ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୮ତମ ଜନ୍ମ ବାର୍ଷିକୀରେ ‘ଅନ୍ତଃଦୃଷ୍ଟି’: ଶିବ ତାଣ୍ଡବରେ କମ୍ପିଲା ପରିବେଶ

ଭୁବନେଶ୍ୱର: ଶିବ ତାଣ୍ଡବ ସ୍ତ୍ରୋତ୍ରମ୍‌ରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ପରିବେଶ। ମଞ୍ଚରେ କଳାକାରଙ୍କ ଭାବଭଙ୍ଗୀ ଓ ନୃତ୍ୟ ଏତେ ନିଖୁଣ ଥିଲା ଯେ, ଦର୍ଶକଙ୍କ ପଲକ ପଡ଼ୁ ନଥିଲା। ଅବସର ଥିଲା ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସୃଜନ ଅନୁଷ୍ଠାନ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ‘ଅନ୍ତଃଦୃଷ୍ଟି’-ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମର। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହାର ଉଦ୍‌ଘାଟନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟକୁ ମୂଳଭିତ୍ତି କରି ପ୍ରୟୋଗାତ୍ମକ ଢଙ୍ଗରେ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ ନୃତ୍ୟ ପ୍ରସ୍ତୁତ କରିଥିଲେ। ପ୍ରଥମ ପ୍ରସ୍ତୁତିରେ ଶିବ ତାଣ୍ଡବ ସ୍ତ୍ରୋତ୍ରମ୍‌ ପରିବେଷିତ ହୋଇଥିଲା। ଯାହା ରାଗ ଭତିୟାର ଏବଂ ତାଳ ଖେମଟା ଓ ଆଦିତାଳ ଉପରେ ନିବଦ୍ଧ ଥିଲା। ସେମାନଙ୍କ ଦ୍ୱିତୀୟ ଉପସ୍ଥାପନା ଥିଲା ସଙ୍ଗୀତ ଧ୍ୱନୀର ଅବାଧ ଉତ୍ସ ‘ଜୀବନମ୍‌ ମଧୁ ସଙ୍ଗୀତମୟମ୍‌’। ଯେଉଁଥିରେ ନୃତ୍ୟଶିଳ୍ପୀମାନେ ମନୋମୁଗ୍ଧକର ଛନ୍ଦ ଏବଂ ସୁନ୍ଦର ବାଦ୍ୟକୁ ନେଇ ନୃତ୍ୟ ପରିବେଷଣ କରିଥିଲେ। ଯାହା ରାଗ ରାଗମାଳିକା ଓ ଆଦିତାଳ ଉପରେ ପର୍ଯ୍ୟବସିତ ଥିଲା। ଶେଷରେ ଦୃଢ଼ ପ୍ରଶିକ୍ଷଣ ଏବଂ ସମନ୍ୱୟ ଆଧାରରେ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ କଳା ଓ ଅନ୍ୟ କ୍ଷେତ୍ରରେ ଉତ୍କର୍ଷର ଆହ୍ୱାନ ‘ଆବାହନମ୍‌’ ପରିବେଷଣ କରିଥିଲେ। ଯେଉଁଥିରେ ସୂର୍ଯ୍ୟଙ୍କ ଅପୂର୍ବ ଉଜ୍ଜ୍ୱଳ ଗତିପଥକୁ ନୃତ୍ୟ ମାଧ୍ୟମରେ ବଖାଣି ଥିଲେ ଶିଳ୍ପୀଗଣ। ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିଖୁଣ ଏବଂ ସମସାମୟିକ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା। ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଇଶାନ୍‌ ଘୋଷଙ୍କ ଦ୍ୱାରା ତବଲା ବାଦନ ପରିବେଷିତ ହୋଇଥିଲା। ତାଙ୍କୁ ହାରମୋନିୟମ୍‌ରେ ସହଯୋଗ କରିଥିଲେ ହିରଣ୍ମୟ ମିତ୍ର। ଅତିଥି ଭାବେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ମଧୁସ୍ମିତା ମହାନ୍ତି, ବଂଶୀବାଦକ ଶ୍ରୀନିବାସ ଶତପଥୀ, ସୃଜନର ନିର୍ଦ୍ଦେଶକ ତଥା ଅନ୍ତଃଦୃଷ୍ଟି କାର୍ଯ୍ୟକ୍ରମର ଆୟୋଜକ ରତିକାନ୍ତ ମହାପାତ୍ର ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। କାର୍ଯ୍ୟକ୍ରମକୁ ଦେବୀପ୍ରସାଦ ମିଶ୍ର ପରିଚାଳନା କରିଥିବା ବେଳେ ମୃତ୍ୟୁଞ୍ଜୟ ରଥ ଉପସ୍ଥାପନ କରିଥିଲେ। ରାଜଶ୍ରୀ ପ୍ରହରାଜ, ଐଶ୍ବର୍ଯ୍ୟା ସିଂହଦେବ, ପ୍ରୀତିଶା ମହାପାତ୍ର, ସଞ୍ଜୟ କୁମାର ବେହେରା, ଜି. ସଞ୍ଜୟ, ମାଧବୀ ରାଉତ, ଆଲିଶା ଧଳ, ଡାଏନା ଘୋଷ ଏବଂ ପ୍ରାଚୀ ମହାନ୍ତି ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର