ଶିକ୍ଷକ ସମାଜର ସାମାଜିକ ଉତ୍ତରଦାୟିତ୍ବ

(ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ସଂଗଠନର ସାମ୍ବିଧାନିକ ବୈଠକ ଉପଲକ୍ଷେ) - ପ୍ରଫେସର ଅମୂଲ୍ୟ କୁମାର ପଣ୍ଡା

ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଦୀର୍ଘଦିନ ଧରି ଅଧ୍ୟାପନା ତଥା ଶିକ୍ଷା ପ୍ରଶାସନରେ ଉତ୍ସର୍ଗୀକୃତ ଭାବେ ଦାୟିତ୍ୱ ନିର୍ବାହ କରି ସେବାନିବୃତ୍ତ ହୋଇଥିବା ଶିକ୍ଷକମାନଙ୍କ ଏକ ସରକାରୀ ପଞ୍ଜିକୃତ ସଙ୍ଗଠନ ହେଉଛି ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ। ୨୦୧୭ରୁ ପ୍ରାରମ୍ଭିକ ଭାବେ ସ୍ୱର୍ଗତ ପ୍ରଫେସର ମହମ୍ମଦ ଫକିରୁଦ୍ଦିନ୍‌ଙ୍କ ଦିଗ୍‌ଦର୍ଶନ ଏବଂ ପ୍ରେରଣା ସହ ବହୁ ଅଭିଜ୍ଞ ଅବସରପ୍ରାପ୍ତ ଶିକ୍ଷକଙ୍କ ସାମୂହିକ ଉଦ୍ୟମର ସଫଳ ପ୍ରୟାସ ହେଉଛି ଏହି ସଙ୍ଗଠନ। ୨୦୧୮-୧୯ରେ ଏହା ପଞ୍ଜିକୃତ ହୋଇ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଶିକ୍ଷକ ଏକ ସମର୍ପିତ ବ୍ୟକ୍ତିତ୍ୱ। ନିଜର ସୁଖ, ସ୍ୱଚ୍ଛନ୍ଦ୍ୟ ପ୍ରତି କମ୍ ଦୃଷ୍ଟିଦେଇ ସାମାଜିକ ଅଙ୍ଗୀକାର ବଦ୍ଧତାରେ ସେ ବିଶ୍ୱାସୀ। ୧୯୬୧ରେ ଜନ୍ ଏଫ୍. କେନେଡି ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଉଦ୍‌ଘାଟନୀ ବକ୍ତବ୍ୟରେ ‘ଦେଶ ତୁମ ପାଇଁ କଣ କରିଛି ପଚାର ନାହିଁ। ତୁମେ ଦେଶ ପାଇଁ କଣ କରିଛ ମନକୁ ପଚାର।’ ଓଡ଼ିଶାର ସନ୍ଥକବି ଭୀମଭୋଇଙ୍କ ଆଦର୍ଶ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ର ଚିରନ୍ତନ ଆଦର୍ଶରେ ସଂଘ ନିଜକୁ ସମର୍ପିତ କରିଛି। ରାଜ୍ୟର ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ଭାବେ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନବୃଦ୍ଧି କରିବା ପାଇଁ ଏ ଅନୁଷ୍ଠାନ ଅଙ୍ଗୀକାରବଦ୍ଧ। ଏହାବ୍ୟତୀତ ସାମାଜିକ ଓ ବୌଦ୍ଧିକ ବିକାଶ ଦିଗରେ ସରକାରଙ୍କୁ ପରାମର୍ଶ ଦେବା ସହ ପରିବର୍ତ୍ତନର ବାର୍ତ୍ତାବହ ଭାବେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ପ୍ରତିଶୃତିବଦ୍ଧ। ସଂଘର ସଭ୍ୟମାନେ କରୋନା ମହାମାରୀର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗୋଟିଏ ଦିନର ପେନ୍‌ସନ୍ ଅର୍ଥ ପ୍ରଦାନ କରିଛନ୍ତି।

ଖାଲି ପଡ଼ିଥିବା ଅଧ୍ୟାପକ ପଦପଦବୀରେ ପାଠ୍ୟଦାନରେ ସଙ୍କଟ ଦୃଶ୍ୟମାନ ବେଳେ, ସଂଘ ଏହାର ଅଭିଜ୍ଞ ସଭ୍ୟମାନଙ୍କ ବୃତ୍ତିଗତ ଦକ୍ଷତାକୁ ବିନା ପାରିଶ୍ରମିକରେ ବିନିଯୋଗ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛି। ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପାଇଁ ଶିକ୍ଷାବିତ୍‌ଙ୍କୁ ପ୍ରଶାସନିକ ପଦବୀରେ ନିଯୁକ୍ତି, ଟ୍ୟୁଟୋରିଆଲ୍ ପ୍ରଥା ପୁନଃ ପ୍ରଚଳନ, ଖାଲି ପଡ଼ିଥିବା ପଦପଦବୀର ପୂରଣ, ଶୈକ୍ଷୟିକ ସ୍ବୟଂ ଶାସନ ଏବଂ ସର୍ବୋପରି ନୀତି ନିର୍ଦ୍ଧାରଣ ବେଳେ ସଂଘର ଉପଦେଶକୁ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି। ଏ ଯାବତ୍ ଏ ସମ୍ପର୍କରେ ସୁଫଳ ମିଳିନାହିଁ। ସଂଘ ପଛୁଆ ଅଞ୍ଚଳରେ ଥିବା ଏକ ସରକାରୀ ମହାବିଦ୍ୟାଳୟକୁ ଅଗ୍ରଣୀ ମହାବିଦ୍ୟାଳୟ ଭାବେ ଗ୍ରହଣ କରି ଏହାର ସର୍ବାଙ୍ଗୀନ ଉନ୍ନତି ଲାଗି ନିଷ୍ପତ୍ତି ନେଇଛି। ଭୁବନେଶ୍ୱରଠାରେ ଏକ ସରକାରୀ ଗୃହ/ଜମି ପ୍ରଦାନ ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

ରାଜନୈତିକ ଇଚ୍ଛାଶକ୍ତି ବା ଅମଲାତାନ୍ତ୍ରିକ ଉପରେ ନିର୍ଭରଶୀଳ ନହୋଇ ସଂଘ ନିରପେକ୍ଷ ଭାବେ ତାର ସାମାଜିକ ଏବଂ ନୈତିକ ଦାୟିତ୍ୱ ନିର୍ବିକାର ଭାବେ ପାଳନ କରୁଛି। ସଂଘର ସାଧାରଣ ବୈଠକ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୦ଟାରେ ଭୁବନେଶ୍ୱରସ୍ଥିତ ବକ୍ସିଜଗବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବସନ୍ତ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବ। ଏଥିରେ ସ୍ତମ୍ଭକାର ହରପ୍ରସାଦ ଦାସ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ ସମ୍ମାନନୀୟ ଅତିଥି ଭାବେ ଯୋଗଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ବୈଠକରେ ସଙ୍ଗଠନର ଆଜୀବନ ସଦସ୍ୟ ବୃଦ୍ଧି, ସଙ୍ଗଠନର କାର୍ଯ୍ୟକଳାପ, ଭବିଷ୍ୟତ ନେତୃତ୍ବ ଚୟନ ଓ ନୂତନ ଶିକ୍ଷାନୀତି – ୨୦୨୦ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବ। ଏଥିସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହେବ। ସମ୍ମିଳନୀରେ ସଂଘର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରାଯାଇଛି।

ଉପଦେଷ୍ଟା, ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ

ସମ୍ବନ୍ଧିତ ଖବର