ଆଜି ବିଶ୍ବ ପରିବେଶ ଦିବସ, ବାୟୁ ପ୍ରଦୂଷଣ ପ୍ରତିହତ ଆହ୍ବାନ

ଭୁବନେଶ୍ବର: ପୃଥିବୀକୁ କମ୍ବଳ ସଦୃଶ ଘୋଡ଼େଇ ରଖିଥିବା ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ବଢ଼ିବଢ଼ି ଚାଲିଛି। ବାୟୁମଣ୍ଡଳକୁ ଗୁରୁତ୍ବ ନଦେଇ ମଣିଷ ମନଇଚ୍ଛା ଦୂଷିତ କରିଚାଲିଛି। ପ୍ରକୃତି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ହୁଏତ ସମ୍ଭବ ନୁହେଁ କିନ୍ତୁ ମନୁଷ୍ୟକୃତ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ। ଏବେ ଏହାକୁ ପ୍ରତିହତ ନକଲେ ପରପିଢ଼ି ପାଇଁ ବଡ଼ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ। ଟଙ୍କା ଥାଇ ବି ମନୁଷ୍ୟ ନିଜ ପାଇଁ ଅମ୍ଳଜାନ କିଣିବା ଅସମ୍ଭବ ହୋଇପଡ଼ିବ। ମିଳିତ ଜାତିସଂଘର ବିବରଣୀ ମୁତାବକ ଏବେ ପ୍ରତି ୫ ବର୍ଷରେ ବିଶ୍ବର ଉତ୍ତାପ ୧ ଡିଗ୍ରି ସେଲ୍‌ସିୟସ ବୃଦ୍ଧି ପାଉଛି। ପିଏମ୍‌ ୧୦ ମାଇକ୍ରନ୍‌ରୁ କମ୍‌ ଆକାରର କଣିକା ଯଥା ପିଏମ୍‌ ୨.୫ ଆମ ଶରୀରରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରୁଛି। ଫଳରେ ପ୍ରତି ଘଣ୍ଟାରେ ବାୟୁ ପ୍ରଦୂଷଣ ଜନିତ ରୋଗ ମନୁଷ୍ୟ ଶରୀରରେ ସୃଷ୍ଟି ହେଉଛି। ଶିଳ୍ପକେନ୍ଦ୍ର, ସହରାଞ୍ଚଳ ବୃଦ୍ଧି, ପରିବହନ, ଏଣେତେଣେ ପରିତ୍ୟକ୍ତ ଭାବେ ଅଳିଆ ପଡ଼ି ରହିବା, କୃଷି କ୍ଷେତ୍ରରୁ ଉତ୍ପନ୍ନ ବାୟୁ ପ୍ରଦୂଷଣ, କୃଷି ଜାତ ଅଦରକାରୀ ପଦାର୍ଥ ଓ ଅନ୍ୟ ସବୁ ବର୍ଜ୍ୟକୁ ପୋଡ଼ିଦେବା, ଜନସଂଖ୍ୟା ବୃଦ୍ଧିକୁ ପ୍ରତିହତ କରି ନପାରିଲେ ବାୟୁ ପ୍ରଦୂଷଣକୁ ରୋକିବା ସମ୍ଭବ ହେବ ନାହିଁ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନସ୍ଥ ସେଣ୍ଟର ଫର୍‌ ଏନ୍‌ଭିରୋନ୍‌ମେଣ୍ଟ୍‌ ଷ୍ଟଡିଜ୍‌ର ନିର୍ଦେଶକ ଡ.ଆଶୁତୋଷ ଦେବତା କହିଛନ୍ତି। ବିଶେଷକରି ଓଡ଼ିଶାର ତଥ୍ୟକୁ ଯଦି ଦେଖାଯାଏ, ୨୦୧୭-୧୮ରେ ମୋଟର ଯାନରୁ ୧୫୪୪.୫୯ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା। ଯାହାକି ୨୦୧୬-୧୭ଠାରୁ ୨୬ ପ୍ରତିଶତ ଅଧିକ। ଏଥିସହ ମଣିଷର ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ଅଳିଆ ଆବର୍ଜନା ଯେଉଁ ପରିମାଣରେ ବୃଦ୍ଧି ପ‌ାଉଛି ଏହା ମଧ୍ୟ ବାୟୁ ପ୍ରଦୂଷଣର ମାତ୍ରାକୁ ବୃଦ୍ଧି କରୁଛି। ଚଳିତ ବର୍ଷ ବିଶ୍ବ ପରିବେଶ ଦିବସର ବିଷୟବସ୍ତୁ ରହିଛି ‘ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ବା ପରାସ୍ତ କରିବା’। ଅର୍ଥାତ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଆହ୍ବାନ ପାଲଟିଛି। ଏବେଠୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ପ୍ରକ୍ରିୟା ଆରମ୍ଭ ନହୁଏ ଏବଂ ସାଧାରଣ ଜନତା ଏ ବାବଦରେ ସଚେତନ ନହୁଅନ୍ତି ବିଷମ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ ବୋଲି ଡ.ଦେବତା କହିଛନ୍ତି।

କୁଆଡ଼େ ଗଲା ପ୍ଲାଷ୍ଟିକ୍‌ ନିଷିଦ୍ଧ ଅଭିଯାନ?
ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ ହେବ। ପିଲାଙ୍କ ଭବିଷ୍ୟତ ଓ ସଭ୍ୟତା ପାଇଁ ବିପଦ ପାଲଟିଥିବା ପ୍ଲାଷ୍ଟିକ୍‌ ବ୍ୟାଗ୍‌, ପଲିଥିନ୍‌ ଓ ଥରେ ମାତ୍ର ବ୍ୟବହୃତ ହୋଇ ପାରୁଥିବା ପ୍ଲାଷ୍ଟିକ୍‌ ସାମଗ୍ରୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ମହାନଗର ସମେତ ପୁରୀରେ ପ୍ଲାଷ୍ଟିକ୍‌ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହେବ ବୋଲି ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ‌ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ପ୍ଲାଷ୍ଟିକ୍‌ କଟକଣାକୁ ସାରା ରାଜ୍ୟରେ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କଲେ। ମାତ୍ର କିଛି ଲାଭ ହେଲା ନାହିଁ। ପ୍ଲାଷ୍ଟିକ୍‌ ଏବେ ବି ବେଧଡ଼କ ଭାବେ ବ୍ୟବହୃତ ହେଉଛି। କଟକଣା ପାଇଁ ପ୍ରଥମେ ପ୍ରଥମେ ଚଢ଼ଉ ହେଉଥିଲେ ହେଁ ଏବେ ଆଉ ଚଢ଼ଉ ହେଉନାହିଁ। ଫଳରେ ପ୍ଲାଷ୍ଟିକ୍‌ର ବ୍ୟବହାର ପୂର୍ବଭଳି ସ୍ଥିତିକୁ ଫେରିଆସିଛି।

ଗାଁ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍‌ ବ୍ୟବହାର କୁଆଡ଼େ ଗଲା?
ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ପୂର୍ତ ବିଭାଗ ୨ ବର୍ଷ ତଳୁ ଯୋଜନା ହାତକୁ ନେଇଛି। ପୂର୍ତ ବିଭାଗ ପ୍ଲାଷ୍ଟିକ୍‌ ଟନ୍‌ ପିଛା ୩୦ ହଜାର ଟଙ୍କା ଦେଇ କିଣିଥିଲା। ୧କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧ଟନ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେବ ବୋଲି ସ୍ଥିର ହେଲା। ମାତ୍ର ପ୍ଲାଷ୍ଟିକ୍‌କୁ ପରିଚାଳନା ପାଇଁ ନିଆ ଯାଇଥିବା ଏଇ ଅଭିଯାନର ଗତି କୁଆଡ଼େ କେହି କହିପାରୁନାହାନ୍ତି। ଭାରତରେ ବର୍ଷକୁ ୧୩ ମିଲିୟନ୍‌ରୁ ଅଧିକ ଟନ୍‌ ପ୍ଲାଷ୍ଟିକ୍‌ ତିଆରି ହେଉଥିବା ବେଳେ ୧ପ୍ରତିଶତ ହିଁ ପୁନଃ ପ୍ରକ୍ରିୟାକରଣ ହୋଇପାରୁଛି। ବଳକା ପ୍ଲାଷ୍ଟିକ୍‌ ମାଟି, ପାଣି, ପବନକୁ ପ୍ରଦୂଷିତ କରୁଛି।

ସମ୍ବନ୍ଧିତ ଖବର