ପୁରୁଣା ବିଏମ୍‌ସି ଅଫିସ୍‌ ସମ୍ମୁଖରୁ କଳ୍ପନା: ବଢ଼ୁଛି ଭିଡ଼, କାମ କରୁନି ସିଗ୍‌ନାଲ

ଜବରଦଖଲ କରୁଛି ସମସ୍ୟା, କର୍ତ୍ତୃପକ୍ଷ ଚୁପ୍‌

ପୁରୁଣା ଭୁବନେଶ୍ବର: ବ୍ୟସ୍ତବହୁଳ କଳ୍ପନା ଛକରେ ଏବେ ସ୍ଥିତି ସଙ୍ଗିନ ହେଲାଣି। ଜବରଦଖଲ ଉଚ୍ଛେଦ କରି ରାସ୍ତା କିଛିଟା ଚଉଡ଼ା କରାଯାଇଥିଲେ ହେଁ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ସମସ୍ୟା ସୁଧୁରୁନାହିଁ। ଭୁବନେଶ୍ବର ସ୍ମାର୍ଟସିଟି ଲିମି‌‌ଟେଡ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲାଗିଥିବା ସ୍ବୟଂଚାଳିତ ଟ୍ରାଫିକ୍‌ ସିଗନାଲ୍‌ ବ୍ୟବସ୍ଥା କାମ କରୁ ନଥିବା ବେଳେ ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବା ଭଳି ପରିସ୍ଥିତି ଉପୁଜୁଛି। ଏପରିକି କଳ୍ପନା ଛକରୁ ମ୍ୟୁଜିୟମ୍‌ ଛକ ଓ ପୁରୁଣା ବିଏମ୍‌ସି ଅଫିସ୍‌ ସମ୍ମୁଖରେ ଭିଡ଼ ରହିବା ସହ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ବି ଘଟୁଛି। କିନ୍ତୁ ନା ସ୍ମାର୍ଟସିଟି କର୍ତ୍ତୃପକ୍ଷ ନା କମିସନରେଟ୍ ପୁଲିସ୍‌, କେହି ଏହି ଛକର ଅବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଉନାହାନ୍ତି।

କଳ୍ପନା ଛକ ଓ ମ୍ୟୁଜିୟମ୍‌ ଛକର ଟ୍ରାଫିକ୍‌ ବ୍ୟବସ୍ଥା ଭୁଶୁଡ଼ିବା ପଛରେ ମୁଖ୍ୟ ଖଳନାୟକ ସାଜିଛି ବିଏମ୍‌ସି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ଏବେ ଏହି ଅଞ୍ଚଳରେ ଗାଡ଼ି ଚଳାଇ ଯିବା କିମ୍ବା ରାସ୍ତା ଅତିକ୍ରମ କରିବା ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଗଲାଣି। କେବଳ ଏତିକି ନୁହେଁ, ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଆଉ କିଛି ଦିନ ମଧ୍ୟରେ ମ୍ୟୁଜିୟମ ଛକରୁ କଳ୍ପନା ଛକ ଅତିକ୍ରମ କରିବାକୁ ଲୋକଙ୍କୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ପୁରୀ, କୋଣାର୍କରୁ ଭୁବନେଶ୍ବରକୁ ଆସୁଥିବା ଏବଂ ଏଠାରୁ ଯାଉଥିବା ସମସ୍ତ ଗାଡ଼ି ମ୍ୟୁଜିୟମ୍‌ ଛକ ଓ କଳ୍ପନା ଛକ ହୋଇ ଯାଉଥିବା ବେଳେ ପୁରୁଣା ଭୁବନେଶ୍ବର ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ତେଣୁ ଏହି ରାସ୍ତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ଜମୁଛି। ହେଲେ ଏହି ରାସ୍ତାରେ ଉଠାଦୋକାନ ଖୋଲିବାକୁ ବିଏମ୍‌ସି ବର୍ଷତମାମ୍ ଅନୁମତି ଦେଉଛି। ଏଠାରେ କେତେବେଳେ ଲସି ଦୋକାନ ତ କେତେବେଳେ ରାକ୍ଷୀ ଦୋକାନ, ଜୁସ୍‌ ଦୋକାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଉଛି। ବ୍ୟବସାୟୀମାନେ ଏଠାରେ ରାସ୍ତାକୁ ମାଡ଼ି ଦୋକାନ ଖୋଲୁଥିବାରୁ ଏବଂ ରାସ୍ତାରେ ଗାଡ଼ି ପାର୍କିଂ କରି ଲୋକ ଏଠାକୁ ଯାଉଥିବାରୁ ବିଭିନ୍ନ ସମୟରେ ଅଯଥା ଭିଡ଼ ଜମୁଛି।

ବିଏମ୍‌ସି କିଛି ଉଠାଦୋକାନୀଙ୍କୁ ଅନୁମତି ଦେଉଥିବାରୁ ଆଉ କିଛି ଏଠାରେ ବେଆଇନ ଭାବେ ଦୋକାନ ଖୋଲି ଦେଉଛନ୍ତି। ଏହାବାଦ୍ ଏହି ରାସ୍ତାରେ ବେଆଇନ ଭାବେ ଅଟୋ ଓ ଟ୍ୟାକ୍ସି ପାର୍କିଂ ହେଉଥିବାରୁ ଛକରେ ଅଯଥା ଭିଡ଼ ସୃଷ୍ଟି ହେଉଛି। ଏତିକି ଭିଡ଼ ଏବେ ରାଜଧାନୀକୁ ଆସୁଥିବା ଲୋକଙ୍କୁ ଅଣନିଃଶ୍ବାସୀ କରୁଥିବା ବେଳେ ଯନ୍ତ୍ରଣା ବଢ଼ି ବଢ଼ି ଯାଉଛି। କାରଣ ମ୍ୟୁଜିୟମ ଛକ ଉପରେ ସରକାରୀ ଜମିରେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ପାଚେରି ବୁଲିଛି। ସୌନ୍ଦର୍ଯ୍ୟୀକରଣ ନାମରେ ବହୁ ସରକାରୀ ଜମିକୁ ମଲ୍‌ କର୍ତ୍ତୃପକ୍ଷ ମାଡ଼ି ବସିଛନ୍ତି। ଯାହା ଏବେ କିଛି ମାତ୍ରାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। କାରଣ ଛକରେ ୫୦ମିଟର ଆଗରେ ଯେଉଁଠି ରାସ୍ତା ଅଛି, ମଲ୍‌ ସାମ୍ନାରେ ସେତିକି ଅଞ୍ଚଳରେ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ହୋଇଛି। ମ୍ୟୁଜିୟମ ଛକ ଭଳି ବ୍ୟସ୍ତବହୁଳ ସ୍ଥାନରେ ବିଏମ୍‌ସି କିପରି ସୌନ୍ଦର୍ଯ୍ୟୀକରଣ ପାଇଁ ଅନୁମତି ଦେଲା, ସେନେଇ ଏବେ ପ୍ରଶ୍ନ ଉଠିଲାଣି।
ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ମଲ୍‌ କର୍ତ୍ତୃପକ୍ଷ ଯେତିକି ଜାଗା ଜବରଦଖଲ କରିଛି, ତାହାକୁ ହଟାଇବା ପାଇଁ କୌଣସି ଛୋଟ ଅଫିସର୍‌ ପଦକ୍ଷେପ ନେଇପାରିବ ନାହିଁ। ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ହେବାକୁ ଥିବା ରାସ୍ତା ସମ୍ପ୍ରସାରଣରେ ଏହା ବାଧକ ସାଜିବ। ଏବେଠୁ ଏ ସମସ୍ୟା ଜଳଜଳ ଦିଶୁଥିଲେ ହେଁ ଉଚ୍ଚପଦସ୍ଥ ଅଧିକାରୀ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।

ପୂର୍ତ୍ତ ବିଭାଗ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି, ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ବିଡିଏକୁ ଏକ ଚିଠି ଲେଖାଯାଇଥିଲା। କିନ୍ତୁ ବିଡିଏ ଚୁପ୍‌ ବସିଛି। ମିଳିତ ମହାମଞ୍ଚର ସଂଯୋଜକ ଆଇନଜୀବୀ ସରୋଜ କୁମାର ସାହୁ କହିଛନ୍ତି, ମଲ୍‌ ସୌନ୍ଦର୍ଯ୍ୟୀକରଣ କରୁଥିବା ଜମି ସରକାରୀ। ଏହାର ପୂର୍ବ ରେକର୍ଡ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାମରେ ଅଛି। ସାବକ ରେକର୍ଡ ଅନୁଯାୟୀ ସରକାର କିପରି ଏଠାରେ ଅନୁମତି ଦେଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂପର୍କରେ ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକ କହିଛନ୍ତି, ଏଠାରେ ଠାକୁରଙ୍କ ଜମି ଜବରଦଖଲ ହୋଇଛି। ଏହାକୁ ସରକାର ତୁରନ୍ତ ପୁନରୁଦ୍ଧାର ନକଲେ ଆନ୍ଦୋଳନ କରାଯିବ। ମଲ୍‌ରୁ ବାହାରୁଥିବା ସମସ୍ତ ଗାଡ଼ି ଏହି ରାସ୍ତା ଦେଇ ମୁଖ୍ୟ ରାସ୍ତାକୁ ଆସୁଥିବାରୁ ଅସମ୍ଭାଳ ଭିଡ଼ ହେଉଛି। ହେଲେ ବିଡିଏ କର୍ତ୍ତୃପକ୍ଷଙ୍କ ନଜର ପଡ଼ୁନାହିଁ।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ମଲ୍‌ରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନଥିବା ନେଇ ଅଭିଯୋଗ ଆସିଥିଲା। ପୂର୍ବରୁ ଯେତିକି ପ୍ଲାନ୍ ଅନୁମୋଦନ ହୋଇଥିଲା, ତା’ଠାରୁ ଏଠାରେ ଅଧିକ ନିର୍ମାଣ ହୋଇଛି। ଅନ୍ୟପଟେ ପୁରୁଣା ବିଏମ୍‌ସି କାର୍ଯ୍ୟାଳୟରେ ଏବେ ସବ୍‌-ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ଚାଲୁଥିବା ‌ବେ‌ଳେ ରାସ୍ତା ଉପରେ ପାର୍କିଂ ପାଇଁ ଭିଡ଼ ହେଉଛି। ଏହାର ଅପରପାର୍ଶ୍ବରେ ଷ୍ଟାମ୍ପ ଭେଣ୍ଡର ଓ ମୋହରିରମାନେ ବସୁଥିବାରୁ ଲୋକ ରାସ୍ତା ପାର୍‌ ବେ‌ଳେ ରାସ୍ତା ଭିଡ଼ ରହୁଛି। ଫଳରେ ସାଧାରଣ ଲୋକ ପୁରୁଣା ବିଏମ୍‌ସି ନିକଟରୁ କଳ୍ପନା ପର୍ଯ୍ୟନ୍ତ ଯିବା ବେଳେ ଟ୍ରାଫିକ୍‌ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

ସମ୍ବନ୍ଧିତ ଖବର