କମେଣ୍ଟମରା ପ୍ରତିବାଦରୁ ଖଣ୍ଡାଚୋଟ

ଅଭିଯୁକ୍ତ ପୁତୁଲ ଗିରଫ, ଖଣ୍ଡା ଜବତ

ଭୁବନେଶ୍ବର : ଭଉଣୀକୁ କମେଣ୍ଟମରାର ପ୍ରତିବାଦ କରିବାରୁ ଭାଇକୁ ହାଣିଦେଲା। ଆକ୍ରମଣର ଶିକାର ଯୁବକଜଣକ ହେଲେ, ରିପନ ବଳିଆରସିଂହ। ଗୁରୁତର ଅବସ୍ଥା‌ରେ ତାଙ୍କୁ ଏମ୍‌ସ‌ରେ ଭର୍ତ୍ତି କରାଯାଇଛି। ମଦନପୁର ବଜାର ନିକଟରେ ଆଜି ଘଟିଥିବା ଏହି ଆପରାଧିକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳି ଯାଇଥିଲା। ଏ ସଂପର୍କରେ ଅଭିଯୋଗ ହେବାରୁ ଇନ୍‌ଫୋଭ୍ୟାଲି ପୁଲିସ୍‌ ପୁତୁଲ ମାନସିଂହ ନାମକ ଜଣେ ଯୁବକକୁ ଗିରଫ କରିଛି। ତା’ ଘର ମଦନପୁର ତଳସାହି ଅଞ୍ଚଳରେ। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ।

ମିଳିଥିବା ସୂଚନାନୁଯାୟୀ, କିଛି ଦିନ ତଳେ ରିପନଙ୍କ ଭଉଣୀକୁ ସ୍ଥାନୀୟ ଜଣେ ଯୁବକ ପୁତୁଲ ମାନସିଂହ କମେଣ୍ଟ ମାରିଥିଲା। ଏ ନେଇ ଯୁବତୀଜଣକ ତାଙ୍କ ଭାଇ ରିପନକୁ ଜଣାଇଥିଲେ। ରିପନ ଆଜି ସକାଳ ପ୍ରାୟ ୧୧ଟା ବେଳେ ପୁତୁଲକୁ ଏ ସଂପର୍କରେ ପଚରାଉଚରା କରିବାରୁ ଦୁଇଜଣଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ପୁତୁଲ ଏକ ଖଣ୍ଡା ଆଣି ରିପନଙ୍କ ମୁଣ୍ଡକୁ ଚୋଟ ପକାଇଥିଲା। କିନ୍ତୁ ରିପନ୍‌ ହାତ ଦେଖାଇଦେବାରୁ ଖଣ୍ଡାଟି ତାଙ୍କ କାନରେ ବାଜିଥିଲା। ଏଥିରେ ତାଙ୍କର କାନ କଟି ଯାଇଥିଲା। ସ୍ଥାନୀୟ କିଛି ଯୁବକ ରିପନକୁ ଉଦ୍ଧାର କରି ଏମ୍‌ସରେ ଭର୍ତ୍ତି କରାଇଥିଲେ। ଅପରପକ୍ଷେ ଏହି ଘଟଣା ଘଟାଇବା ପରେ ପୁତୁଲ ସେଠାରୁ ଫେରାର୍‌ ହୋଇଯାଇଥିଲା। ରିପନଙ୍କ ପରିବାରଲୋକ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ପୁତୁଲକୁ ଗିରଫ କରିଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ଖାଲି ଏହି ଘଟଣା ନୁହେଁ, ସର୍ବସାଧାରଣରେ ଏମିତି ଏକାଧିକ ଆପରାଧିକ ଘଟଣା ଘଟାଇ ପୁତୁଲ ଆତଙ୍କ ସୃଷ୍ଟି କରୁଛି। ସେହିଭଳି ସ୍ଥାନୀୟ ଅଞ୍ଚଳର ଯୁବତୀଙ୍କୁ ବିଭିନ୍ନ ସମୟରେ କମେଣ୍ଟ କରୁଛି। ସେ ଜଣେ ପୂର୍ବତନ ବିଧାୟକଙ୍କ ସମ୍ପର୍କୀୟ ଭଣଜା। ଏହାଛଡ଼ା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜିଲ୍ଲା ସଂଗଠନର ଉପସଭାପତି ଥିବାରୁ ପୁଲିସ୍‌ ତା’ ଉପରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଅପରପକ୍ଷେ, ଆଜିର ଏହି ଘଟଣା ପରେ ପୁତୁଲର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଥିମଧ୍ୟରୁ ଗୋଟିଏ ଭିଡିଓରେ ସେ ଏକ କେକ୍‌କୁ ଖଣ୍ଡାରେ କାଟୁଥିବା ଦେଖିବାକୁ ମିଳୁଛି।

ଏ ସମ୍ପର୍କରେ ଜୋନାଲ୍ ଏସିପି ରଜତ ରାୟ କହିଛନ୍ତି, ଆଜିର ଘଟଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁତୁଲକୁ ଗିରଫ କରିସାରିଛି। ସେ ଆକ୍ରମଣ ବେଳେ ବ୍ୟବହାର କରିଥିବା ଖଣ୍ଡାକୁ ମଧ୍ୟ ପୁଲିସ ଜବତ କରିଛି। ତେବେ ରିପନଙ୍କୁ ଆକ୍ରମଣ କରିବା ପଛରେ କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ। ଦୁହିଁଙ୍କ ବ୍ୟକ୍ତିଗତ ବିବାଦରୁ ଏହି ଘଟଣା ଘଟିଛି।

ସମ୍ବନ୍ଧିତ ଖବର