିଁ। ବିରୋଧୀ ଦଳ ନେତ୍ରୀଙ୍କ ଏ ବାକ୍ୟ ବାଣରେ ଆଜି ଦୋହଲି ଯାଇଥିଲା ବିଧାନସଭା। ହଟ୍ଟଗୋଳ ସୀମା ଲଙ୍ଘିଥିଲା। ଆକ୍ଷେପ ପ୍ରତି ଆକ୍ଷେପରେ ପରସ୍ପରକୁ ସେମ୍‌ ସେମ୍‌ ସେମ୍‌ର ତାଚ୍ଛଲ୍ୟ ଶବ୍ଦ ଫିଙ୍ଗୁଥିଲେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାନସଭା ସଦସ୍ୟମାନେ। ଶାସକ ଦଳ ବି ଛାଡ଼ି ନଥିଲେ। ସରକାର ଏଯାଏଁ କେତେ ଯୋଜନା କରିଛନ୍ତି ତା’ର ଲମ୍ବା ହିସାବ ଶୁଣାଇ ଦେଇଥିଲେ। ପୁଣି ଆଗକୁ କ’ଣ ହବ ତା’ର ମଧ୍ୟ ଚିଠା ପଢ଼ି ଶୁଣେଇ ଦେଇଥିଲେ। ତେବେ ସତସତିକା ନୁହେଁ, ବରଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌ ୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ‘ସୁରଭି’ର ଛାୟା ବିଧାନସଭାରେ ଏମିତି ଏକ ଭ୍ରମ ସୃଷ୍ଟି କରିଥିଲେ ଶିଶୁମାନେ।
ସାଇରନ୍‌ ଦେଇ ପହଞ୍ଚିଥିଲେ ରାଜ୍ୟପାଳ। ବିଧାନସଭା ଗୃହରେ ପ୍ରାରମ୍ଭିକ ଉଦ୍‌ବୋଧନ ପରେ ବିଧାନସଭା ଗୃହ ପରିଚାଳନା କରାଯାଇଥିଲା। ଅନେ୍ଵଷ ମହାପାତ୍ର ରାଜ୍ୟପାଳ ଭୂମିକାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଭୂମିକାରେ ଥିଲେ ଅବିନାଶ ମିଶ୍ର। ବାଚସ୍ପତି ସାଜିଥିଳେ ସିଆ ମିଶ୍ର। ବିରୋଧୀ ଦଳର ୧୩ ଓ ଶାସକ ଦଳର ୧୭ ଜଣ ସଦସ୍ୟ/ସଦସ୍ୟା ଭାଗ ନେଇ ପରସ୍ପରକୁ ପ୍ରଶ୍ନର ଥୋପ ଫିଙ୍ଗିଥିଲେ। ପଏଣ୍ଟ୍‌ ଅଫ୍‌ ଅର୍ଡରରେ ହସ୍ତକ୍ଷେପ କରିବା ଭିତରେ କନ୍ଦଳ ସୃଷ୍ଟି ହୋଇଥିଲା। ଅଭିନୟ ଥିଲେ ଆମ ସତସତିକା ବିଧାନସଭାର ନିଚ୍ଛକ ପ୍ରତିଫଳନ ଆଜି ଏଠାରେ ଦେଖିବାକୁ ମିଳିଥିଲା। ଏଥିରେ ସିଆ ମିଶ୍ର ପ୍ରଥମ ପୁରସ୍କାର ଜିତିଥିବା ବେଳେ ଦେବଦତ୍ତା ଦାଶ ଦ୍ୱିତୀୟ ଏବଂ ବ୍ୟାସଦେବ ବରାଳ ତୃତୀୟ ହୋଇ ପୁରସ୍କାର ଲାଭ କରିଥିଲେ। ଏଥିସହିତ ଆର୍‌ଜି ନନ୍ଦନଗୁରୁ, ଶକ୍ତିପ୍ରସାଦ ତ୍ରିପାଠୀ, ରାମବାବୁ ମିନିଆକ୍କାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଚାରକ ଥିଲେ ଡ.ରୋସନାରା ବେଗମ୍‌, ଡ.ସଚ୍ଚିଦାନନ୍ଦ ମିଶ୍ର ଏବଂ ଡ.ଅନୁଜା ମହାପାତ୍ର। ଏହି ଅବସରରେ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଓପେପାର ନିର୍ଦେଶକ ମହେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ମୂଳରୁ ଶେଷଯାଏଁ ଉପସ୍ଥିତ ରହି ଏହାକୁ ଉପଭୋଗ କରିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ସଚେତନତା ସାଇକେଲ୍‌ ରାଲି

ସୁରଭି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଶିଶୁ ଦିବସରେ ଶିକ୍ଷା ସଚେତନତା ସାଇକେଲ୍‌ ରାଲି ଅନୁଷ୍ଠିତ ହୋଇଥିଲା। ଏହି ସାଇକେଲ୍‌ ଶୋଭାଯାତ୍ରାରେ ୬୦୦ରୁ ଊର୍ଧ୍ୱ ପିଲା ଅଂଶଗ୍ରହଣ କରି ଫରେଷ୍ଟ୍‍ ପାର୍କରୁ ୟୁନିଟ୍‌ ୯ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ୩ କିଲୋମିଟର ବାଟ ଆସିଥିଲେ। ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନେ ଆମେ ସବୁ ଏକ, ବେଟି ବଚାଓ: ବେଟି ପଢ଼ାଓ, ବାଳିକା ଯଦି ପଢ଼ିବେ ପାଠ, ସ୍ୱଚ୍ଛ ବିଦ୍ୟାଳୟ, ପରିବେଶ ସୁରକ୍ଷାର ବାର୍ତା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱନାଥ ପ୍ରଧାନ, ଅତିରିକ୍ତ ଶାସନ ସଚିବ ଇନ୍ଦ୍ରମଣି ତ୍ରିପାଠୀ, ବିଭୁପ୍ରସାଦ ଷଡ଼ଙ୍ଗୀ, ମହେନ୍ଦ୍ର କୁମାର ମଲ୍ଲିକ, ଚୂଡ଼ାମଣି ସେଠ୍‌, ଗଙ୍ଗାଧର ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର