କେନାଲକୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

ବାଲିଅନ୍ତା/ବାଲିଅନ୍ତା ବଜାର: ସ୍ଥାନୀୟ ବେଣ୍ଟପୁର ପଞ୍ଚାୟତ ଅଧୀନ ଦିୱାନପାଟଣା ଗ୍ରାମର ମହେନ୍ଦ୍ର ସାହୁ(୪୫) ଓରଫ କାଳିଆ ଆଜି ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲେ। ବାଲିଅନ୍ତା ଥାନା ପୁଲିସ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ମହେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନା ଅନୁସାରେ ମହେନ୍ଦ୍ର ବିବାହିତ। ତାଙ୍କର ରଙ୍ଗବଜାର ଛକରେ ସୁନାରୁପା ଗହଣା ମରାମତି ଦୋକାନ ଅଛି। ଆଜି ଦିନ ଗୋଟାଏ ବେଳେ ସେ ବାଇକ୍‌ରେ ଗୋପବ୍ରାଞ୍ଚ କେନାଲ ବନ୍ଧ ରାସ୍ତାରେ କାକରୁଦ୍ରପୁର ଅଭିମୁଖେ ଯାଉଥିବା ବେଳେ ମେଳକ (ପାଟପୁର) ନିକଟରେ ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲେ। ଖରାବେଳ ଯୋଗୁଁ ରାସ୍ତା ନିଛାଟିଆ ଥିବାରୁ କେହି ଜାଣିପାରିନଥିଲେ। ଅପରାହ୍ନରେ କେନାଲକୁ ଶୌଚ ହେବାକୁ ଯାଉଥିବା ଜଣେ ବ୍ୟକ୍ତି ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଅପରାହ୍ନ ୪ଟାରେ ବାଲିଅନ୍ତା ଥାନା ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମହେନ୍ଦ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପୁଲିସ ଘଟଣାସ୍ଥଳରୁ ତାଙ୍କ ବାଇକ୍‌ ଜବତ କରିଥିଲା।ସେ ବାଇକ୍‌ ସହ କିଭଳି କେନାଲ ଭିତରକୁ ଖସିପଡ଼ିଲେ, ତାହା ସ୍ପଷ୍ଟ ହୋଇନାହିଁ। କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ସନ୍ଦେହ କରାଯଯାଉଛି।

ସମ୍ବନ୍ଧିତ ଖବର