‘ବିଜେପି ସ୍ଥିତି ଦୁର୍ବଳ’

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍‌ ସୋସିଆଲ ମିଡିଆରେ ଭାଇରାଲ !

ନୂଆଦିଲ୍ଲୀ:ଗୁଜୁରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଓ କଂଗ୍ରେସର ପ୍ରଚାର ଅଭିଯାନ ହୋଇଛି । ଏଭଳି ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଏକ ଅଡିଓ ଟେପ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକି ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଅଡିଓ ଟେପ୍‌ରେ ମୁଖ୍ୟମନ୍ତ୍ରୀ ରୁପାନି ସୁରେନ୍ଦ୍ରନଗରରରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କ ସହ ରାଜ୍ୟରେ ବିଜେପିର ସ୍ଥିତି ସମ୍ପର୍କରେ ଆଲୋଚନା କରୁଛନ୍ତି । ବନ୍ଧୁ ନରେଶ ସଙ୍ଗୀତମୟଙ୍କୁ କଥା ଆଳରେ ମୁଖ୍ୟମନ୍ତ୍ରୀ ରୁପାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ କହୁଥିବା ଏହି ଅଡିଓ ଟେପରେ ରେକର୍ଡ ହୋଇଛି । ମୁଖ୍ୟମନ୍ତ୍ରୀ ରୂପାନି ଏଥିରେ କହିଛନ୍ତି ମୋଦିଜୀ ତାଙ୍କୁ କହିଲେ ଯେ, ଗୁଜୁରାଟରେ ମାତ୍ର ୫ପ୍ରତିଶତ ଜୈନ ଥିବା ସତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା । ତେଣୁ ଭୋଟ ହାତେଇ ନପାରିଲେ ଆସନ ଯିବାଟା ଥୟ। କେବଳ ଏତିକି ନୁହେଁ ବରଂ ସୁରେନ୍ଦ୍ରନଗରର ଜୈନ ଗୋଷ୍ଠୀ ବିଜେପି ସପକ୍ଷରେ ହେଲେଣି ନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରୂପାନି ବନ୍ଧୁ ନରେଶଙ୍କୁ ପ୍ରଶ୍ନ କରୁଛନ୍ତି। ଅଡିଓରେ ମୁଖ୍ୟମନ୍ତ୍ରୀ ରୁପାନିଙ୍କ କଥୋପକଥନରୁ ସ୍ପଷ୍ଟ ହୋଇଯାଉଛି ଯେ, ଗୁରୁରାଟ ନିର୍ବାଚନକୁ ନେଇ ବିଜେପି କେତେ ଚିନ୍ତାରେ ରହିଛି । ଅପରପକ୍ଷେ ଭୋଟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି କ’ଣ ହେବ ତାହା ମଧ୍ୟ ଅନୁମାନ କରିହେଉଛି ବୋଲି ସୋସିଆଲ ମିଡିଆରେ କମେଣ୍ଟ ଆସୁଛି । ଏନେଇ ମୁଖ୍ୟମନ୍ତ୍ରୀ ରୂପାନି ବା ବିଜେପି କୌଣସି ବୟାନ୍‌ ଦେଇନାହାନ୍ତି । ସୂଚନାଯୋଗ୍ୟ ଯେ, ଏଯାବତ୍‌ ଏହି ଅଡିଓ ଟେପ୍‌ଟି ମୁଖ୍ୟମନ୍ତ୍ରୀ ରୁପାନିଙ୍କର ବୋଲି ସ୍ପଷ୍ଟ ହୋଇନାହିଁ ।କ ିନ୍ତୁ ସୋସିଆଲ ମିଡିଆରେ ଏହି ଅଡିଓ ଭାଇରାଲ ହେଉଛି ।

କଂଗ୍ରେସକୁ ବିଜେପିର ଆହ୍ଵାନ: ପଟିଦାର ସଂରକ୍ଷଣର ରୂପରେଖ ପ୍ରକାଶ କର

ଅହମଦାବାଦ: ହାର୍ଦ୍ଦିକ ପଟେଲଙ୍କ ପରି ପଟିଦାର ନେତାଙ୍କୁ ତାଙ୍କ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଲୋଭ ଦେଖାଇ ନିର୍ବାଚନରେ ପଟିଦାର ଭୋଟରଙ୍କୁ ହାତେଇବାକୁ ଚାହୁଥିବା କଂଗ୍ରେସକୁ ଆଜି ବିଜେପି ଏ ସମ୍ପର୍କରେ କଡ଼ା ଆହ୍ଵାନ କରିଛି। ସଂରକ୍ଷଣ ବାବଦରେ ପଟିଦାରମାନଙ୍କୁ କଂଗ୍ରେସ ମିଛରେ ପ୍ରଲୋଭିତ କରି ବାଟବଣା କରୁଛି ବୋଲି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିୟୋଗ କରିଛନ୍ତି। ସାମଗ୍ରିକ ଭାବରେ ସଂରକ୍ଷଣ ପରିମାଣକୁ ୫୦ ପ୍ରତିଶତରେ ସୀମିତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ କଂଗ୍ରେସ କିଭଳି ପଟିଦାରମାନଙ୍କୁ ନୂଆ ପ୍ରକାର ସଂରକ୍ଷଣ ଯୋଗାଇବାକୁ ପ୍ରତିଶ୍ରୁତି ଦେଉଛି, ତାହାର ରୂପରେଖ ପ୍ରକାଶ କରିବାକୁ ସେ ଆହ୍ଵାନ କରିଛନ୍ତି।

ଉଲ୍ଲେଖ ଥାଉ କି, କଂଗ୍ରେସ ଗୁଜରାଟରେ ଶାସନକୁ ଆସିଲେ ସମ୍ବିଧାନର ଧାରା ୩୧(ଗ) ଅନୁସାରେ ପଟିଦାରମାନଙ୍କ ପାଇଁ ସଂରକ୍ଷଣ ସୁବିଧା ଆଣିବ ବୋଲି ପ୍ରତିଶ୍ରୁତି ଦେଇଥିବା କଥା ଗତ ସପ୍ତାହରେ ପଟିଦାର ନେତା ହାର୍ଦ୍ଦିକ ଘୋଷଣା କରିଥିଲେ। ତେବେ ଏହାର ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର। ସଂରକ୍ଷଣ ସଂକ୍ରାନ୍ତ ୧୯୯୨ର ଚର୍ଚ୍ଚିତ ଇନ୍ଦ୍ରା ସାହାଣୀ ମାଲା ସମେତ ୭ଟି ବିଭିନ୍ନ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଉଦ୍ଧାର କରି ରବିଶଙ୍କର କଂଗ୍ରେସ କିପରି ୫୦ ପ୍ରତି ଶତ ବାଦ୍‌ ସଂରକ୍ଷଣ ସୁବିଧା ଦେବ ବୋଲି ପ୍ରଶ୍ନ କରିଛନ୍ତି। ରାଜନୈତିକ ସୁବିଧା ହାସଲ ପାଇଁ କଂଗ୍ରେସ ଏପରି ଭୋଟରଙ୍କୁ ଭୁଆଁ ବୁଲାଇବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର