ଲାଗୁ ହେଲା ଇ-ଅଫିସ୍, ଇ-ଡେସ୍‌ପାଚ୍‌ରେ କେବେ?

୧୦ତାରିଖ ସୁଦ୍ଧା ବିଡିଏ, ବିଏମ୍‌ସି, କ୍ରୁଟ୍‌ରେ ସବୁ ଫାଇଲ୍‌ କାମ ଅନଲାଇନ୍‌ରେ

ଭୁବନେଶ୍ବର: ବିଏମ୍‌ସି, ବିଡିଏ ଓ କ୍ରୁଟ୍‌ରେ ସବୁ ଫାଇଲ୍‌ କାମ ଅନଲାଇନ୍‌ରେ ହେବ। ଏହି ତିନିଟି ଅଫିସ୍‌ରେ ଇ-ଅଫିସ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏନେଇ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ହନିୱେଲ୍‌ ସହାୟତାରେ ଇ-ଅଫିସ୍ ସଫ୍ଟୱେୟାର ଡେଭଲପ୍ ହୋଇଥିବା ବେଳେ ତିନି ସଂସ୍ଥାର କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଛି। ଅଗଷ୍ଟ ୧୦ ସୁଦ୍ଧା ଇ-ଅଫିସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ ସିଂହ ତିନି ସଂସ୍ଥାକୁ ଚିଠି ଲେଖିଛନ୍ତି। ହେଲେ ଦୀର୍ଘ ୬ବର୍ଷ ହେଲା ରାଜ୍ୟ ସରକାରଙ୍କ ଇ-ଡେସପାଚ୍‌ରୁ ଉଭାନ୍ ହୋଇଥିବା ବିଏମ୍‌ସି ଓ ବିଡିଏ କେବେ ସାମିଲ୍‌ ହେବେ, ସେନେଇ ପ୍ରଶ୍ନ ଉଠିଛି। ଅଫିସ୍ ଭିତରେ ସ୍ବଚ୍ଛତା ଆଣିବା ପାଇଁ ଇ-ଅଫିସ୍‌ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ କର୍ତ୍ତୃପକ୍ଷ କେବେ ଲୋକଙ୍କ ସମ୍ମୁଖରେ ନିଜକୁ ସ୍ବଚ୍ଛ ପ୍ରମାଣିତ କରିବେ? ଅଫିସ୍‌ର ସବୁ ଚିଠି ନେଣଦେଣ ବିଷୟରେ କେବେ ଲୋକ ଅବଗତ ହେବେ, ସେନେଇ କିନ୍ତୁ କେହି କିଛି କହୁନାହାନ୍ତି।

ଅପରପକ୍ଷେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ଓଡ଼ିଶା ସେକ୍ରେଟାରିଏଟ୍‌ ଵାର୍କ ଫ୍ଲୋ ଅଟୋମେସନ୍‌ ସିଷ୍ଟମ୍‌ (ଓସ୍ବାସ୍‌) ବ୍ୟବସ୍ଥାରେ ଇ-ଡେସପାଚ୍‌ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ସମସ୍ତ ବୈଠକର ସୂଚନା, ବିଜ୍ଞପ୍ତି, ପ୍ରତିଦିନ ଦେଣନେଣ ହେଉଥିବା ଫାଇଲ୍‌ର ତଥ୍ୟ ଉପଲବ୍ଧ କରାଇବାକୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କୁହାଯାଇଛି। ହେଲେ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ଏହି ବ୍ୟବସ୍ଥାରୁ ନିଜକୁ ଦୂରେଇ ରଖିଛନ୍ତି। ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଅନ୍ୟ ୪ଟି ମହାନଗର ନିଗମ ଓ ଅନ୍ୟ ୭ଟି ଉନ୍ନୟନ କର୍ତ୍ତୃପକ୍ଷରେ ଇ-ଡେସପାଚ୍‌ ବ୍ୟବସ୍ଥା ଥିଲେ ମଧ୍ୟ ବିଡିଏ ଓ ବିଏମ୍‌ସିରେ ଏହା ନାହିଁ। ୨୦୧୫ ସେପ୍ଟେମ୍ବରେ ବିଡିଏ ଓ ବିଏମ୍‌ସିକୁ ଶେଷଥର ପାଇଁ ଇ-ଡେସପାଚ୍‌ରେ ଦେଖିବାକୁ ମିଳିଥିଲା। ହେଲେ ଏଥିରେ ଚିଠି ଆଦାନପ୍ରଦାନ ସଂଖ୍ୟା ଶୂନ ଦେଖାଉଥିଲା। ଅର୍ଥାତ୍‌ ଉଭୟ ସଂସ୍ଥା କୌଣସି ଚିଠିପତ୍ର ଦେଣନେଣ କରୁନାହାନ୍ତି ବୋଲି ପ୍ରମାଣିତ ହୋଇଥିବା ଚର୍ଚ୍ଚା ହେବାରୁ ଇ-ଡେସପାଚ୍‌ରୁ ବିଏମ୍‌ସି ଓ ବିଡିଏ ଓହରିଗଲେ। ସେହିଭଳି ଦୁଇ ବର୍ଷକାଳ ବିଏମ୍‌ସି ଓ ବିଡିଏ ୱେବ୍‌ସାଇଟର ଟପ୍‌ କର୍ଣ୍ଣରରେ ‘ଇ-ଡେସପାଚ୍‌’ ଆଇକନ୍‌ ରହିଥିଲା। କେତେ ଚିଠି ପାଇଛନ୍ତି, କେତେ ଚିଠି ପଠାଇଛନ୍ତି ତାହାର ସ˚ଖ୍ୟା ଦେଖାଉଥିଲା। ହେଲେ ଏହାକୁ ଖୋଲି ପଢ଼ିବା ସମ୍ଭବ ହେଉନଥିଲା। ଏହାକୁ ନେଇ ପୁଣି ଚର୍ଚ୍ଚା ହେବା ପରେ ଦୁଇବର୍ଷ ପରେ ଏହି ୱେବ୍‌ସାଇଟ୍‌ରୁ ମଧ୍ୟ ଇ-ଡେସ୍‌ପାଚ୍‌ ସ୍ତମ୍ଭ ହଟିଗଲା। କ’ଣ ଲୁଚାଇବା ପାଇଁ ବିଏମ୍‌ସି-ବିଡିଏ କର୍ତ୍ତୃପକ୍ଷ ଏଭଳି କାରସାଦି କରୁଛନ୍ତି, ତାହା କେହି କହୁନାହାନ୍ତି।

ଏପରିକି ଏହି ୬ବର୍ଷ ମଧ୍ୟରେ ୪ଜଣ ବିଏମ୍‌ସି କମିସନର, ୪ଜଣ ବିଡିଏ ଉପାଧ୍ୟକ୍ଷଙ୍କର ବଦଳି ହୋଇଥିବା ବେଳେ କେହି ବି ଏନେଇ ପଦକ୍ଷେପ ନେଇନାହାନ୍ତି। ବରଂ ଯେତେବେଳେ ଇ-ଡେସ୍‌ପାଚ୍‌ରୁ ହଟିଲେ ସେତେବେଳେ ତତ୍କାଳୀନ କମିସନର ଓ ଉପାଧ୍ୟକ୍ଷମାନେ କହିଥିଲେ ଯେ ଖୁବ୍‌ଶୀଘ୍ର ଇ-ଡେସପାଚ୍‌ରେ ଅନ୍ୟ ମହାନଗର ନିଗମ ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଭଳି ବିଏମ୍‌ସି ଓ ବିଡିଏ ଉପଲବ୍ଧ ହେବ। ଏହି ଦୁଇଟି କାର୍ଯ୍ୟାଳୟର ୱେବସାଇଟ୍ ଉନ୍ନତୀକରଣ ଓ ଇ-ଅଫିସ୍ କାମ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଚାଲିଛି। ୱେବସାଇଟ୍ ଉନ୍ନତୀକରଣ କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ହେଲା ଶେଷ ହେଲାଣି। ଇ-ଅଫିସ୍ କାମ ବି ସରିଲାଣି। ତେଣୁ କେବେ ଇ-ଡେସପାଚ୍‌ରେ ବିଏମ୍‌ସି ଓ ବିଡିଏ ଦୃଶ୍ୟମାନ ହେବେ, କେବେ ଦୁଇ ସଂସ୍ଥାର ଚିଠି ଦେଣନେଣ ସମ୍ପର୍କରେ ସର୍ବସାଧାରଣ ଜାଣିପାରିବେ ତାହାକୁ ଅପେକ୍ଷା।

ଏନେଇ ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଏମ୍‌ସି, ବିଡିଏ, କ୍ରୁଟ୍ ଓ ବିଏସ୍‌ସିଏଲ୍‌ର ସମସ୍ତ ଫାଇଲ୍ କାମ ଅନଲାଇନ୍‌ରେ ‌କରିବାକୁ ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ ସିଂହ ଚିଠି କରିଛନ୍ତି। ସ୍ମାର୍ଟ ସଲ୍ୟୁସନ୍ ଯୋଜନାରେ ହନିୱେଲ୍‌ ଇ-ଅଫିସ୍ ଆପ୍ଲିକେସନ୍ ଡେଭଲପ୍ କରିଥିବାରୁ ଏହାକୁ ସମସ୍ତେ ବ୍ୟବହାର କରିବାକୁ କୁହାଯାଇଛି। ଏବେ ବିଏସ୍‌ସିଏଲ୍‌ର ସବୁ କାର୍ଯ୍ୟ ଇ-ଅଫିସ୍‌ ମାଧ୍ୟମରେ ହେଉଥିବା ବେଳେ ବାକି ଅଫିସ୍‌ରେ ଏହାକୁ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। ବହୁ କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଥିବା ବେଳେ ବାକି କିଛି କର୍ମଚାରୀଙ୍କୁ ତାଲିମ୍ ଦିଆଯିବ। ଏହାପରେ ଯଦି କୌଣସି କର୍ମଚାରୀ ବା ଅଧିକାରୀ ଇ-ଅଫିସ୍ ବ୍ୟବସ୍ଥାରେ କାର୍ଯ୍ୟ ନକରି‌ବେ, ତେବେ ତାଙ୍କ ଫାଇଲ୍ ଗ୍ରହଣ ହେବନି। ଏପରକି ତାଙ୍କ ବିରୁଦ୍ଧରେ କାର୍ଯ୍ୟରେ ଅବହେଳା ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ‌ଯିବ।

ବିଏମ୍‌ସିରେ ୬୮ଲକ୍ଷ ଟଙ୍କାର କମ୍ପ୍ୟୁଟର୍‌ କାମରେ ଲାଗୁନି
ବିଏମ୍‌ସିରେ ଇ-ଅଫିସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିକଟରେ ୬୮ଲକ୍ଷ ଟଙ୍କା ବ୍ୟୟରେ ୪୭ଟି ଡେସ୍କଟପ୍, ୬ଟି ଲାପଟପ୍ ଏବଂ ୪୫ଟି ପ୍ରିଣ୍ଟର କିଣାଯାଇଛି। କିଛି କମ୍ପ୍ୟୁଟର ଲଗାଯାଇଛି। ହେଲେ ଏହା କାମରେ ଲାଗୁନି। ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି କର୍ତ୍ତୃପକ୍ଷ ଏକ ନିର୍ଦ୍ଦିଷ୍ଟ କମ୍ପାନିର କମ୍ପ୍ୟୁଟର୍‌ କିଣିବାକୁ ଟେଣ୍ଡର୍‌ କରିଥିବା ବେଳେ କମ୍ପ୍ୟୁଟର ଯୋଗାଇଥିବା ସଂସ୍ଥା ଭିନ୍ନ ଭିନ୍ନ କମ୍ପାନିର ଯନ୍ତ୍ରାଂଶ (ଡେସ୍କଟପ୍, କି-ବୋର୍ଡ, ସିପିୟୁ) ଦେଇଛି। କେବଳ ଏହା ନୁହେଁ, ଏହାକୁ ଅଫିସ୍‌ରେ ନ ଲଗାଇ ସଂସ୍ଥା ଟଙ୍କା ନେଇସାରିଲାଣି। ଏବେ କମ୍ପ୍ୟୁଟରରେ ଆଣ୍ଟି ଭାଇରସ୍ ଲୋଡ୍ ହୋଇନଥିବାରୁ ଅଫିସ୍‌ କାମ କଲା ବେଳକୁ ହ୍ୟାଙ୍ଗ୍‌ ହେଉଛି। ଅଧା କମ୍ପ୍ୟୁଟର ଲାଗି ନଥିବାରୁ ବିଏମ୍‌ସିରେ କିପରି ଇ-ଅଫିସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର